ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ଦେବୀପକ୍ଷରେ ଯେତେବେଳେ ପୂରାଦେଶ ନବରାତ୍ରୀ ପାଳନ କରେ, ସେତେବେଳେ ଦୁନିଆର ସବୁଝିଅ ଦେବୀ ଭଳି ପ୍ରତୀୟମାନ ହୁଅନ୍ତି। ସେ ବିଶ୍ୱାସ ହେଉ ବା ପରମ୍ପରା ଅଥବା କିଛି ଅଘଟଣ ଘଟିବାର ଭୟ, ମହାଷ୍ଟମୀ ଓ ମହାନବମୀ ତିଥିରେ କୁଆଁରୀ କନ୍ୟାମାନଙ୍କୁ ଆମେ ପୂଜା କରୁ। ସେମାନଙ୍କ ପାଦ ଧୋଇ, ନୂଆ ବସ୍ତ୍ର ପିନ୍ଧାଇ, ଦେବୀ ଭଳି ଅତି ସୁନ୍ଦର ଭାବେ ସଜାଇ, ସୁସଜ୍ଜିତ ଆସନରେ ବସାଇ, ସେମାନଙ୍କ ଚରଣବନ୍ଦନା କରୁ ଏବଂ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା ବି କରୁ। କିନ୍ତୁ ସେହି ଝିଅ ଯେତେବେଳେ ଆମ ଘରେ ଆମ ସ୍ତ୍ରୀ, ଭଉଣୀ ବା ସମ୍ପର୍କୀୟାଙ୍କ ଗର୍ଭରେ ସ୍ଥାନ ପାଇଛି ବୋଲି ଜାଣୁ, ତାକୁ ଯେନତେନ ପ୍ରକାରେଣ ନଷ୍ଟ କରିବାକୁ ଅଗ୍ରସର ହେଉ। ଗର୍ଭାବସ୍ଥାରେ ଭ୍ରୂଣର ଲିଙ୍ଗ ନିରୂପଣ କରିବା ଆଇନଗତ ଭାବେ ନିଷେଧ ଏବଂ ଦଣ୍ଡନୀୟ ବୋଲି ଜାଣିବା ସତ୍ତ୍ୱେ ଆମେ ବିଭିନ୍ନ ଉପାୟ ଅବଲମ୍ବନ କରି ସେହି କନ୍ୟାଭ୍ରୂଣକୁ ହତ୍ୟା କରୁ। ଝିଅଟିଏ ମା’ ପେଟରୁ ଆସି ଦୁନିଆର ଆଲୋକ ଦେଖିବା ଆଗରୁ ହିଁ ଆମେ ତାର ତଣ୍ଟି ଚିପିଦେଉ।

ଗୋଟିଏ ପଟେ ଝିଅକୁ ଦେବୀ ରୂପରେ ପୂଜା କରିବା ଏବଂ ଅନ୍ୟପଟେ ମା’ ଗର୍ଭରେ ଝିଅ ଅଛି ବୋଲି ଜାଣିବା ପରେ ତା’କୁ ହତ୍ୟା କରିବା.. ଏଭଳି ବିରୋଧାଭାଷ କ’ଣ ପାଇଁ? ଯୌତୁକ ଜନିତ ସମସ୍ୟା, ସାମାଜିକ ସମସ୍ୟା, ମହିଳା ବିରୋଧୀ ହିଂସା, ସମାଜରେ ବଢ଼ି ଚାଲିଥିବା ବ୍ୟଭିଚାର, ଏମିତି ଅନେକ କାରଣ ଦର୍ଶାଇ ଲୋକମାନେ କନ୍ୟାଭ୍ରୂଣ ହତ୍ୟା କରୁଛନ୍ତି। କିନ୍ତୁ ମହିଳା ବିରୋଧୀ ହିଂସାରେ ଯେ, ସେହି ପରିବାର, ସମାଜ ବା ରାଷ୍ଟ୍ରର ପୁରୁଷମାନେ ସମ୍ପୃକ୍ତ, ସେ କଥା ଭୁଲିଯାଆନ୍ତି ସମସ୍ତେ। ପୁରୁଷଙ୍କୁ ସଚେତନ, ସମ୍ବେଦନ ଏବଂ ସଜାଗ କରିବା ପରିବର୍ତ୍ତେ, ଆମେ ଦୁନିଆ ଦେଖିନଥିବା ଏକ ଗର୍ଭସ୍ଥ ଭ୍ରୂଣକୁ ସେହି ଅନ୍ଧାର ଭିତରେ ହିଁ ଶେଷ କରିଦିଅନ୍ତି।

