ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ଈଟିଭି ଓଡ଼ିଆର ପ୍ରସାରଣ ଆରମ୍ଭ ସହିତ ଟେଲିଭିଜନ ରିପୋର୍ଟିଂ କ୍ଷେତ୍ରରେ ଆରମ୍ଭ ହୋଇଥିଲା ଗୋଟିଏ ନୂଆ ଯୁଗ। ପ୍ରଥମ ଥର ପାଇଁ ଗୋଟିଏ ଟେଲିଭିଜନ ଚାନେଲରେ ରାଜ୍ୟର ପ୍ରତି ଜିଲ୍ଲାରେ ରିପୋର୍ଟର ନିଯୁକ୍ତ କରାଯିବା ସହ ବିଭିନ୍ନ ପ୍ରମୁଖ ସ୍ଥାନରେ ପ୍ରତିଷ୍ଠା କରିଥିଲା ବ୍ୟୁରୋ। ସମ୍ପୃକ୍ତ ବ୍ୟୁରୋରେ ଜଣେ ଜଣେ ବ୍ୟୁରୋ ମୁଖ୍ୟ ରିପୋର୍ଟରଙ୍କ ସହିତ ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ଏବଂ ଜଣେ ଟୁଏମବି ଟେକ୍ନିସିଆନ୍ ନିଯୁକ୍ତ ହୋଇଥିଲେ। ବ୍ୟୁରୋ ମୁଖ୍ୟମାନେ ଟୁଏମବି ସେଣ୍ଟର ସମ୍ଭାଳିବା ସହିତ, ସେହି ସମୟରେ ସେମାନଙ୍କ ଆଖପାଖରେ ଥିବା ଜିଲ୍ଲା ରିପୋର୍ଟରମାନଙ୍କ ଷ୍ଟୋରିର ଭିଜୁଆଲ ଓ ବାଇଟ୍ ହାଇଦ୍ରାବାଦର ନ୍ୟୁଜ୍ ଷ୍ଟେସନକୁ ପଠାଇବା ବ୍ୟବସ୍ଥା କରୁଥିଲେ। ଏହି କ୍ରମରେ ଜୟପୁର, ସମ୍ବଲପୁର, ବଲାଙ୍ଗୀର, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, କଟକ ଏବଂ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିଲା ଈଟିଭିର ବ୍ୟୁରୋ। ଏ ସମସ୍ତ ବ୍ୟୁରୋକୁ ନିୟନ୍ତ୍ରଣ କରୁଥାଏ ଭୁବନେଶ୍ୱରରେ ଥିବା ରାଜ୍ୟସ୍ତରୀୟ ମୁଖ୍ୟ ବ୍ୟୁରୋ।

ଯଦି କଦବା କେମିତି ଓଡ଼ିଶା କିମ୍ବା ଓଡ଼ିଆଙ୍କ ରୁଚି ଏବଂ ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟ ବାହାରକୁ ଯାଇ ରିପୋର୍ଟିଂ କରିବା ଆବଶ୍ୟକତା ପଡ଼ିଥିଲା, ସେ କ୍ଷେତ୍ରରେ ଦୁଇ ପାଦ ଆଗକୁ ଯାଇ ଏକ ଧାରା ବା ପରମ୍ପରା ସୃଷ୍ଟି କରିଥିଲା ଈଟିଭି। ୨୦୦୨ ଡିସେମ୍ବର ୧୩ରୁ ୨୨ ତାରିଖ ଯାଏଁ ହାଇଦ୍ରାବାଦରେ ଅନୁଷ୍ଠିତ ରାଷ୍ଟ୍ରୀୟ କ୍ରୀଡ଼ା ବା ନାସନାଲ ଗେମସର ରିପୋର୍ଟିଂ କରିଥିଲେ ମାୟାଧର ପ୍ରଧାନ। ସେଇଠୁ ଆରମ୍ଭ ହୋଇଥିଲା ଏହି ପରମ୍ପରା। ସେତେବେଳେ ଏହି ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ରିପୋର୍ଟିଂ ପାଇଁ ଓଡ଼ିଶାରୁ ହାଇଦ୍ରାବାଦ ଯାଇଥାନ୍ତି ଖବରକାଗଜର ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ୍ ମହାପାତ୍ର ଏବଂ ହିମାଂଶୁ ପତି ମିଶ୍ର। ସେହିଭଳି ୨୦୦୩ ମସିହାରେ ଅନୁଷ୍ଠିତ ପ୍ରଥମ ଆଫ୍ରୋ-ଏସିଆନ୍ ଗେମସ୍ ସମ୍ପର୍କିତ ସମସ୍ତ ଖବର ପ୍ରସ୍ତୁତ କରିଥିଲା ଈଟିଭି।

