ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ) : ଶିବ-ପାର୍ବତୀ ମଟରସାଇକେଲରେ, କୃଷ୍ଣ – ବଳରାମ ପାଦରେ ଚାଲି ଚାଲି, ଗଦାଧାରୀ ହନୁମାନ କାହା ସାଇକେଲ ପଛରେ, ଏଭଳି ଅନେକ ଦୃଶ୍ୟ ବର୍ତ୍ତମାନ ବ୍ରହ୍ମପୁରରେ ଏକ ନିତିଦିନିଆ ଘଟଣା। ବ୍ରହ୍ମପୁରରେ ଏବେ ଦ୍ୱିପାକ୍ଷିକ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ମାନସିକ ଧାରୀଙ୍କ ଏଭଳି ବେଶଭୂଷାରେ ସହର ମଧ୍ୟରେ ଗହଳି ଚହଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସ୍ୱାଭାବିକ। ବେଶକୁ ନେଇ ଠାକୁରାଣୀ ଯାତ୍ରାରେ ଯେଉଁ ପରମ୍ପରା ରହିଛି ତାହା ଦୀର୍ଘ ବର୍ଷ ହେଲା ଚଳିଆସିଛି।

‘‘ଯାତ୍ରା ବେଳେ, କେତେଜଣଙ୍କୁ ବେଶ କରୁଛନ୍ତି ଯେ ତାହାର କୌଣସି ହିସାବ ନାହିଁ’’, କହନ୍ତି ୬୨ ବର୍ଷ ବୟସ୍କ ଶରତ ଚନ୍ଦ୍ର ପାଢ଼ୀ।

ସ୍ଥାନୀୟ ସୁବାରାଓ ଛକଠାରେ ୩୯ ବର୍ଷ ପୂର୍ବେ ୧୯୮୦ ମସିହାରେ ଶରତ ଖୋଲିଛନ୍ତି ‘ଚକାଡୋଳା ଚିତ୍ରାଳୟ’। ବ୍ରହ୍ମପୁରରେ ବର୍ତ୍ତମାନ ୧୨ଟି ଚିତ୍ରାଳୟ ଥିବାବେଳେ କେବଳ ୫ଟି ଚିତ୍ରାଳୟ ଠାକୁରାଣୀ ଯାତ୍ରା ବେଳେ ମାନସିକଧାରୀଙ୍କୁ ବେଶ କରିଥାଆନ୍ତି। ଏହି ୫ଟିରୁ ଚକାଡ଼ୋଳା, ମହାବୀର, ଶ୍ରୀଜଗନ୍ନାଥ ଓ ମା’ ଭୈରବୀ ସୁବାରାଓ ଛକରେ ଥିବା ବେଳେ ହରିପୁର ଚିତ୍ରାଳୟର ଅବସ୍ଥିତି ଗୋସାଣୀ ନୂଆଗାଁରେ।

ଅନ୍ୟ ୭ଟି ଚିତ୍ରାଳୟ ଠାକୁରାଣୀ ଯାତ୍ରାରେ ମାନସିକଧାରୀଙ୍କୁ ବେଶ କରାନ୍ତି ନାହିଁ। ଏହି ୭ଟି ଚିତ୍ରାଳୟ ମଧ୍ୟରୁ ଆଙ୍କୁଳି ଗୋସାଣୀ ନୂଆଗାଁରେ ଦୁଇଟି ଲେଖାଏଁ ଇଞ୍ଜିନିୟରିଂ ସୁନି ଛକ, ନୂଆବସଷ୍ଟାଣ୍ଡ ଓ ହରିଡ଼ାଖଣ୍ଡିଠାରେ ଓ ଗୋଟିଏ ଲେଖାଏଁ ଚିତ୍ରାଳୟ ରହିଛି।

