ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଟକ ଜିଲ୍ଲା ବାଙ୍କି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବାଙ୍କି କଚେରୀ ପଡ଼ିଆରେ ଆୟୋଜିତ ସଭାରେ ନବୀନ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଥିଲେ।

‘‘ବନ୍ୟା, ବାତ୍ୟା, ମରୁଡ଼ି ବେଳେ କୌଣସି କେନ୍ଦ୍ର ନେତା ଆସିଲେ ନାହିଁ। ଏବେ ନିର୍ବାଚନ ସମୟ ଥିବାରୁ କେନ୍ଦ୍ରରୁ ନେତା ଓଡ଼ିଶା ଆସୁଛନ୍ତି। ଭୋଟ ସରିଗେଲ ଏମାନେ ଆସିବେ ନାହିଁ। ଓଡ଼ିଶା ଆସି ଏମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୁଁ ଆପଣମାନଙ୍କ ସହ ଅଛି ଏବଂ ରହିବି’’, କହିଛନ୍ତି ନବୀନ ପଟ୍ଟନାୟକ।

ନବୀନ ଆଜି ଅପରାହ୍ଣରେ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ବାଙ୍କିରେ ପହଞ୍ଚିଥିଲେ। କଚେରୀ ପଡ଼ିଆଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ନବୀନ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।

‘‘ଚାଷୀଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କରିଛନ୍ତି। ହେଲେ କାଳିଆ ଟଙ୍କାକୁ ଅଟକା ଯାଇଛି। ମୁଁ ଥିବା ଯାଏଁ କାଳିଆ ଯୋଜନା ବନ୍ଦ ହେବନି’’, କହିଛନ୍ତି ନବୀନ।

ନବୀନ ଏହି ଅବସରରେ କଟକ ଲୋକସଭା ଆସନ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏବଂ ବିଧାନସଭା ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପାଇଁ ପ୍ରଚାର କରିଥିଲେ।

ଭର୍ତ୍ତୃହରି ମହତାବ କହିଥିଲେ, ‘‘ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେଲେ ନବୀନ ବାବୁ ପୁଣି ଥରେ ଓଡ଼ିଶାର ଶାସନ ଭାର ଗ୍ରହଣ କରିବେ। ସେହିପରି ଦିଲ୍ଲୀରେ ନବୀନ ବାବୁଙ୍କ ହାତମୁଠା ଟାଣ କରିବାକୁ ହେଲେ ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ଜିତାଇବାକୁ ପଡ଼ିବ।’’

Comment