ଡକ୍ଟର ଫକୀର ମୋହନ ନାହାକ

ଗୁଜୁରାଟର ପ୍ରମୁଖ ନଗରୀ ଅହମ୍ମଦାବାଦରେ ରହିଛି ଏହି ଶ୍ରୀଜଗନ୍ନାଥ ମନ୍ଦିର। ଏଠାରେ ଶ୍ରୀଜିଉମାନଙ୍କ ଆବିର୍ଭାବ, ରଥଯାତ୍ରାର ପରମ୍ପରା ପଛରେ ରହିଛି ଏକ କିମ୍ବଦନ୍ତୀ, କାହାଣୀ।

ଅକଳ୍ପ ବିସ୍ତୃତିର ଅନତିକ୍ରମ୍ୟ ଦୂରତାକୁ ଯେ ନିଜ ଇଚ୍ଛାରେ ଅତିକ୍ରମ କରିପାରନ୍ତି, ସେ ହେଉଛନ୍ତି ଜଗନ୍ନାଥ। ଅପରାଜେୟ ଶକ୍ତିକୁ ଯେ ଅକ୍ଳେଶରେ ଅକ୍ତିଆର କରିପାରନ୍ତି, ସେ ହିଁ ଜଗନ୍ନାଥ। ସେ ଭାବ ବିନୋଦିଆ। ଭକ୍ତଙ୍କ ଭାବରେ ବନ୍ଧା ସେ। ସେ କେବଳ ଉତ୍କଳର ନୁହନ୍ତି। ପୂରା ମାନବ ସଭ୍ୟତାର ସେ। ପ୍ରତ୍ୟେକ ମଣିଷର ପ୍ରତ୍ୟେକ ଜୀବନର ହୃଦୟେଶ୍ୱର ସେ। ସବୁ ସୀମା ସରହଦର ବାହାରେ ସେ ଶ୍ରୀଜଗନ୍ନାଥ। କୌଣସି ଭୌଗୋଳିକ ସୀମାରେଖା ଭିତରେ ତାଙ୍କୁ ଆବଦ୍ଧ କରାଯାଇପାରିନି। ଯେବେ ସେ ଯେଉଁଠିକୁ ଯିବାକୁ ଚାହିଁଛନ୍ତି ସେଠି ପହଂଚିଛନ୍ତି। ସେଥିପାଇଁ ବଦଳିଛି ତାଙ୍କ ନାଁ, ବଦଳିଛି ପରିଚୟ, ଆଉ ବଦଳିଛି ରୀତିନୀତି। ତଥାପି ସେ ସେଇ ନିରୁତା ଜଗନ୍ନାଥ।

ଜଗନ୍ନାଥ, ଜଗଦୀଶ, ରଣଛୋଡରାୟ, ପତିତପାବନ, ମାଖନଚୋର.. ଏମିତି କିଛି ଭିନ୍ନ ଭିନ୍ନ ନାଁରେ ପରିଚିତ ମହାପ୍ରଭୁ। ତେବେ ତାଙ୍କ ମନ୍ଦିର ଜଗନ୍ନାଥ ନୁହେଁ ବରଂ ଜଗଦୀଶ ମନ୍ଦିର ଭାବେ ବେଶ ଜଣାଶୁଣା। ଗୁଜୁରାଟର ପ୍ରମୁଖ ନଗରୀ ଅହମ୍ମଦାବାଦରେ ରହିଛି ଏହି ଶ୍ରୀଜଗନ୍ନାଥ ମନ୍ଦିର। ଏଠାରେ ଶ୍ରୀଜିଉମାନଙ୍କ ଆବିର୍ଭାବ, ରଥଯାତ୍ରାର ପରଂପରା ପଛରେ ରହିଛି ଏକ କିମ୍ବଦନ୍ତୀ, କାହାଣୀ। କୁହାଯାଏ ଏଠାରେ ରଥଯାତ୍ରା ଅୟମାରମ୍ଭ ପଛରେ ଥିଲା ପୁରୀ ନୀଳାଚଳ କ୍ଷେତ୍ରର ଭୂମିକା। ୧୪୦ ବର୍ଷ ହେଲା ଏଠାରେ ଆୟୋଜିତ ହେଉଛି ରଥଯାତ୍ରା। ଅଧିକାଂଶ ସମୟରେ ଅହମ୍ମଦାବାଦର ରଥଯାତ୍ରା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ କେବେ କୌଣସି ବିଘ୍ନ ଘଟିନି ।

