ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୫ ଥର ବିଜେଡି ଟିକେଟରେ ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର। ଫଳାଫଳକୁ ଅପେକ୍ଷା।

ଆସନ୍ତା ୨୩ ତାରିଖରେ କଟକ ଲୋକସଭା ଆସନ ଓ ୭ ବିଧାନସଭା ଆସନ ପାଇଁ ଭୋଟ ପଡ଼ିବ। ଏଥର ଏହି ନିର୍ବାଚନମଣ୍ଡଳୀରେ ଲଢ଼େଇଟି ଅତ୍ୟନ୍ତ ରୋଚକ ହୋଇଛି। ଯାହା ଖବର ଆସୁଛି ୫ ଥର ସାଂସଦ ହୋଇଥିବା ବିଜୁ ଜନତା ଦଳର ଭର୍ତ୍ତୃହରି ମହତାବଙ୍କ ପାଇଁ ଏହି ନିର୍ବାଚନ ଜିତିବା ଏତେ ସହଜ ନୁହେଁ। ଏହାର ଦୁଇଟି କାରଣ ରହିଛି। ପ୍ରଥମ କାରଣ, ଭର୍ତ୍ତୃହରିଙ୍କ ଉପରେ ଲୋକେ ଖୁସି ନୁହନ୍ତି ବା ତାଙ୍କ ବିରୋଧରେ ଆଣ୍ଟି-ଇନକମ୍ବେନ୍ସି କାମ କରୁଥିବା ପରିଲକ୍ଷିତ ହେଉଛି। ଦ୍ୱିତୀୟ କାରଣ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ହାୱା।

କଡ଼ା ଟକ୍କର

୧୯୯୮ରୁ ଲଗାତାର କଟକ ସଂସଦୀୟ ଆସନ ଜିତି ଆସୁଥିବା ଭର୍ତ୍ତୃହରିଙ୍କୁ ଏଥର ବିଜେପି ପ୍ରାର୍ଥୀ ଓ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କଡ଼ା ଟକ୍କର ଦେଉଛନ୍ତି। ଗତ ୫ଟି ଯାକ ସାଧାରଣ ନିର୍ବାଚନରେ ମହତାବଙ୍କ ଜିତିବା ଅତି ସହଜ ଥିଲା କାରଣ କଟକ ଲୋକସଭା ଅଧୀନରେ ଆସୁଥିବା ସମସ୍ତ ୭ ବିଧାନସଭା ଆସନରେ ବିଜେଡିର ଦବଦବା ରହିଥିଲା। ୨୦୧୪ ନିର୍ବାଚନରେ ମହତାବ କଂଗ୍ରେସର ଅପରାଜିତା ମହାନ୍ତିଙ୍କୁ ୩ ଲକ୍ଷରୁ ଅଧିକ ଭୋଟରେ ହରାଇଥିଲେ।

ତେବେ ଇତି ମଧ୍ୟରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏହି ୭ ବିଧାନସଭା ଆସନରେ ଅକାଶଛୁଆଁ ହୋଇଛି। ବାଲାକୋଟ ଆକ୍ରମଣ ପରେ ମୋଦିଙ୍କ ଆଡ଼କୁ ଲୋକେ ଢାଳୁଥିବା ଦେଖାଯାଉଛି। ଏଣୁ ଭୋଟ ଦାନ ବେଳେ ମୋଦିଙ୍କ ଲୋକପ୍ରିୟତା ବିଜେପି ପ୍ରାର୍ଥୀଙ୍କୁ ଜିତାଇବାରେ ସାହାଯ୍ୟ କରିବ ବୋଲି ଆଲୋଚନା ହେଉଛି।

ପ୍ରପର ଚ୍ୟାନେଲ

ସବୁଠାରୁ ବଡ଼ କଥା ହେଉଛି ବିଜେଡି ପ୍ରାର୍ଥୀମାନଙ୍କ ବିରୁଦ୍ଧରେ ଲୋକଙ୍କ ଅସନ୍ତୋଷ। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଗତ ୫ ବର୍ଷ ହେଲା ଅଧିକାଂଶ ବିଧାୟକ ଓ ସାଂସଦଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। ଅଥଚ ଏହାକୁ ସୁଧାରିବା ପାଇଁ କିଛି ଉଦ୍ୟମ ହୋଇନାହିଁ। ବିଶେଷ କରି ଭର୍ତ୍ତୃହରି ମହତାବ ତାଙ୍କ ଭୋଟରଙ୍କ ପାଖରେ କେବେ ବି ପହଞ୍ଚି ନଥିବା ଅଭିଯୋଗ ହୋଇଛି। ଏପରିକି ଯେତେବେଳେ ଯିଏ ତାଙ୍କୁ କୌଣସି କାମ ପାଇଁ ଦେଖା କରିବାକୁ ଆସିଲା ବିଧାୟକଙ୍କୁ ଭେଟିବା ପାଇଁ ସେ କହୁଥିବା ବିଷୟ ଭୋଟର ଆଲୋଚନା କରୁଛନ୍ତି।

ପ୍ରପର ଚ୍ୟାନେଲ ଦେଇ ଆସ ବୋଲି ସେ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ କହୁଥିବା ଅଭିଯୋଗ କରିଛନ୍ତି କିଛି ଭୋଟର। ତା’ ଛଡ଼ା ଚିଟଫଣ୍ଡ ସ୍କାମରେ ଜଡ଼ିତ ଦୁଇ ବିଧାୟକ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ପୁଅମାନଙ୍କୁ ଟିକେଟ ମିଳିଥିବାରୁ ଲୋକେ ଖପ୍ପା। ଏ ଦୁଇ ଜଣ ପୁଅ  ରାଜନୀତିରେ ନୂଆଁ ଏଣୁ ଲୋକେ ସେମାନଙ୍କୁ ଗ୍ରହଣ କରିପାରୁନାହାନ୍ତି।

ମହତାବ ସବୁଥର ଭଳି ଏଥର ମଧ୍ୟ ନବୀନଙ୍କ ଲୋକପ୍ରିୟତା ଉପରେ ଭରସା ରଖି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛନ୍ତି। ତେଣେ ବିଜେପିର ପ୍ରକାଶ ମିଶ୍ର ମୋଦି ହାୱା ଯୋଗୁଁ ପୂରା ଦମରେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି। କଂଗ୍ରେସ ପକ୍ଷରୁ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ପ୍ରାର୍ଥୀ ହୋଇଛନ୍ତି। ପଞ୍ଚାନନଙ୍କ ବଡ଼ ଭାଇ ଅଶୀ ଦଶକରେ କଟକ ମୁନିସିପାଲିଟିର ଚେୟାରମ୍ୟାନ ଥିଲେ ଓ କଟକରେ ପଞ୍ଚାନନଙ୍କ ବେଶ୍ ଲୋକପ୍ରିୟତା ରହିଛି।

କଟକ ଲୋକସଭା ଆସନ ଅଧୀନରେ ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ଆଠଗଡ଼, ବଡ଼ମ୍ବା, ବାଙ୍କୀ ଓ ଖଣ୍ଡପଡ଼ା ବିଧାନସଭା ଆସନ ଆସୁଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହୋଇଥିଲା। ଏଣୁ ଏଥର ବି ସେୟା ହେବାକୁ ଯାଉଛି।

Comment