ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ଆଖିରେ ଅନ୍ଧପୁଟୁଳି ବାନ୍ଧି, ହାତରେ ନ୍ୟାୟର ନିକିତି ଧରି, ଭାରତର ପ୍ରତିଟି ଅଦାଲତର କୋଠରୀ ଭିତରେ କୌଣସି ଏକ କୋଣରେ ନିରବରେ ଠିଆ ହୋଇଥିବା ନ୍ୟାୟଦେବୀଙ୍କ ନ୍ୟାୟଶାସ୍ତ୍ର କହୁଛି, ହଜାରେ ଦୋଷୀ ପଛେ ଖସି ଯାଆନ୍ତୁ, କିନ୍ତୁ ଜଣେ ନିର୍ଦ୍ଦୋଷ କେବେ ବି ଦଣ୍ଡ ନପାଉ। କିନ୍ତୁ ଏହି ଆପ୍ତବାକ୍ୟରେ ବେଳେ ବେଳେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ପ୍ରାଶାସନିକ ଅବହେଳା, ଅଣଦେଖା ହେଉ ବା ବିଚାରବିଭାଗର ଦାୟିତ୍ୱହୀନତା, ସମ୍ପୂର୍ଣ୍ଣ ନିରୀହ ଏବଂ ନିର୍ଦ୍ଦୋଷ ବ୍ୟକ୍ତି ଅନାୟାସରେ ଦଣ୍ଡିତ ହେଉଛନ୍ତି ଏବଂ କାରାଗାରରେ ବନ୍ଦୀ ଭାବେ ଜୀବନ ଅତିବାହିତ କରୁଛନ୍ତି।

କେହି କେହି ଜୀବନ ତମାମ ଏମିତି ଜେଲ୍ ଭିତରେ ରହି ସେମାନଙ୍କ ଜୀବନ ସରିଯାଉଛି ସିନା, ହେଲେ ସେମାନେ କେବେ ବନ୍ଦୀଶାଳାର ବାହାରେ ଥିବା ଦୁନିଆକୁ ଆଉ ଫେରି ପାରୁନାହାନ୍ତି। ଏମିତି ନିର୍ଦ୍ଦୋଷରେ ଦଣ୍ଡ ପାଉଥିବା ଲୋକମାନଙ୍କୁ ଚିହ୍ନଟ କରି, ସେମାନଙ୍କୁ ନ୍ୟାୟିକ ସହାୟତା ଦେବା ଦିଗରେ ବି କ୍ୱଚିତ୍ କାଁ ଭାଁ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। 

ତେବେ ଭାବନ୍ତୁ ତ, ଜଣେ ବ୍ୟକ୍ତି ଅଦାଲତଙ୍କ ଦ୍ୱାରା ନିର୍ଦ୍ଦୋଷ ବୋଲି ଘୋଷିତ ହୋଇ ସାରିବା ପରେ ବି ବର୍ଷ ବର୍ଷ ଧରି କାରାଗାରର କଳା କୋଠରୀ ଭିତରେ ବନ୍ଦୀ ହୋଇ ରହିବା କେତେ ଦୁଃଖଦ? ହଁ .. ଏମିତି ହିଁ ଏକ ଘଟଣା ଘଟିଥିଲା ବୌଦ୍ଧ ଜିଲ୍ଲାରେ। ଅଦାଲତଙ୍କ ଦ୍ୱାରା ନିର୍ଦ୍ଦୋଷ ବୋଲି ଘୋଷିତ ହୋଇ ଦଣ୍ଡମୁକ୍ତ ହେବାର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଜେଲରେ ବନ୍ଦୀ ହୋଇ ରହିଥିଲେ ବୌଦ୍ଧର ନିରୀହ ଯୁବକ ପ୍ରତାପ ନାୟକ। ଏହି ଘଟଣାକୁ ବିଚାରବିଭାଗୀୟ ଅନ୍ୟାୟ ଭାବେ ବିଚାର କରି ମାନ୍ୟବର ଓଡ଼ିଶା ହାଇକୋର୍ଟ ପ୍ରତାପଙ୍କ ଭରଣପୋଷଣ ଏବଂ ଭବିଷ୍ୟନିଧି ପାଇଁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିନା ଦୋଷରେ ପ୍ରତାପ ଜେଲରେ ଦଣ୍ଡ ଭୋଗୁଥିବା କଥା ଜାଣିବା ପରେ ୨୦୦୫ ମସିହାରୁ ଈଟିଭି ଓଡ଼ିଆ ନିୟମିତ ଭାବେ ଏକ ସିରିଜ୍ ପ୍ରସାରଣ କରିଥିଲା।

