ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଡ଼ିଆ ଓ ଓଡ଼ିଶା ()

“ପ୍ରକୃତି” ଶବ୍ଦର ଉତ୍ପତ୍ତି ସଂସ୍କୃତ ଗତ। ସଂସ୍କୃତ ବ୍ୟାକରଣରେ “ପ୍ର” ଏକ ଉପସର୍ଗ। ଭାରତୀୟ ଭାଷାରେ ଉପସର୍ଗମାନଙ୍କର ପ୍ରଚଳନର ସନ୍ଧାନ ଏ’ପର୍ଯ୍ୟନ୍ତ ହୋଇନାହିଁ। ଉପସର୍ଗମାନଙ୍କର ସୃଷ୍ଟି ଆମର ଅକ୍ଷର ବ୍ୟବହାରରେ ଥିବାର ସମ୍ଭାବନା। ତେବେ ଅକ୍ଷରମାନଙ୍କରେ କେଉଁ ଅକ୍ଷରର କ’ଣ ଭାବତା’ର ଗବେଷଣା ଏବେ ନୂଆ କରି ଆରମ୍ଭ ହେଉଛି।

“ପ୍ର” ଉପସର୍ଗର ଲକ୍ଷ୍ୟ ହେଲା ଶବ୍ଦର ଭାବକୁ ଗଭୀର କରିବା। ପ୍ରମାଣ, ପ୍ରକାଶ, ପ୍ରବଳ, ପ୍ରଗାଢ଼ – ଇତ୍ୟାଦିରେ“ପ୍ର” ଉପସର୍ଗର ବ୍ୟବହାର ହୋଇଛି। ସେପରି ହେଲା ପ୍ରକୃତି। ଯାହା ଆମେ ତିଆରି କରିପାରିବା ତା’ ହେଲା ଆମର କୃତି। ଯାହା ଆମର କାମିକା ପଣିଆର ଊର୍ଦ୍ଧ୍ଵରେ–ସେ’ ହେଲା ପ୍ରକୃତି। ପ୍ରକୃତି ଆମ ଦ୍ଵାରା ଗଠିତ ନୁହେଁ। ପ୍ରକୃତି ଆମ ପାଇଁ ତିଆରି ହୋଇ ଆମକୁ ଦିଆ ହୋଇଅଛି। କିଏ ତିଆରି କରିଛି ବା କେବେ ତିଆରି ହୋଇଛି – ତା’ର ହିସାବ ଆମ ପାଖରେ ନାହିଁ !

ପାଣି, ପବନ, ଆକାଶ, ନିଆଁ, ଖରା, ବର୍ଷା, ମାଟି, ଗଛ, ଲତା – ଏ’ସବୁ ହେଲେ ପ୍ରକୃତିର ଅଙ୍ଗ। ଏ’ ମାନଙ୍କ ଭିତରେ କ’ଣ ସମ୍ପର୍କ ଅଛି – ତା’ଆମେ ଜାଣିନାହୁଁ। ଖାଲି ଆମେ ଏହାହିଁ କହିପାରୁଁ ଯେ’ ଏ’ ସମସ୍ତଙ୍କର ସମନ୍ଵୟ ହେଲା ପୃଥିବୀ। ଏ’ମାନଙ୍କ ଭିତରେ ବିବର୍ତ୍ତନ ହେଉ ଥାଇପାରେ – କିନ୍ତୁ ସେ’ ବିବର୍ତ୍ତନକୁ ବୁଝିବା ଆମ ପକ୍ଷରେ ସମ୍ଭବ ନୁହେଁ। ତେଣୁ ଆମେ କେବଳ ପ୍ରକୃତିକୁ ପୃଥିବୀର ଅଙ୍ଗ ହିସାବରେ ଗ୍ରହଣ କରିପାରିବା। ପୃଥିବୀରେ ହେଉଥିବା ସମସ୍ତ ଦୃଶ୍ୟ ପଛରେ ପ୍ରକୃତିର ହାତ ଅଛି ବୋଲି ଆମେ ଧାରଣା କରିପାରିବା।

ଏ’ପ୍ରକୃତିକୁ ଆମେ ଆଗେ ଠାକୁରାଣୀ ବୋଲି କହିଥାଇଁ। ତେବେ ଏ’ଠାକୁରାଣୀ ଆଉ ଆମର ଗାଁ ଠାକୁରାଣୀ ନୁହେଁ। ଏ’ହେଲା ସାରା ବିଶ୍ଵର ଠାକୁରାଣୀ। ସେ’ପବନକୁ ଚଳାଉଛି, ସୂର୍ଯ୍ୟକୁ ଉଠାଉଛି, ନିଆଁକୁ ତାତି ଦେଉଛି ଓ ଗଛକୁ ଫଳ ଦେଉଛି। ଜୀବଜନ୍ତୁଙ୍କୁ ଜନ୍ମ କରିବା ଭାର ତା’ର ନୁହେଁ। ଜୀବଜନ୍ତୁଙ୍କୁ ପାଳିବା ଭାର ତା’ର। ସମସ୍ତ ବିଶ୍ଵର ସବୁ ପଦାର୍ଥକୁ ପଣତରେ ଢାଙ୍କି ରଖି ସେ’ ତା’ର କାମ ଚଳାଉଛି। ତା’ର ଉଚ୍ଚ ନୀଚ ବିଚାର ନାହିଁ, ବା ଖାଲ ଢିପ ବିଚାର ନାହିଁ । ତା’ର ବିଚାର ହେଉଛି ଜଗତ ରକ୍ଷଣ।

