ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ତେବେ ସବୁଠୁ ବଡ଼ କଥା ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲଢ଼ୁଥିବା ଦୁଇଟି ଆସନରେ ଆଜି ମତଦାନ ହେଉଛି। ନବୀନଙ୍କ ଘରୋଇ ନିର୍ବାଚନମଣ୍ଡଳୀ କୁହାଯାଉଥିବା ହିଞ୍ଜିଳି ଏବଂ ବିଜେପୁରରେ ଆଜି ଭୋଟ୍‌ ଗ୍ରହଣ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇସାରିଛି।

ଏଥର ହିଞ୍ଜିଳି ବିଧାନସଭା ଆସନରୁ ପଞ୍ଚମ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି। ଏଣୁ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଉପରେ ଏବେ ସଭିଙ୍କ ନଜର ରହିଛି। ନବୀନ ଏହି ଆସନରୁ ୨୦୦୦ ମସିହାରୁ ନିର୍ବାଚିତ ହୋଇ ଆସୁଛନ୍ତି। ଚଳିତ ନିର୍ବାଚନରେ ହିଞ୍ଜିଳି ଆସନରୁ ନବୀନଙ୍କ ବିପକ୍ଷରେ ବିଜେପି ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି।

ଅନ୍ୟପକ୍ଷରେ ବରଗଡ଼ର ବିଜେପୁର ବିଧାନସଭା ଆସନରେ ମଧ୍ୟ ନବୀନ ପ୍ରାର୍ଥୀ ହୋଇଛନ୍ତି। ଚଳିତ ନର୍ବାଚନରେ ବର୍ଷକର ବିଧାୟକ ଥିବା ରୀତା ସାହୁଙ୍କ ବଦଳରେ ନବୀନ ବିଜେପୁର ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଗତ କିଛି ବର୍ଷ ହେବ ବିଜେପୁରରେ କଂଗ୍ରେସର ଦବଦବା ଥିବା ବେଳେ ଗତ ଉପ ନିର୍ବାଚନରେ ବିଜେଡିର ରୀତା ସାହୁ ବହୁ ସଂଖ୍ୟାରେ ଭୋଟ୍‌ ପାଇ ବିଜୟ ହୋଇଥିଲେ।

ବିଜେପୁର ଆସନରେ ନବୀନଙ୍କ ବିପକ୍ଷରେ ବିଜେପି ସନତ ବଡ଼ତିଆଙ୍କୁ ପ୍ରାର୍ଥିୀ କରିଥିବା ବେଳେ କଂଗ୍ରେସ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କୁ ପ୍ରାର୍ଥୀ କରିଛି। ଆଜି ନବୀନ ଲଢ଼ୁଥିବା ଦୁଇଟି ଆସନରେ ଆଜି ଭୋଟ ଗ୍ରହଣ ଚାଲିଛି। ତେବେ ଆଗାମୀ ଦିନରେ କିଏ ଏହି ଆସନରୁ ବାଜିମାତ କରୁଛି ଏବଂ କାହା ସପକ୍ଷରେ ଜନା ଦେଶ ଯାଉଛି ତାହା ମେ ୨୩ରେ ସ୍ପଷ୍ଟ ହେବ।

Comment