ଗତ ଦୁଇ ଦଶନ୍ଧି ଭିତରେ ଦେଶର ବିଭିନ୍ନ ରାଜ୍ୟର ଜନସଂଖ୍ୟାରେ ଲିଙ୍ଗ ଅନୁପାତ ଅହେତୁକ ଭାବେ କମିବାରେ ଲାଗିଥିଲା। ଆଉ ଏହାରି ପଛରେ କାମ କରୁଥିଲା ଏକ ବଡ଼ ଧରଣର ରାକେଟ୍। ବିଶେଷ କରି କେତେକ ଘରୋଇ ଡାକ୍ତରଖାନା, ନର୍ସିଂହୋମ୍, ବୁଲା ଡାକ୍ତର, ଅସାଧୁ ସ୍ୱାସ୍ଥ୍ୟକର୍ମୀଙ୍କ କାରଣରୁ ଗର୍ଭାବସ୍ଥାରେ ଭ୍ରୂଣର ଲିଙ୍ଗ ନିରୂପଣ ଏବଂ ଲିଙ୍ଗ ଚିହ୍ନଟ ପରେ ଝିଅ ଥିଲେ ଗର୍ଭପାତ ଦ୍ୱାରା ଗର୍ଭସ୍ଥ ଭ୍ରୂଣର ହତ୍ୟା ଘଟଣା ହୁ ହୁ ହୋଇ ବଢ଼ି ଚାଲିଥିଲା। ଏହି ରୋଗଟି ଓଡ଼ିଶାକୁ ବି ତା’ର ଅକ୍ତିଆରକୁ ନେଇ ସାରିଥିଲା। ୨୦୦୭ ମସିହା ଜୁଲାଇ ୧୪ ତାରିଖ। ନୟାଗଡ଼ ସହର ବା ଜିଲ୍ଲ ସଦର ମହକୁମା ଉପକଣ୍ଠରେ ଥିବା ପାହାଡ଼ ପାଦ ଦେଶରେ ଠାବ ହେଲା ପାଞ୍ଚ ପାଞ୍ଚଟି କନ୍ୟାଭ୍ରୂଣର ଅବଶେଷାଂଶ।

ପ୍ରାରମ୍ଭିକ ଅନୁମାନ କରାଗଲା ଯେ, ହୁଏତ ବେଆଇନ ଭାବେ ଗର୍ଭପାତ କରାଇ କୌଣସି ଡାକ୍ତରଖାନା ଏହି ସବୁ ଭ୍ରୂଣକୁ ଏଠାରେ ଫିଙ୍ଗି ଦେଇଛନ୍ତି। ତେବେ ଏହି ଘଟଣା ପରେ ଖବରଟି ପୂରା ସହରରେ ହଇଚଇ ସୃଷ୍ଟି କରିଦେଲା। ସଙ୍ଗେ ସଙ୍ଗେ ଲୋକମାନେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଦେଲେ। ଏହି ଖବରଟି ପ୍ରଥମେ ଈଟିଭିର ତତ୍କାଳୀନ ନୟାଗଡ଼ ପ୍ରତିନିଧି ନିଶିକାନ୍ତ ରଥ ସଂଗ୍ରହ କରିବା ସହ ନ୍ୟୁଜ୍ ଡେସ୍କକୁ ପଠାଇଦେଇଥିଲେ। ସେଦିନ ସନ୍ଧ୍ୟା ୭ଟା ଆମରି ଓଡ଼ିଶା ବୁଲେଟିନରେ ଖବରଟି ଶିରୋନାମା ପାଲଟିଗଲା। ଏହି ପୂରା ଘଟଣାର ଭିଜୁଆଲ ଈଟିଭି ପାଖରେ ଥିଲା। ଅନ୍ୟମାନେ ଗୋଟିଏ ଦୁଇଟି ଷ୍ଟିଲ୍ ଫଟୋଗ୍ରାଫରେ କାମ ଚଳାଇ ଦେଇଥିଲେ।

ତେବେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି, ଈଟିଭି ପ୍ରତିନିଧି ନିଶିକାନ୍ତ ରଥ, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାରେ ଲାଗି ପଡ଼ିଲେ। ଲକ୍ଷ୍ୟ ଥିଲା, ଯଦି ଏହା ଏକ ରାକେଟ୍, ତାହେଲେ ତା’ର ଚେର କେଉଁଠି ଅଛି, ତାକୁ ଠାବ କରିବା। ଅନୁସନ୍ଧାନରୁ ସେ ଜାଣିପାରିଲେ ଯେ, ନୟାଗଡ଼ ସହର ଉପକଣ୍ଠରେ ଏକ ପରିତ୍ୟକ୍ତ ସିମେଣ୍ଟ ଟାଙ୍କି ରହିଛି। ଆଉ ଏହାକୁ ଏକ ଘରୋଇ ଡାକ୍ତରଖାନା ତା’ର ଜୈବ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ୟବହାର କରୁଛି। ମୂଳତଃ ବେଆଇନ ଭାବେ ବିଭିନ୍ନ ମହିଳା ଏବଂ ଯୁବତୀଙ୍କୁ ଗର୍ଭପାତ କରାଇବା ପରେ ସବୁ ଭ୍ରୂଣ ଏବଂ ଏହାର ଜୈବାଂଶକୁ ସେଠାରେ ଫିଙ୍ଗା ଯାଉଛି। ଏଭଳି ଏକ ଅନୈତିକ କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲୁରହିଛି। ଆଉ ବିଳମ୍ବ ନକରି ଏହି ନୟାଗଡ଼ ଏସ୍.ପି. (ଆରକ୍ଷୀ ଅଧୀକ୍ଷକ)ଙ୍କୁ ଏହା ବିଷୟରେ ତଥ୍ୟ ଦେଇଥିଲେ ନିଶିକାନ୍ତ। ଏହି ସୂଚନା ପାଇବା କ୍ଷଣି, ଜିଲ୍ଲା ଏସପି ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେଲେ ତୁରନ୍ତ ସେହି ପରିତ୍ୟକ୍ତ ଟାଙ୍କିକୁ ଭାଙ୍ଗି ଦେଖିବା ପାଇଁ। ଆମ ସନ୍ଦେହ ମୁତାବକ, ସେହି ଟାଙ୍କି ଭିତରୁ ଶହ ଶହ ସଂଖ୍ୟାରେ ପରିତ୍ୟକ୍ତ କନ୍ୟାଭ୍ରୁଣ ଏବଂ ବିଭିନ୍ନ ଅଜନ୍ମା ଶିଶୁଙ୍କ ଦେହାବଶେଷ ଦେଖିବାକୁ ମିଳିଲା।

