ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଲା ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପାର୍ଥିବ ଶରୀର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ବେଦପ୍ରକାଶଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବେଦ ପ୍ରକାଶ ଅମର ରହେ ନାରାରେ ପାର୍ଟି ଅଫିସ ପରିସର ଫାଟି ପଡୁଥିଲା।

ବିଜେଡିର ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କର ଆଜି ସକାଳେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଦେହାନ୍ତ ହୋଇଥିଲା। ସେ ପାଟକୁରା ନିର୍ବାଚନମଣ୍ଡଳୀରେ  ବିଜେଡି ପ୍ରାର୍ଥୀ ଥିଲେ। ଆସନ୍ତା ୨୯ ତାରିଖରେ ଏହି ଆସନରେ ହୋଇଥାନ୍ତା ଭୋଟ। କିନ୍ତୁ ବେଦ ପ୍ରକାଶ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ତାଙ୍କର ଆଜି ଦେହାନ୍ତ ହୋଇଛି।

ଅପରାହ୍ଣରେ ବେଦପ୍ରକାଶଙ୍କୁ ତାଙ୍କ ବାସଭବନରୁ ଏକ ସୁସଜ୍ଜିତ ଗାଡ଼ିରେ ବିଜେଡି ପାର୍ଟି ଅଫିସ ପର୍ଯ୍ୟନ୍ତ ନିଆଯାଇଥିଲା। ପାର୍ଟି ଅଫିସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ତାଙ୍କ ମରଶରୀରରେ ଦଳୀୟ ପତାକା ପକାଇଥିଲେ ବିଜେଡି ସୁପ୍ରିମୋ।

ବିଜେଡି ପାର୍ଟି ଅଫିସରୁ ବେଦପ୍ରକାଶଙ୍କ ମରଶରୀରକୁ ପାଟକୁରା ଅଭିମୁଖେ ନିଆଯାଇଛି। ବିଜେଡି ପାର୍ଟି ଅଫିସରେ ଶ୍ରଦ୍ଧାଞ୍ଜଳି ଦେବା ବେଳେ ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଅତନୁସବ୍ୟସାଚୀ ନାୟକ, ଏକାମ୍ର-ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା, ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ସଭାପତି ତେଜେଶ୍ୱର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Comment