ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ଦିନକୁ ସ୍ମରଣୀୟ କରିବା ପାଇଁ ଆଜିକାଲି ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ବିବାହ ପୂର୍ବରୁ ପ୍ରି-ୱେଡିଙ୍ଗ ଫଟୋସୁଟ୍ କ୍ରେଜ୍ ଏବେ ବଢ଼ିବାରେ ଲାଗିଛି। ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ ସହ ଜୀବନ୍ତ ରଖିବା ପାଇଁ ବର-ବଧୂ ଫଟୋସୁଟ୍ କରିଥାନ୍ତି। କିନ୍ତୁ ବେଳେବେଳେ ନିଜ ପ୍ରି-ୱେଡିଙ୍ଗ ଫଟୋକୁ ଭିନ୍ନ କରିବା ପାଇଁ କିଛି ଲୋକ ଏଭଳି ଜିନିଷ କରି ଯାଇଥାନ୍ତି, ଯାହା ତାଙ୍କୁ ଚର୍ଚ୍ଚାକୁ ଆଣିଥାଏ।
କେରଳରେ ଜଣେ ଦମ୍ପତି ନିଜର ପ୍ରି-ୱେଡିଙ୍ଗକୁ ସ୍ମରଣୀୟ କରିବା ପାଇଁ ଡଙ୍ଗାରେ ବସି ଫଟୋସୁଟ୍ କରିବେ ବୋଲି ଚିନ୍ତା କରିଥିଲେ। କିନ୍ତୁ ଫଟୋ ଉଠାଇବା ସମୟରେ ଯେଉଁ ଦୁର୍ଘଟଣା ଘଟିଲା ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କେରଳର ତିରୁବାଲାରେ ରହୁଥିବା ତିଜିନ ଏବଂ ଶିଳ୍ପା ପ୍ରି-ୱେଡିଙ୍ଗ ସୁଟ୍ ପାଇଁ ପମ୍ବା ନଦୀକୁ ଯାଇ ପହଞ୍ଚିଥିଲେ। ତିଜିନ ଏବଂ ଶିଳ୍ପା ଡଙ୍ଗାରେ ବସି ଫଟୋ ସୁଟ୍ ପାଇଁ ପ୍ରସ୍ତୁତ ହେଉଥିଲେ। ମୁଣ୍ଡରେ କଦଳୀ ପତ୍ର ଧରି ବସିଥିବାବେଳେ ଫଟୋଗ୍ରାଫରମାନେ ଚାରିଆଡୁ ପାଣି ପକାଇଥିଲେ। ଏହି ସମୟରେ ହଠାତ୍ ଡଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ଦୁହେଁ ପାଣିରେ ପଡ଼ି ଯାଇଥିଲେ। କିନ୍ତୁ ପାଣି କମ ଥିବାରୁ ଉଭୟଙ୍କର କୌଣସି କ୍ଷତି ହୋଇ ନଥିଲା।
ପ୍ରଥମେ ଦୁହେଁ ଏହା ଦୁର୍ଘଟଣା ବୋଲି ଭାବୁଥିବା ବେଳେ ପରେ ଫଟୋସୁଟ୍ ପାଇଁ ଆସିଥିବା ଟିମ୍ ଜାଣିଶୁଣି ଡ଼ଙ୍ଗାକୁ ଓଲଟାଇଥିଲେ ବୋଲି ଜଣା ପଡ଼ିଥିଲା। ଫଟୋସୁଟ୍ ପାଇଁ ଆସିଥିବା ଟିମ୍ ନିଜ ୱେବସାଇଟ୍ ପାଇଁ ମଜାଦାର ଭିଡିଓ ତିଆରି କରିବା ପାଇଁ ଚାହୁଁଥିବାରୁ ଏପରି କରିଥିବା କହିଥିଲେ। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷରୁ ଅଧିକ ଏହି ଏହି ଭିଡିଓକୁ ଦେଖି ସାରିଲେଣି।
