ଶରତ କହନ୍ତି, ‘‘କୃଷ୍ଣ, କୃଷ୍ଣ ଓ ବଳରାମ, ରାଧା, ରାମ-ଲକ୍ଷ୍ମଣ, ଶିବ ଓ ପାର୍ବତୀ, ଲବ-କୁଶ ଓ ହନୁମାନ ବେଶର ଏଥର ବେଶୀ ଚାହିଦା, ଜଣକୁ ବେଶ କରିବାକୁ ଅଧଘଣ୍ଟାଏରୁ ଘଣ୍ଟାଏ ସମୟ ଲାଗେ। ଚିତ୍ରାଳୟରେ ପ୍ରାୟତଃ ଭିଡ଼ ଲାଗିଯାଏ। ଏହିସବୁ ବେଶ ଲାଗି ଜଣଙ୍କୁ ୫ ଶହରୁ ୬ ଶହ ଟଙ୍କା ଦେବାକୁ ପଡ଼େ। ତେବେ ଏହି ଦରରେ ଆମେ ପୁରୁଣା ବସ୍ତ୍ର ବ୍ୟବହାର କରୁ। କିନ୍ତୁ ଶୀତତାପ ନିୟନ୍ତ୍ରିତ କକ୍ଷରେ ବେଶ ହୋଇ ନୂତନ ବସ୍ତ୍ର କେହି ପରିଧାନ କରିବାକୁ ଚାହିଁଲେ ଆମେ ତା’ଠାରୁ ୧ ହଜାର ଟଙ୍କା ପାରିଶ୍ରମିକ ଆଦାୟ କରୁ।’’

ତେବେ ଆଉ ଏକ ଆକର୍ଷଣୀୟ ବେଶ ‘ପିଲାଖାଇ ଡାହାଣୀ’ ପାଇଁ ଆମ ଦର ୭ ଶହରୁ ୮ ଶହ ଟଙ୍କା ‘ହାଡ଼ି-ହାଡ଼ିଆଣୀ’, ‘ତାମ୍ପମାଳି’ ଓ ’ଛୋଡ଼ ଗାଜିଆ’ ବେଶ ଅପେକ୍ଷାକୃତ ଶସ୍ତା। ଏଥିପାଇଁ ଆମେ ପ୍ରାୟ ୩ ଶହ ଟଙ୍କା ଚାର୍ଜ କରୁ ବୋଲି ଶରତ କହିଛନ୍ତି।

ବେଶ ପ୍ରତି ଲୋକଙ୍କ ଚାହିଦାର ଆବଶ୍ୟକତା ଓ ଆଗ୍ରହ ପୂରଣ ଲାଗି ଏହି ୫ଟି ଚିତ୍ରାଳୟ ପ୍ରତି ଠାକୁରାଣୀ ଯାତ୍ରା ପୂର୍ବରୁ ପ୍ରାୟ ୫ ଲକ୍ଷ ଟଙ୍କାର ଡ୍ରେସ ଓ ଅନ୍ୟାନ୍ୟ ସାମଗ୍ରୀ ନୂତନ ଭାବେ କ୍ରୟ କରନ୍ତି।

ପିଲାଟିଏ ସାଂଘାତିକ ବ୍ୟାଧିଗ୍ରସ୍ତ ହେଲେ ତା’ ପାଇଁ ପରିବାର ମାନସିକ କରିଥାଆନ୍ତି। ଠାକୁରାଣୀ ଯାତ୍ରା ଆସିଲେ ସେହି ପିଲା, ଏପରିକି ବଡ଼ମାନେ ମଧ୍ୟ ବେଶ ହୋଇ ମା’ଙ୍କ ଅସ୍ଥାୟୀ ମଣ୍ଡପକୁ ଯାଇ ମା’ଙ୍କ ଦର୍ଶନ କରିଥାନ୍ତି। ଉକ୍ତ ବେଶରେ ବନ୍ଧୁବାନ୍ଧବଙ୍କ ଘରକୁ ଯାଆନ୍ତି ଓ ଆର୍ଥିକ ଦାନ ସଂଗ୍ରହ କରନ୍ତି। ଏହି ଦାନ ଅର୍ଥ ମା’ଙ୍କ ହୁଣ୍ଡିରେ ଅର୍ପଣ କରନ୍ତି। ଏହା ଦ୍ୱାରା ଜଣକର ଭବିଷ୍ୟତ ସୁଖମୟ ହୁଏ ଓ ସେ ମା’ଙ୍କ କୃପା ଲାଭ କରିଥାଏ ବୋଲି ବିଶ୍ୱାସ ରହିଛି।

ଗତ ୨୦ ବର୍ଷ ମଧ୍ୟରେ ବେଶ ଲାଗି ଖର୍ଚ୍ଚ ପ୍ରାୟ ଦୁଇଗୁଣ ଓ ରଙ୍ଗ ଦର ତିନିଗୁଣ ବଢ଼ିଛି।

ବ୍ରହ୍ମପୁର ଠାକୁରାଣୀଙ୍କ ଐତିହ୍ୟ ଉପରେ ଅନେକ ଗବେଷଣା କରିଥିବା ଏବଂ ଠାକୁରାଣୀଙ୍କ ଅନେକ ଭଜନର ସୃଷ୍ଟିକର୍ତ୍ତା ତ୍ରିପତି ନାୟକଙ୍କ କହିବାନୁଯାୟୀ ଯାତ୍ରାର ଅନେକ ବେଶ ପରମ୍ପରା ଲୋପ ପାଇଗଲାଣି ଓ କେତେକ ଲୋପ ପାଇବାକୁ ବସିଲାଣି। ସାମାଜିକ ସ୍ଥିତି ଓ ଲୋକଙ୍କ ଅନାଗ୍ରହ ଏହାର ମୁଖ୍ୟ କାରଣ।