ଈଟିଭିରେ ଏମିତି ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ, ସାରା ନୟାଗଡ଼ ଜିଲ୍ଲା କେବଳ ନୁହେଁ, ପୂରା ରାଜ୍ୟବାସୀ ସ୍ତବ୍ଧ ହୋଇଯାଇଥିଲେ। ଈଟିଭିରେ ଏ ସମ୍ପର୍କିତ ଖବର ଏକ ସିରିଜ୍ ଭାବେ ପ୍ରସାରିତ ହେବା ପରେ, ଏହା ଧୀରେ ଧୀରେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ଏପରିକି ଦୀର୍ଘଦିନ ଯାଏଁ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହି ଖବର ପ୍ରକାଶନ ଓ ପ୍ରସାରଣ କରିଥିଲେ। ଏହି ଖବରର ପ୍ରଭାବ ସ୍ୱରୂପ, ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ ରାଜ୍ୟ ସରକାର। କ୍ରାଇମବ୍ରାଞ୍ଚ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଥିଲା। ଦୁଇ ଜଣ ଡାକ୍ତର ଭୟରେ କେଉଁଆଡ଼େ ଫେରାର ହୋଇଯାଇଥିଲେ। ସହରର ସମସ୍ତ ଘରୋଇ ନର୍ସିଂହୋମ୍ ଏବଂ ଅଲଟ୍ରାସାଉଣ୍ଡ କ୍ଲିନିକ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ୍ କରାଯାଇଥିଲା। ଏହା ସହ ବିଭିନ୍ନ ନର୍ସିଂହୋମ୍ ଉପରେ ଚଢ଼ାଉ କରି ତଦନ୍ତ କରିବାକୁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ।

ତତ୍କାଳୀନ ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଏହା ବ୍ୟତୀତ ଜାତୀୟ ମହିଳା କମିଶନଙ୍କ ଏକ ଟିମ୍ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ପ୍ରତିନିଧିମାନେ ସେତେବେଳେ ଧାଡ଼ି ଲମ୍ବାଇଥିଲେ ନୟାଗଡ଼କୁ। ଈଟିଭିରେ ଏହି ଖବରର ପ୍ରସାରଣ ଏକ ବଡ଼ ଧରଣର ପ୍ରଭାବ ପକାଇଥିଲା ସମସ୍ତଙ୍କ ଉପରେ। ତେବେ ଏହା କେବଳ ଓଡ଼ିଶାର ଭୌଗୋଳିକ ସୀମାରେଖା ଭିତରେ ସୀମିତ ନଥିଲା। ଈଟିଭିର ବିଶାଳ ନେଟୱର୍କରେ ଏହି ଖବର ବାରମ୍ବାର ପ୍ରସାରିତ ହେବା ପରେ ପୂରା ଦେଶର ଜନସାଧାରଣ ଘଟଣାକୁ ନିନ୍ଦା କରିବା ସହ ଏ ଦିଗରେ ଥିବା ଆଇନକୁ ଅଧିକ କ୍ରିୟାଶୀଳ କରାଇବା ପାଇଁ ଦାବି କରିଥିଲେ।

ଏହି ଖବର ପ୍ରସାରଣ ପରେ ଈଟିଭି ନ୍ୟୁଜ୍ ଡେସ୍କରେ ଏକ ଭିନ୍ନ ଉଦ୍ଦୀପନା ସୃଷ୍ଟି ହୋଇଥିଲା। ଈଟିଭି ନେଟୱର୍କ ଏହି ଷ୍ଟୋରିକୁ ସେ ମାସର ଶ୍ରେଷ୍ଠ ଷ୍ଟୋରି କ୍ୟାଟାଗୋରିରେ ସ୍ଥାନୀତ କରାଇବା ସହିତ, ପୂରା ଈଟିଭି ଟିମକୁ ଅଭିନନ୍ଦନ ଜଣାଇଥିଲେ। ଏହି ଷ୍ଟୋରି ପ୍ରଶାସନ, ସାଧାରଣ ନାଗରିକ, ନୟାଗଡ଼ ଜିଲ୍ଲା ଓ ସହରବାସୀ ସମସ୍ତଙ୍କୁ ଗଭୀର ଭାବେ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲା।

 (ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #Nayagarh #FoeticideScandal #DrFakirMohanNahak #Television #ETvOdia #Reporting

Comment