ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୃତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୧୧୭ଟି ଲୋକସଭା ଆସନରେ ମତଦାନ ଶେଷ ହୋଇଛି।  ଏହାଛଡ଼ା ଦେଶରେ ୩୦୩ ଲୋକସଭା ଆସନରେ ଭୋଟିଂ ହୋଇଛି। ମତଦାନ ଶେଷ ପରେ ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି।

ଇଭିଏମ୍‌ରେ ସିଲ୍‌ ହେଲା ଅମିତ ଶାହଙ୍କ ଭାଗ୍ୟ

ଗୁଜରାଟ ଗାନ୍ଧିନଗର ଆସନରୁ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିଜର ମତସାବ୍ୟସ୍ତ କରିଛନ୍ତି। ଅହମ୍ମଦାବାଦ ସ୍ଥିତ ନିଶାନ ସ୍କୁଲରେ ହୋଇଥିବା ପୋଲିଂ ବୁଥରେ ପୂରା ପରିବାର ସହ ଭୋଟ୍ ଦେଇଥିଲେ ଅମିତ ଶାହା। ଏହି ଆସନରେ କଂଗ୍ରେସ ପକ୍ଷରୁ ସିଜେ ଚାୱଡା ଶାହାଙ୍କୁ ଟକ୍କର ଦେଉଛନ୍ତି।

ଭୋଟ ଦେଲେ ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ଭୋଟ୍ ଦେଇଛନ୍ତି। କେରଳର ୱାୟନାଡ ଆସନରେ ନିର୍ବାଚନ ଲଢ଼ୁଛନ୍ତି ରାହୁଲ। ସିପିଆଇ ପ୍ରାର୍ଥୀ ତଥା ବରିଷ୍ଠ ନେତା ପିପି ସୁନୀର ରାହୁଲଙ୍କୁ ଟକ୍କର ଦେଉଛନ୍ତି।

ଶଶୀ ଥରୁରଙ୍କ ଭାଗ୍ୟ ପରୀକ୍ଷା

କଂଗ୍ରେସ ସାଂସଦ ଶଶୀ ଥରୁର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ଥିରୁଅନନ୍ତପୁରମରୁ ନିର୍ବାଚନ ଲଢ଼ୁଥିବା ଏହି ବରିଷ୍ଠ ସାଂସଦ ମତସାବ୍ୟସ୍ତ କରିଛନ୍ତି। ବିଜେପିର ପୂର୍ବତନ ରାଜ୍ୟପାଳ ରାଜଶେଖରନ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ଗତ ମାର୍ଚ୍ଚ ମାସରେ ରାଜଶେଖରନ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ।

ଇଭିଏମ୍‌ରେ ଯାଦବ ପରିବାରର ଭାଗ୍ୟ

ଉତ୍ତରପ୍ରଦେଶର ସପା ନେତା ମୁଲାୟମ ସିଂ ଯାଦବଙ୍କ ପରିବାରର ଚାରି ସଦସ୍ୟଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ମୈନିପୁର ଆସନରୁ ମୁଲାୟମ ସିଂ ଯାଦବ ନିର୍ବାଚନ ଲଢ଼ୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭୋଟ ଦେଇଥିଲାବେଳେ କନୌଜ ଆସନରୁ ନିର୍ବାଚନ ଲଢ଼ୁଥିବା ପତ୍ନୀ ଡିମ୍ପଲ ଯାଦବ ମଧ୍ୟ ଭୋଟ ଦେଇଛନ୍ତି।

ଇଭିଏମ୍‌ରେ ହେଭିୱେଟ୍‌ଙ୍କ ଭାଗ୍ୟ ସିଲ୍‌

ଏହାଛଡ଼ା ରାମପୁର ଆସନରୁ ନିର୍ବାଚନ ଲଢ଼ୁଥିବା ସପାର ଆଜମ ଖାନ ଏବଂ ଫିଲ୍ମ ଅଭିନେତ୍ରୀ ତଥା ବିଜେପି ପ୍ରାର୍ଥିନୀ ଜୟା ପ୍ରଦାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି।

ସେହିପରି ବିହାରରେ ଆରଜେଡି ନେତା ଶରଦ ଯାଦବ ଭୋଟ୍ ଦେଇଛନ୍ତି। ମଧେପୁରା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ଶରଦ ଯାଦବ। ନିର୍ବାଚନରେ ତାଙ୍କୁ ଟକ୍କର ଦେଉଛନ୍ତି ପପ୍ପୁ ଯାଦବ।

କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କର୍ଣ୍ଣାଟକ ଗୁଲବର୍ଗରେ ମତସାବ୍ୟସ୍ତ କରିଥିଲେ। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଅହମ୍ମଦାବାଦ ସ୍ଥିତ ଶାହାପୁର ସ୍କୁଲରେ ଭୋଟ୍ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ମତସାବ୍ୟସ୍ତ କରିଛନ୍ତି।

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ପତ୍ନୀ ଅଞ୍ଜଳିଙ୍କ ସହିତ ରାଜକୋଟରେ ଭୋଟ୍ ଦେଇଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ପତ୍ନୀଙ୍କ ସହିତ ଭୋଟ୍ ଦେଇଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପିଡିପି ନେତା ତଥା ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମତସାବ୍ୟସ୍ତ କରିଛନ୍ତି। ଅନନ୍ତନାଗ ଆସନରୁ ନିର୍ବାଚନ ଲଢ଼ୁଥିବା ମୁଫତି  ବିଜବେହରା ୩୭ନଂ ବୁଥରେ ଭୋଟ୍ ଦେଇଛନ୍ତି।

Comment