ଏ’ପ୍ରକୃତିର ଆଉ ଗୋଟିଏ ରୂପ ଅଛି ଯାହାକି ପ୍ରତ୍ୟେକ ଜୀବ ଭିତରେ ପ୍ରବେଶ କରିଛି। ଏହା ହେଲା ପ୍ରତ୍ୟେକ ଜୀବର ବ୍ୟାବହାରିକ ଗୁଣ। ଆମର ଶରୀର ଅଛି, ଏ’ ଶରୀରକୁ ଆମେ କିପରି ବ୍ୟବହାର କରିବା ତା’ ଆମର ପ୍ରକୃତି ଉପରେ ନିର୍ଭର କରେ। ସମସ୍ତଙ୍କର ପ୍ରକୃତି ଅଲଗା। ପ୍ରକୃତି ଜୀବନର ପ୍ରାଣବାୟୁ ସାଙ୍ଗରେ ଆଉ ଗୋଟିଏ ଅଙ୍ଗ। ସବୁ ବାଘ ମିରିଗ ମାରିବେ, ତେବେ କିପରି ମାରିବେ ତା’ଭିତରେ ଫରକ। ଏ’ ଫରକର କାରଣ ହେଲା “ପ୍ରକୃତି”।

ଜନ୍ତୁ ବା ଗଛଲତାରେ ଏ’ପ୍ରକୃତି ରୂପ ନେଇଥିଲେ ହେଁ ମନୁଷ୍ୟଠାରେ ଏହାର ରୂପ ସବୁଠାରୁ ଅଧିକ ପ୍ରତ୍ୟକ୍ଷ ହୁଏ। ପ୍ରତ୍ୟେକ ମଣିଷ ସମାନ ପରିସ୍ଥିତିରେ ଥାଇକରି ବିଭିନ୍ନ ପ୍ରକାରେ ଜୀବନ ନିର୍ବାହ କରନ୍ତି। ଅନ୍ୟମାନଙ୍କ ସହ ସମ୍ପର୍କରେ ପ୍ରକୃତିର ପରିଚୟ ଆସେ। ଆମର ନିଜ ପ୍ରକୃତି ଯୋଗୁଁ ଆମେ କାହାକୁ ଭଲ ବା କାହାକୁ ମନ୍ଦ କହୁ। ପ୍ରକୃତି ଯୋଗୁଁ ଆମ ଭିତରେ ମନୋଭାବ ଜାତ ହୁଏ। ଏ ମନୋଭାବର ପୂର୍ଣ୍ଣ ରୂପାୟନ ପୃଥିବୀରେ ମଣିଷଠାରେ।

ମନ ପୁଣି କ’ଣ ? ତା ପରେ ପୁଣି ମନୋଭାବ ! “ମନ” ନାଁରେ ଏମିତି କିଛି ପଦାର୍ଥ ନାହିଁ, କିନ୍ତୁ କିଛି ଗୋଟିଏ ଅଦୃଶ୍ୟ ବସ୍ତୁ ଆମ ଭିତରେ ସାମିଲ ହୋଇ କରିଅଛି। ଏ’ ମନ ଆମକୁ କାମ କରାଉଛି, ସାହସ ଦେଉଛି, ଇଚ୍ଛା ଦେଉଛି, ଆଗ୍ରହ ଦେଉଛି, ଆଉ ଅବଶ କରୁଛି। ଏହାର ବଡ଼ କାମ ହେଲା, ଏହା ଆମର ଆଖିରେ ଅନ୍ୟର ଭଲ ମନ୍ଦ ବାଛିବାରେ ବୁଦ୍ଧି ଦେଉଛି। ଆମ ପାଇଁ ଯାହା ଭଲ, ଅନ୍ୟ ପାଇଁ ତା’ ଭଲ ନ ହୋଇପାରେ। କାହା ସାଙ୍ଗେ ମନ ମିଳିବ ଆମେ କହି ପାରିବା ନାହିଁ, ମନ ମିଳିଲେ ମଧ୍ୟ ମନ କଟିଯିବାର କିଛି ଅସମ୍ଭାବନା ନାହିଁ!

ତେଣୁ ଏ’ ମନ ହେଲା ବଡ଼ କାରିଗର। ପୃଥିବୀକୁ ଚଳାଉଥିବା ପ୍ରକୃତି ମନ ହୋଇ ଆମ ଭିତରେ ରହୁଛି। ସେମାନଙ୍କ ଭିତରେ କ’ଣ ସମ୍ପର୍କ ଅଛି ତା’ଆମେ କହିପାରିବା ନାହିଁ। ଖାଲି ଏଇୟା କହିବା ଯେ’ ମନ ବ୍ୟାପକ, ମନର ମାପ ନାହିଁ। ମନର ମଧ୍ୟ ସ୍ଥିରତା ନାହିଁ। ପ୍ରକୃତି ଆମ ଭିତରେ ସ୍ଥାୟୀ ଥିଲେ ମଧ୍ୟ ମନ ସ୍ଥାୟୀ ନାହିଁ। ଏ ସବୁ କଥା ପରବର୍ତ୍ତୀ ପ୍ରବନ୍ଧରେ ଆଲୋଚନା କରିବା।

Comment