ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡିର ପୁରୀ ଲୋକସଭା ଆସନ ପ୍ରାର୍ଥୀ ପିନାକୀ ମିଶ୍ର ମହାରଥୀଙ୍କ ଗିରଫଦାରୀକୁ ନେଇ ବିଜେପିକୁ ଦାୟୀ କରିଛନ୍ତି।

‘‘ପିପିଲି ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ବିପୁଳ ଭୋଟରେ ଜିତିଥାନ୍ତେ। ପ୍ରାୟ ୮୦ ହଜାରରୁ ଅଧିକ ଭୋଟ ପାଇଥାନ୍ତେ। କିନ୍ତୁ ମତଦାନ ପୂର୍ବରୁ ପିପିଲିରେ ବିଜେପି ଷଡ଼ଯନ୍ତ୍ର ରଚିଲା।  ମହାରଥୀଙ୍କ ବିରୋଧରେ ଏତଲା ରୁଜୁ କରି ତାଙ୍କୁ ଗିରଫ କରାଗଲା। ଏହାଦ୍ୱାରା ବିଜେପିର ଭୋଟ ହାର ବଢ଼ିବନି। ମହାରଥୀ ବିପୁଳ ଭୋଟରେ ଜିତିବେ’’, ଓଡ଼ିଶାଲାଇଭକୁ କହିଛନ୍ତି ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ଅନୁଷ୍ଠିତ ହୋଇଛି। ପୁରୀ ଲୋକସଭା ଆସନ ଏବଂ ତତସଂଲଗ୍ନ ବିଧାନସଭା ଆସନରେ ଭୋଟିଂ ହୋଇଥିଲା। ନିର୍ବାଚନ ସମ୍ପର୍କରେ ପିନାକୀଙ୍କ ପ୍ରତିକ୍ରିୟା ଚାହିଁଥିଲା ଓଡ଼ିଶାଲାଇଭ୍।

ପିନାକୀ ଆହୁରି କହିଥିଲେ ଯେ କେବଳ ପିପିଲି ନୁହେଁ, ଅନ୍ୟ ୬ଟି ଯାକ ନିର୍ବାଚନମଣ୍ଡଳୀରେ ମଧ୍ୟ ବିଜେଡି ପ୍ରାର୍ଥୀମାନେ ବିପୁଳ ଭୋଟରେ ଜିତିବେ।

‘‘ନବୀନ ବାବୁଙ୍କ ପ୍ରତି ଓଡ଼ିଶାବାସୀଙ୍କର ଆଶୀର୍ବାଦ ରହିଛି। ଲୋକଙ୍କ ଆଶୀର୍ବାଦରେ ନବୀନ ବାବୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ନବୀନ ବାବୁ ଗତ ୧୯ ବର୍ଷ ହେଲା ଓଡ଼ିଶାର ବିକାଶ ପାଇଁ କାମ କରି ଆସୁଛନ୍ତି। ଏଣୁ ଏଥର ତାଙ୍କ ବିଜୟକୁ କେହି ରୋକି ପାରିବେ ନାହିଁ’’, କହିଛନ୍ତି ପିନାକୀ।

ପିନାକୀ ଆହୁରି କହିଛନ୍ତି, ‘‘ଅନେକ ଲୋକ ଚାହୁଁଛନ୍ତି ପୁରୀ ଲୋକସଭା ଆସନକୁ ଅକ୍ତିଆର କରିବେ। ହେଲେ ଏଥିପାଇଁ ସଙ୍ଗଠନ ଦରକାର। ନବୀନ ବାବୁଙ୍କ ନେତୃତ୍ୱରେ ବିଜେଡି ସଙ୍ଗଠନ ସୁଦୃଢ଼ ହୋଇଛି। ଯେଉଁମାନେ ଚାହୁଁଛନ୍ତି ପୁରୀ ଲୋକସଭା ଆସନକୁ ଛଡ଼ାଇ ନେବେ ସେମାନଙ୍କୁ ପ୍ରଥମେ ବିଜେଡିର ଛାମୁଆ କର୍ମୀଙ୍କ ସହ ଲଢ଼େଇ କରିବାକୁ ପଡ଼ିବ।’’

Comment