୪୫୦ ବର୍ଷ ତଳର କଥା। ସେତେବେଳେ ରାଜାମାନଙ୍କ ପରାମର୍ଶଦାତା ଥିଲେ ସାଧୁସନ୍ଥମାନେ। ଗୁଜୁରାଟର ସାବରମତୀ ନଦୀ କୂଳରେ ସନ୍ଥମାନଙ୍କୁ ନେଇ ପ୍ରତିଷ୍ଠା ହୋଇଥିଲା ଏକ ଆଶ୍ରମ। ଏହି ଆଶ୍ରମରେ ଆସ୍ଥାନ ଜମାଇଥିବା ସାଧୁମାନେ ଓଡିଶାରୁ ଆସିଥିଲେ। ଆଉ ସେମାନଙ୍କ ଆରାଧ୍ୟ ଥିଲେ ସ୍ୱୟଂ ଶ୍ରୀଜଗନ୍ନାଥ। ଅନେକ ବର୍ଷ ପରେ ସେହି ଆଶ୍ରମର ଗାଦିପତି ହେଲେ ସନ୍ନ୍ୟାସୀ ନରସିଂହ ଦାସଜୀ ମହାରାଜ। ସନ୍ନ୍ୟାସୀଙ୍କ ଇଚ୍ଛାହେଲା ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ। ତେଣୁ ସେ ଅହମ୍ମଦାବାଦରୁ ବାହାରି ପଡିଥିଲେ ଶ୍ରୀକ୍ଷେତ୍ର ଅଭିମୁଖେ। ତେବେ ପୁରୀରେ ପହଂଚିଲା ବେଳକୁ ରଥଯାତ୍ରା ସରିଯାଇଥାଏ। ମନ ଦୁଃଖରେ ସେ ପଡି ରହିଥିଲେ ଶ୍ରୀକ୍ଷେତ୍ରରେ। ଏଭଳି ୬ ମାସ ବିତି ଯାଇଥିଲା, ଦିନେ ହଠାତ୍ ସେ ସ୍ୱପ୍ନାଦେଶ ପାଇଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥ କହୁଛନ୍ତି, ସ୍ୱସ୍ଥାନକୁ ଫେରିଯାଇ ସେଠାରେ ରଥଯାତ୍ରା ଆୟୋଜନ କରିବାକୁ। ମନଖୁସିରେ ଫେରି ଆସିଲେ ସନ୍ନ୍ୟାସୀ ନରସିଂହ ଦାସଜୀ ମହାରାଜ। ତା’ପରେ ୧୮୭୮ ମସିହାରେ ଅହମ୍ମଦାବାଦରେ ଆରମ୍ଭ ହେଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ସବୁଠୁ ବଡକଥା ହେଲା, ଏଠାରେ ରଥଯାତ୍ରାରେ ସବୁ ବର୍ଗର ଲୋକଙ୍କୁ ସମାନ ଅଧିକାର ଦିଆଯାଇଛି। ପ୍ରଥମେ ଯେତେବେଳେ ରଥଯାତ୍ରା ଆରମ୍ଭ ହେଲା, ସେତେବେଳେ ସମାଜର ଗରିବ ତଥା ଦିନ ମଜୁରିଆ ଶ୍ରେଣୀର ଲୋକଙ୍କୁ ପ୍ରଥମେ ରଥ ଟାଣିବାର ସୁଯୋଗ ଦିଆଯାଇଥିଲା। ସେବେଠାରୁ ଜାରି ରହିଛି ଏହି ଧାରା।