ରଜକ, ଗାଜିଆ, ଜିଲାପି ତାମ୍ପମାଳି, ବାହାଡ଼ା ତାନ୍ତ୍ରିକ ଆଦି ବେଶଗୁଡ଼ିକ ଆଉ ଆଗଭଳି ଦିଶୁନାହିଁ ବୋଲି ତ୍ରିପତି କହିଛନ୍ତି। ରଜକ ବେଶ ମୁଖ୍ୟତଃ ଧୋବା ସମ୍ପ୍ରଦାୟର ମାନସିକଧାରୀମାନେ କରିଥାନ୍ତି। ଲୋକମାନେ ଧୋଇବାକୁ ଦେଇଥିବା ପାଟଲୁଗା ପିନ୍ଧି, ହାତରେ ବେତ ଓ ମୁଣ୍ଡରେ ପଗଡ଼ି ପିନ୍ଧି ଆଖିରେ କଳା ଚଷମା ଲଗାଇ ସେମାନେ ରାସ୍ତାରେ ବୁଲିଲେ ସମସ୍ତଙ୍କ ନଜର ତାଙ୍କ ଉପରେ ପଡ଼େ।

ଜିଲାପି ବେଶ ଗୁଡ଼ିଆ ସମ୍ପ୍ରଦାୟର ଲୋକେ କରନ୍ତି। ତେଲ ଡବାର ଲୁହା ରିଙ୍ଗଗୁଡ଼ିକୁ ସଂଗ୍ରହ କରି ଗୋଟିଏ ବଡ଼ ଲୁହା ରିଙ୍ଗରେ ଘୂରାଇ ଶବ୍ଦ କରି ପୂର୍ବରୁ ଗୁଡ଼ିଆ ଯୋଡ଼ିକି ରାସ୍ତାରେ ଜିଲାପି, ଖଜା ଆଦି ଧରି ବିକ୍ରି କରୁଥିଲା। ଚେନକାଳି କୃଷ୍ଣ ବେଶରେ ଥାଳିରେ ଜିଲାପି ଧରି ଏହି ବେଶଧାରୀମାନେ ରାସ୍ତାରେ ଯାଉଥିଲେ।

ତାମ୍ପମାଳି ବେଶରେ ଜଣେ ତାମ୍ପଣ ଓ ମାଳି ଧରି ଛୋଟପିଲାର କଣ୍ଢେଇଟିଏ କାନ୍ଧରେ ଧରି ବୁଲିଥାଆନ୍ତି।

ଛୋଡ଼ଗାପ୍ତିଆ ବେଶର ସମ୍ପର୍କ ମରାଠାମାନଙ୍କ ସହ ଦକ୍ଷିଣ ବ୍ରିଟିଶମାନଙ୍କ ଆଗମନ ପୂର୍ବରୁ ମରାଠାମାନେ ଭୟଙ୍କର ବେଶରେ ଲୋକଙ୍କୁ ଡରାଇ ପଇସା ମାଗୁଥିଲେ। ଦେହସାରା କଳା-ଧଳା ରଙ୍ଗରେ ଚିତ୍ରିତ ହୋଇ ହାତରେ ଭଙ୍ଗାହାଣ୍ଡି ଓ ପଥର ଧରି ଏହି ବେଶଧାରୀମାନେ ଟଙ୍କା ମାଗନ୍ତି। ମୁହଁରେ ଗୀତ ଥାଏ – ‘ଛୋଡ଼ଗାଜିଆ ଛାଡ଼ିଦେ ବାଟ’, ‘ଦି-ବରଷକୁ ଗାଜିଆମାଟି’, ‘ପଇସା ନ ଦେଲେ ପଥରମାଡ଼’, ‘ମରାଠୀ ପଶିଲା ମହୁରୀଗଡ଼’, ତାନ୍ତ୍ରିକ ବେଶରେ ଲୋକେ ଅଧରାତିରେ ନିଆଁ ହାଣ୍ଡିଧରି ବାଟ ଚାଲୁଥିଲେ।

Comment