ଘଟଣାଟି ଥିଲା କିଛି ଏମିତି । ୧୯୮୯ ମସିହାରେ ଅଷ୍ଟମ ଶ୍ରେଣୀରେ ପଢୁଥାନ୍ତି ପ୍ରତାପ। ଜଣେ ତେର ଚଉଦ ବର୍ଷର ତରୁଣ। ଗାଁରେ ଜମିଜମା ବିବାଦକୁ ନେଇ ସଂଘଟିତ ଏକ ହତ୍ୟା ମାମଲାରେ ଅନ୍ୟ ୫ ଜଣଙ୍କ ସହିତ ପ୍ରତାପଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଫୁଲବାଣୀ ପୋଲିସ। ମାମଲାର ଶୁଣାଣୀ କରି ଫୁଲବାଣୀ ଜିଲ୍ଲା ଓ ଦୌରାଜଜ୍ ରାୟ ପ୍ରକାଶ କରିଥିଲେ। ଏଥିରେ ଅନ୍ୟ ୫ ଜଣଙ୍କୁ କୋର୍ଟ ଦୋଷମୁକ୍ତ ଘୋଷଣା କରିବା ସହିତ ପ୍ରତାପଙ୍କୁ ଶୁଣାଇଥିଲେ ଆଜୀବନ କାରାଦଣ୍ଡାଦେଶ। ତେବେ ପ୍ରତାପ ନାବାଳକ ଥିବାରୁ ତାଙ୍କ ମାମଲାର ବିଚାର ଜୁଭେନାଇଲ କୋର୍ଟରେ ହେବା କଥା। କିନ୍ତୁ ପୋଲିସ ତାଙ୍କ ବୟସ ଅଧିକ ଦର୍ଶାଇଥିବାରୁ କୋର୍ଟ ପ୍ରତାପଙ୍କୁ ସେ ଅନୁସାରେ ଦଣ୍ଡବିଧାନ କରିଥିଲେ।

କିନ୍ତୁ ଯେ କୌଣସି ପ୍ରକାରେ ପ୍ରତାପଙ୍କ ପରିବାର ତଳ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୩୧ ଅକ୍ଟୋବର ୧୯୯୪ ମସିହାରେ ହାଇକୋର୍ଟ ଦେଲେ ଚୂଡ଼ାନ୍ତ ରାୟ। ଏଥିରେ ପ୍ରତାପଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିବା ସହ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ହାଇକୋର୍ଟ। କିନ୍ତୁ ବିଡ଼ମ୍ୱନାର ବିଷୟ ହେଉଛି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରତାପ ବନ୍ଦୀ ଥିବା ଜେଲ୍ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଲାଗି ଯାଇଥିଲା ପ୍ରାୟ ସାଢ଼େ ୮ ବର୍ଷ ସମୟ। ଏହା ହିଁ ଦର୍ଶାଉଥିଲା, କେତେ ଅବ୍ୟବସ୍ଥା ଭିତରେ ଚାଲିଛି ଆମ ବିଚାରବିଭାଗୀୟ ପ୍ରାଶାସନିକ ବ୍ୟବସ୍ଥା। ପରବର୍ତ୍ତୀ ସମୟରେ ହୋଇଥିବା ତଦନ୍ତ ବେଳେ ବିଚାରବିଭାଗର ନାଲିଫିତା ତଳେ କେଉଁଠି ହଜି ଯାଇଥିଲା ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏପରିକି ପ୍ରତାପଙ୍କ ପାଇଁ ମାମଲା ଲଢୁଥିବା ଅଧିବକ୍ତା ବି ଏ ସମ୍ପର୍କରେ ପ୍ରତାପଙ୍କ ବାପା ମା’ଙ୍କୁ ଜଣାଇବାକୁ ଉଚିତ ମନେ କରିନଥିଲେ ବା ପ୍ରତାପଙ୍କୁ ନ୍ୟାୟ ମିଳିବା ବାବଦରେ କିଛି ଜଣାଇ ନଥିଲେ।