ଶ୍ରୀମନ୍ଦିର ନୀତି ଅନୁସରଣରେ ଏଠାରେ ପାଳନ କରାଯାଏ ସମସ୍ତ ରୀତିନୀତି। ତେବେ ଏଠାରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ଅତ୍ୟନ୍ତ ଆକର୍ଷଣୀୟ। ଏକ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ହୁଏ ଉଭୟ ଯାତ୍ରା। ସ୍ନାନଯାତ୍ରା ଦିନ ମନ୍ଦିର ପରିଚାଳନା କରୁଥିବା ରାମାନନ୍ଦ ସଂପ୍ରଦାୟର ସାଧୁ ସନ୍ଥମାନେ ସାବରମତୀ ନଦୀକୁ ପୂଜା କରି ସେଠାରୁ ୧୦୮ କଳସ ଜଳ ସଂଗ୍ରହ କରିଥାନ୍ତି। ଅତି ସୁସଜ୍ଜିତ ୧୬ଟି ହାତୀଙ୍କ ପଟୁଆରରେ ଆସେ ଏହି ପୁଣ୍ୟଜଳ।

ସେହି ଜଳରେ ଶ୍ରୀଜିଉମାନଙ୍କୁ ସ୍ନାନ କରାଯାଏ। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉମାନଙ୍କ ସ୍ନାନ ପରେ ସେମାନେ ଅସୁସ୍ଥ ହୋଇଯାଆନ୍ତି। ତେବେ ଶ୍ରୀକ୍ଷେତ୍ର ଭଳି ଏଠାରେ ଅଣସର ପିଣ୍ଡିକୁ ଯାଆନ୍ତି ନାହିଁ ଠାକୁର। ସେମାନଙ୍କୁ ତାଙ୍କ ମାମୁ ଘରକୁ ପଠାଇ ଦିଆଯାଏ। ଏବଂ ଶେଷରେ ଆୟୋଜିତ ହୁଏ ନେତ୍ରୋତ୍ସବ। ଏହିଦିନ ଠାକୁରମାନଙ୍କ ଆଖିରେ ପଟି ବନ୍ଧାହୋଇ ରହିଥାଏ। ଏହାକୁ ଖୋଲିଲା ବେଳେ ମନ୍ଦିରରେ ଲାଗିଯାଇଥାଏ ଗହଳି। ନେତ୍ରୋତ୍ସବରେ ବହୁ ସଂଖ୍ୟାରେ ଭକ୍ତ ଓ ସାଧୁ ସନ୍ଥଙ୍କୁ ଭୁରି ଭୋଜନ ସହ ପ୍ରସାଦ ବଂଟନ କରାଯାଇଥାଏ।

ଏ ତ ଗଲା ଦେବସ୍ନାନ କଥା। ରଥଯାତ୍ରା ଦିନର ମନୋରମ ଦୃଶ୍ୟ ଦେଖିଲେ, ଯେ କେହି ବି ସ୍ୱତଃପ୍ରବୃତ ଭାବେ ଏଥିରେ ସାମିଲ ହୋଇଯିବ। ଅହମ୍ମଦାବାଦର ଜମାଲପୁର ଅଂଚଳରେ ଥିବା ଜଗଦୀଶ ମନ୍ଦିରରୁ ରଥଯାତ୍ରା ବାହାରିଲା ବେଳକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇ ଯାଇଥାଏ। ପ୍ରଥମେ ମନ୍ଦିରରେ ସାଧୁସନ୍ଥଙ୍କ ଗହଣରେ ହୁଏ ତିନିଠାକୁରଙ୍କ ଆରତୀ। ତା ପରେ ମହନ୍ତ ମହାରାଜ ଖେଚୁଡି ଓ ଦହି ନୈବେଦ୍ୟ ଭାବେ ଠାକୁରଙ୍କୁ ଅର୍ପଣ କରିଥାନ୍ତି। ତା ପରେ ଆରମ୍ଭ ହୁଏ ରଥଯାତ୍ରା। ବିଶେଷତଃ ଗୁଜରାଟ ମୁଖ୍ୟମନ୍ତ୍ରୀ ସୁନାଖଡିକାରେ ରଥରେ ଛେରାପହଁରା କରିଥାନ୍ତି।  ଜୟ ଜଗନ୍ନାଥ, ଜୟ ଜଗଦୀଶ, ଜୟ ରଣଛୋଡରାୟ, ଜୟ ମାଖନଚୋର, ହାତୀ ଘୋଡା ପାଲକି, ଜୟ କହ୍ନେୟା ଲାଲ କୀ .. ଭଳି ଜୟଜୟକାର ସହିତ ଆରମ୍ଭ ହୁଏ ରଥଟଣା।

