ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ରାସ୍ତା ଉପରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଉଠ୍‌ବସ୍‌ କରିବା ଘଟଣାକୁ ନିନ୍ଦା କରିଛି ବିଜେପି। ବିଧାୟକଙ୍କୁ ଗିରଫ କରିବାକୁ ବିଜେପି ସାଧାରଣ ସମ୍ପାଦକ ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।

ଲେଖାଶ୍ରୀ କହିଛନ୍ତି, ‘‘ନବୀନ ବାବୁଙ୍କ ଶାସନ ଗଣତାନ୍ତ୍ରିକ ପଦ୍ଧତିରେ ଚାଲିନାହିଁ। ସରାକାରୀ ଅଫିସରଙ୍କୁ ଯେଉଁଭଳି ଭାବେ ଶାରିରୀକ ଏବଂ ମାନସିକ ନିର୍ଯାତନା ଦିଆଗଲା ତାହାର ତଦନ୍ତ କରାଯାଉ ଏବଂ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରାଯାଉ।’’

ଜୁନିୟର ଇଞ୍ଜିନିଅର ଜୟକାନ୍ତ ଶବରଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ ମଧ୍ୟ ବିଧାୟକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ସେନେଇ ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ।

ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ଅଭିଯୋଗରେ ବିଧାୟକ ସରୋଜ ମେହେର ଦବଙ୍ଗଗିରି ଦେଖାଇଥିଲେ। ବେଲପଡ଼ା ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଧାୟକ ଅଡୁଆରେ ପଡ଼ିଥିଲେ। ଏପଟେ ପାଟଣାଗଡ଼ ଥାନାରେ ଇଞ୍ଜିନିଅରଙ୍କ ସ୍ତ୍ରୀ ବିଧାୟକଙ୍କ ବିରୋଧରେ ଏତଲା ଦେଇଛନ୍ତି।

Comment