ତେବେ ପ୍ରତାପଙ୍କୁ ଜେଲ ଦଣ୍ଡ ହେବାର ପ୍ରାୟ ୧୨ ବର୍ଷ ପରେ ଏବଂ ସଂଘଟିତ ହତ୍ୟାକାଣ୍ଡର ପ୍ରାୟ ୧୪ ବର୍ଷ ପରେ ପ୍ରତାପଙ୍କ ନିରୀହ ବାପା ମା’ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଇଥିଲେ ପୁଅର ମୁକ୍ତି ପାଇଁ। ସେମାନେ ଭାବିଥିଲେ ଯେ, ୧୪ ବର୍ଷ ପୂରିଗଲାଣି ମାନେ, ପୁଅର ଯାବଜ୍ଜୀବନ କାରାଦଣ୍ଡ ଖତମ ହୋଇସାରିଲାଣି। ଏଣିକି ପୁଅକୁ ଜେଲରୁ ମୁକ୍ତ କରିବାରେ କୌଣସି ସମସ୍ୟା ରହିବ ନାହିଁ। ତେବେ ଯେତେବେଳେ ଏମାନେ ଜେଲର ଦ୍ୱାରସ୍ଥ ହେଲେ, ସେତେବେଳେ ବିଚାର ବ୍ୟବସ୍ଥା ଜାଣିପାରିଲା ଯେ, କେତେବଡ଼ ଏକ ଭୁଲ୍ ହୋଇଛି। ତୁରନ୍ତ ପ୍ରତାପଙ୍କୁ ଜେଲରୁ ମିଳିଥିଲା ମୁକ୍ତି । କିନ୍ତୁ ସେତେବେଳକୁ ତରୁଣ ପ୍ରତାପ ନିଜ ଜୀବନର ବହୁ ମୂଲ୍ୟବାନ ୧୪ ବର୍ଷ ଜେଲର ଚାରିକାନ୍ଥ ଭିତରେ ହଜାଇ ସାରିଥିଲେ।

ଦୀର୍ଘଦିନ ଜେଲରେ ରହିବା ଫଳରେ ମାନସିକ ଏବଂ ଶାରୀରିକ ଭାବେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ ପ୍ରତାପ। ଦୀର୍ଘ ଦିନର ବନ୍ଦୀ ଜୀବନ ପାଇଁ ମନୋବିକାରର ଶିକାର ହୋଇଥିଲେ ପ୍ରତାପ। ଏପରିକି ଜେଲରୁ ମୁକୁଳିବା ପରେ ବି ସେହି ୨୫ ବର୍ଷର ଯୁବକ ସମ୍ପୂର୍ଣ୍ଣ ରୂପେ ନିଜ ବୃଦ୍ଧ ବାପା ମା’ଙ୍କ ଉପରେ ନିର୍ଭରଶୀଳ ହୋଇପଡ଼ିଥିଲେ। ମନେ ହେଉଥିଲା ସତେ ଯେମିତି ସେ ହରାଇ ସାରିଛନ୍ତି ନିଜ ଜୀବନର ସମସ୍ତ ଆଶା, ଆକାଂକ୍ଷା ଏବଂ ଉଦ୍ଦୀପନା।

ପ୍ରତାପଙ୍କ ପ୍ରତି ହୋଇଥିବା ଏହି ଅନ୍ୟାୟକୁ ଏକ ନୂଆ ମାମଲା ରୂପରେ ପ୍ରସ୍ତୁତ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମାନବାଧିକାର ପାଇଁ ଲଢୁଥିବା ଯୁବ ଆଇନଜୀବୀ ପ୍ରବୀର ଦାଶ। ପ୍ରତାପଙ୍କୁ କ୍ଷତିପୂରଣ ପ୍ରଦାନ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବା ଯାଏଁ ସେ ଏହି ମାମଲାକୁ ଛାଡ଼ି ନଥିଲେ। କହିବାକୁ ଗଲେ ଈଟିଭି ଓଡ଼ିଆ ଏବଂ ପ୍ରବୀର ଦାଶ ଏକାଠି ଲଢୁଥିଲେ ପ୍ରତାପଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ।  ଏହି ମାମଲାରେ ଈଟିଭିର ତତ୍କାଳୀନ ବୌଦ୍ଧ ପ୍ରତିନିଧି ସଞ୍ଜୟ କୁମାର ଜେନା ଏବଂ କଟକରୁ ତପନ କୁମାର ସ୍ୱାଇଁ ନିୟମିତ ଭାବେ ଖବର ପ୍ରସ୍ତୁତ କରୁଥିଲେ। ଈଟିଭିର ନିରନ୍ତର ପ୍ରୟାସ ପରେ ଯେତେବେଳେ ପ୍ରତାପଙ୍କୁ କ୍ଷତିପୂରଣ ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଲେ, ସେତେବେଳେ ମନେ ହେଲା ସତେ ଯେମିତି ତୃଣମୂଳ ସ୍ତରର ସାଧାରଣ ଲୋକଙ୍କ ମୁଖପାତ୍ର ହେବାରେ ଯେଉଁ ଆନନ୍ଦ ଅଛି, ତାହା ଅନ୍ୟ କେଉଁଠି ନାହିଁ। ଈଟିଭି ଟିମ୍ ପ୍ରମାଣିତ କରୁଥିଲା ଯେ, ସାମ୍ବାଦିକତା କେବଳ ଏକ ପେସା ନୁହେଁ, ଏହା ଏକ ପ୍ରଚଣ୍ଡ ନିଶା ଏବଂ ଏକ ଅନ୍ତହୀନ ଅଭିଯାନ।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags:  #DrFakirMohanNahak #Television #ETvOdia #Reporting #InnocentPrisoner #Justice

Comment