ଅହମ୍ମଦାବାଦ ରଥଯାତ୍ରାର ବିଶେଷ ଆକର୍ଷଣ ହେଲା, ଏଠାରେ ରଥ ସହିତ ବାହାରୁଥିବା ପଟୁଆର। ୧୬ଟି ସୁସଜ୍ଜିତ ହାତୀ, ୫୦ ସରିକି ଭଜନମଣ୍ଡଳୀ, ଶତାଧିକ ସୁସଜ୍ଜିତ ଟ୍ରକ୍, ୩୦ରୁ ଅଧିକ ଆଖଡା ଦଳ ଏହି ପଟୁଆରରେ ସାମିଲ ହୁଅନ୍ତି। ଆଖଡା ଦଳର ସଦସ୍ୟମାନେ ରଥପଥରେ ବିଭିନ୍ନ ସାମରିକ କଳାକୌଶଳ ପ୍ରଦର୍ଶନ କରିଥାନ୍ତି। ଏହା ବ୍ୟତୀତ ବହୁ ସଂଖ୍ୟାରେ କଳାକାର ବିଭିନ୍ନ ଦେବଦେବୀଙ୍କ ରୂପରେ ଚିତ୍ରିତ ହୋଇ ରଥ ସମ୍ମୁଖରେ ଶୋଭାଯାତ୍ରା କରନ୍ତି। କେବଳ ସେତିକି ନୁହେଁ ଅହମ୍ମଦାବାଦରେ ସାଂପ୍ରଦାୟିକ ସଂପ୍ରୀତି ବଜାୟ ରଖିବା ପାଇଁ ସ୍ଥାନୀୟ ତାଜିଆ କମିଟି ମଧ୍ୟ ରଥଯାତ୍ରାରେ ସାମିଲ ହୁଅନ୍ତି। ଏହି ରଥଯାତ୍ରାର ଅନ୍ୟତମ ବିଶେଷତ୍ୱ ହେଉଛି, ଏଠାକାର ସୁଦୀର୍ଘ ରଥପଥ। ପ୍ରାୟ ୨୨ କିଲୋମିଟର ରଥପଥକୁ ଗୋଟିଏ ଦିନରେ ଅତିକ୍ରମ କରନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ତାପରେ ସ୍ୱସ୍ଥାନକୁ ଫେରିଆସନ୍ତି।

ଶତାଧିକ ବର୍ଷ ଧରି ଅହମ୍ମଦାବାଦରେ ଆୟୋଜିତ ରଥଯାତ୍ରା ପ୍ରତିବର୍ଷ ଶ୍ରୀକ୍ଷେତ୍ରର ସ୍ମୃତିକୁ ରୋମନ୍ଥନ କରେ। ଶ୍ରୀକ୍ଷେତ୍ରରେ ନବଦିନାତ୍ମକ ଯାତ୍ରା ଅନୁଷ୍ଠିତ ହେଉଥିଲା ବେଳେ ଅହମ୍ମଦାବାଦରେ କିନ୍ତୁ ଗୋଟିଏ ଦିନରେ ହିଁ ରଥଯାତ୍ରା ସମାପନ ହୁଏ।

(ଲେଖକ ଜଣେ ଗଣମାଧ୍ୟମ ବ୍ୟକ୍ତିତ୍ୱ ଏବଂ ସଂପ୍ରତି ଏକ ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟରେ ଅଧ୍ୟାପନାରତ)

LEAVE A REPLY

Please enter your comment!
Please enter your name here