ଓଡ଼ିଶାଲାଇଭ ବ୍ୟୁରୋ

“ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ କେବଳ ଗୋଟିଏ ସଂସ୍ଥା କିମ୍ବା ଗୋଟିଏ ଟିଭି ଚ୍ୟାନେଲ କରିବ ଏଭଳି ନିଷ୍ପତ୍ତି ତାହା ଆଦୌ ଗ୍ରହଣୀୟ ନୁହଁ। ଜଗନ୍ନାଥ ବର୍ଷକରେ ଥରେ ବାହାରକୁ ଆସିଥାନ୍ତି। ସେହି ଯାତ୍ରାକୁ ଦେଖିବାର ଅଧିକାରକୁ ସଙ୍କୁଚିତ କରିବା ଆଦୌ ସ୍ପୃହଣୀୟ କି ଗ୍ରହଣୀୟ ନୁହଁ”, ଏପରି ମତ ରଖିଛନ୍ତି ଲେଖକ ତଥା ସଂସ୍କୃତି ବିଶେଷଜ୍ଞ ଅସିତ ମହାନ୍ତି।

ଏହାସହିତ ସେ ଆହୁରି କହିଛନ୍ତି, “ଫନି ପରି ଏକ ପ୍ରଳୟଙ୍କରୀ ବାତ୍ୟା ପରେ ପୁରୀ ସହର ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଟେଲିଭିଜନ କନେକସନ୍ ବି ଠିକ୍ ସେ ହୋଇପାରିନାହିଁ। ଏପରି ସ୍ଥଳରେ ରଥଯାତ୍ରାର ଲାଇଭ ଟେଲିକାଷ୍ଟର ଅଧିକାର ଗୋଟିଏ ବଡ଼ କମ୍ପାନିକୁ ତାର ବିଡିଂ ଅନୁସାରେ ଅଧିକ ଟଙ୍କା ଦେଉଥିବାରୁ ଦାୟିତ୍ୱ ଦିଆଯିବ ତେବେ ଯଦି ସେହି ଟେଲିଭିଜର ସଂଯୋଗ ଯେଉଁ ଲୋକ ପାଖରେ ନଥିବ ସେ ମହାପ୍ରଭୁଙ୍କ ଏହି ଯାତ୍ରା ଦେଖିବାରୁ ବଞ୍ଚିତ ହେବେ।”

ବିଦେଶୀ ପର୍ଯ୍ୟଟକ ଓ ଲୋକ ଏଥର ରଥଯାତ୍ରା ଦେଖିବାରୁ ବଞ୍ଚିତ ହେବେ

ସଂସ୍କୃତି ବିଶେଷଜ୍ଞଙ୍କ ମତରେ ସାମୁଦ୍ରିକ ଝଡ଼ ଫନି ଦ୍ୱାରା ପୁରୀ ସହରରେ ଅନେକ କ୍ଷତି ହୋଇଛି। ସହରର ଏ ପର୍ଯ୍ୟନ୍ତ ଭଲକରି ଅଣ୍ଟାସଳଖି ଛିଡା ହୋଇପାରିନାହିଁ। ଏହି କାରଣରୁ ପ୍ରତିବର୍ଷ ଯେଉଁ ପରିମାଣରେ ବିଦେଶୀ ପର୍ଯ୍ୟଟକ ମହାପ୍ରଭୁଙ୍କ ଏହି ରଥଯାତ୍ରା ଦେଖିବାକୁ ଆସନ୍ତି ଏଥର ଆସିବେନି। ତେଣୁ ମହାପ୍ରଭୁଙ୍କ ଏହି ଯାତ୍ରାକୁ ଯେଉଁମାନେ ଦେଶ ବିଦେଶରେ ଦର୍ଶକ, ଶ୍ରଦ୍ଧାଳୁ ଦେଖିବାକୁ ଚାହିଁବେ ସେମାନେ ଏଥର ବଞ୍ଚିତ ହେବେ।

ପ୍ରଶାସନର ଏଭଳି କଟକଣା ଆଦୌ ଗ୍ରହଣୀୟ ନୁହଁ

ଶ୍ରୀଯୁକ୍ତ ମହାନ୍ତିଙ୍କ ମତରେ ମହାପ୍ରଭୁ ଯେତେବେଳେ ବଡଦାଣ୍ଡକୁ ଆସିଥାନ୍ତି ଓ ସେହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଅଧିକର ସମସ୍ତଙ୍କର ଥାଏ। ଠିକ୍ ସେହିପରି ମହାପ୍ରଭୁଙ୍କର ଏହି ଧାର୍ମିକ ଉତ୍ସବକୁ ପ୍ରସାରଣ କରିବାର ଅଧିକାର ବି ସମସ୍ତଙ୍କୁ ମିଳିବା ଦରକାର।

‘‘ମୋ ମତରେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତିକୁ କେହି ଗ୍ରହଣ କରିବେ ନାହିଁ। ସୋମବାର ବିଡିଂ ପାଇଁ ଆବେଦନ ହେବ, ଯାହାର ନିଷ୍ପତ୍ତି ଆସନ୍ତାକାଲି ଦିନ ୧୧ଟାରେ ଆସିବ। ତେଣୁ ଏଥିରେ ସରକାର କିଛି ଗୋଟେ ପରିବର୍ତ୍ତନ କରିବେ ବୋଲି ସେ ଆଶା ରହିଛି’’, କହିଛନ୍ତି ଅସିତ ମହାନ୍ତି।

Comment