ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଦୀପ ମହାରଥୀଙ୍କ ଗିରଫଦାରୀ ସମ୍ପର୍କରେ ପୁରୀ ଏସପି ଉମା ଶଙ୍କର ଦାସ ଦେଲେ ପୂରା ସୂଚନା।

ମତଦାନର ଦିନକ ପୂର୍ବରୁ ଗିରଫ ହୋଇଛନ୍ତି ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ। ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ ଏବଂ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ଅଭିଯୋଗରେ ମହାରଥୀ ଗିରଫ ହୋଇଛନ୍ତି।

ଏହି ଘଟଣା ରବିବାର ବିଳମ୍ବିତ ରାତିରେ ଘଟିଥିବା ବେଳେ ମହାରଥୀଙ୍କୁ ସୋମବାର ଅପରାହ୍ଣରେ ଗିରଫ କରାଯାଇଛି। ତେବେ ମହାରଥୀଙ୍କୁ କେମିତି ପିପିଲି ଥାନା ପୋଲିସ ଗିରଫ କଲା ସେ ସମ୍ପର୍କରେ ପୁରୀ ଏସପି ଉମାଶଙ୍କର ଦାସ ପୂରା ସୂଚନା ଦେଇଛନ୍ତି।

ମହାରଥୀଙ୍କ ଉପସ୍ଥିତିରେ ହୋଇଥିଲା ଆକ୍ରମଣ

ରବିବାର ସନ୍ଧ୍ୟା ୫ଟାରେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ଶେଷ ହୋଇଥିଲା ପ୍ରଚାର। ସନ୍ଧ୍ୟା ୬ଟା ପରଠୁ ନିର୍ବାଚନମଣ୍ଡଳୀରେ କୌଣସି ବାହାରର ଲୋକ ରହିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ନିୟମ ରହିଥିଲା। କିନ୍ତୁ ଏକ ଫାର୍ମ ହାଉସରେ ରାତି ୧୦ଟାରେ କିଛି ଅଜଣା ଲୋକ ଏକାଠି ହୋଇଥିବା ଖବର ଆସିଥିଲା। ଫଳରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ ଏବଂ ଏସଏସଟି ଟିମ୍ ସଂପୃକ୍ତ ଫାର୍ମ ହାଉସରେ ଚଢ଼ାଉ କରିଥିବା ଏସପି ସୂଚନା ଦେଇଛନ୍ତି।

‘‘ଫ୍ଲାଇଂ ସ୍କ୍ୱାର୍ଡ ଯାଞ୍ଚ କରୁଥିବା ବେଳେ ପ୍ରଦୀପ ମହାରଥୀଙ୍କ ଗାଡ଼ି ଫାର୍ମ ହାଉସ ଭିତରେ ପ୍ରବେଶ କରିଥିଲା। ସ୍କ୍ୱାର୍ଡ ଫାର୍ମ ହାଉସରେ ଯାଞ୍ଚ କରିଥିଲେ। ମହାରଥୀଙ୍କ ଉପସ୍ଥିତିରେ ଏବଂ ପ୍ରରୋଚନାରେ ହିଁ ସ୍କ୍ୱାର୍ଡ ଉପରେ ଆକ୍ରମଣ ହୋଇଥିଲା’’, କହିଛନ୍ତି ପୁରୀ ଏସପି।

ଭୋର ୪ଟାରେ ଏତଲା, ସୋମବାର ଅପରାହ୍ଣରେ ଗିରଫ

ଫାର୍ମ ହାଉସରେ ହୋଇଥିବା ଆକ୍ରମଣରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରବିନାରାୟଣ ପାତ୍ର ଆହତ ହୋଇଥିଲେ। ତେବେ ଏ ସମ୍ପର୍କରେ ପିପିଲି ଥାନାରେ ଭୋର ୪ଟାରେ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ଏତଲା ଦିଆଯାଇଥିଲା। ଏତଲାକୁ ଆଧାର କରି ଏବଂ କର୍ମଚାରୀଙ୍କ ବୟାନକୁ ଆଧାର କରି ମହାରଥୀଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି।

ଏହାସହ ଫାର୍ମ ହାଉସରୁ ଗୋଟିଏ ବାଇକ ଏବଂ ମହାରଥୀଙ୍କ କାର୍ ଜବତ କରାଯାଇଥିବା ଏସପି କହିଛନ୍ତି।

‘‘ପ୍ରଦୀପ ମହାରଥୀଙ୍କ ବିରୋଧରେ ଆମ ହାତରେ ବଳିଷ୍ଠ ପ୍ରମାଣ ରହିଛି। ଏହି ପ୍ରମାଣକୁ ଆଧାର କରି ଆମେ ମହାରଥୀଙ୍କୁ ଗିରଫ କରିଛୁ’’, କହିଛନ୍ତି ଏସପି ଉମା ଶଙ୍କର ଦାସ।

ମହାରଥୀଙ୍କ ବିରୋଧରେ ସଙ୍ଗୀନ ମାମଲା ରୁଜୁ କରିଛି ପୋଲିସ। ୧୪୭, ୧୪୮, ୧୮୮, ୨୯୪, ୩୪୧, ୩୫୩, ୩୩୩, ୧୭୧-ବି, ୫୦୬, ୩୦୭, ୧୪୯ ଏବଂ ଜନ ପ୍ରତିନିଧି ଆଇନର ଧାରା ୧୨୩ ଅନୁସାରେ ମହାରଥୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ ଉଦ୍ୟମ କରିବୁ

‘‘ପିପିଲିର ବିଭିନ୍ନ ବୁଥରେ ଯେପରି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ହେବ ସେଥିପ୍ରତି ଆମେ ଧ୍ୟାନ ଦେଉଛୁ। ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛୁ’’, କହିଛନ୍ତି ପୁରୀ ଏସପି।

Comment