୨୦୦୪ ମସିହାରେ ସ୍ଥିର ହେଲା ଯେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ବା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ (International Film Festival of India-IFFI) ସ୍ଥାୟୀ ଭାବରେ ପ୍ରତିବର୍ଷ ଗୋଆରେ ହିଁ ଆୟୋଜନ କରାଯିବ। ଯଦିଓ ଏହି ଚଳଚ୍ଚିତ୍ର ମହୋତ୍ସବ ୧୯୫୨ ମସିହାରୁ ଆରମ୍ଭ ହୋଇଥିଲା ଏବଂ ସମଗ୍ର ଏସିଆ ମହାଦେଶରେ ଏହାକୁ ଏକ ପ୍ରମୁଖ ଚଳଚ୍ଚିତ୍ର ମହୋତ୍ସବର ମାନ୍ୟତା ମିଳିସାରିଥିଲା, ତଥାପି ଏହାର ଆୟୋଜନ ସ୍ଥାନ ସ୍ଥିର ହୋଇଥିଲା ଏତେ ବିଳମ୍ବରେ। ୨୦୦୫ ମସିହାରେ ପ୍ରଥମ ଥର ପାଇଁ ଈଟିଭି ଓଡ଼ିଆ ପକ୍ଷରୁ ମିହିର ରଞ୍ଜନ ଆଚାର୍ଯ୍ୟ ଗୋଆ ଯାଇଥିଲେ ରିପୋର୍ଟିଂ କରିବା ପାଇଁ। ଚଳଚ୍ଚିତ୍ର ନିର୍ମାଣ, ରଚନା ଏବଂ ସମୀକ୍ଷା ଉପରେ ଅଧିକ ରୁଚି ରଖୁଥିବା ମିହିର ରଞ୍ଜନ ଯଦିଓ ନ୍ୟୁଜ୍ ଡେସ୍କରେ କାମ କରୁଥିଲେ, କିନ୍ତୁ ଏ କ୍ଷେତ୍ରରେ ତାଙ୍କ ଆଗ୍ରହ ପାଇଁ ତାଙ୍କୁ ରିପୋର୍ଟିଂ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ଲଗାତର ଦୁଇ ବର୍ଷ ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ରିପୋର୍ଟିଂ କରିଥିଲେ ମିହିର। ଏହି ସମୟରେ ସେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ, ନିର୍ମାତା ଏବଂ ଅଭିନେତାଙ୍କ ସହିତ ସାକ୍ଷାତକାର କରିଥିଲେ। ସେହିମାନଙ୍କ ମଧ୍ୟରେ ଥିଲେ ବିଶ୍ୱବିଖ୍ୟାତ ହାସ୍ୟାଭିନେତା ଚାର୍ଲି ଚାପଲିନଙ୍କ ନାତୁଣୀ ତଥା ପ୍ରଖ୍ୟାତ ଫରାସୀ ଅଭିନେତ୍ରୀ ଡୋଲୋରେସ୍ ଚାପଲିନ୍, ଅଭିନେତ୍ରୀ ନନ୍ଦିତା ଦାସ, ବରିଷ୍ଠ କନ୍ନଡ଼ ଅଭିନେତା ନିର୍ଦ୍ଦେଶକ ତଥା ସମାନ୍ତରାଳ ସିନେମାର ଅନ୍ୟତମ ପୁରୋଧା ଗିରିଶ କଶରବେଳି, ନିର୍ଦ୍ଦେଶକ ମଧୁର ଭଣ୍ଡାରକର, ନୃତ୍ୟ ନିର୍ଦ୍ଦେଶିକା ସରୋଜ ଖାନ, ବରିଷ୍ଠ ଅଭିନେତା ଶଶୀ କପୁର ଏବଂ ଚଳଚ୍ଚିତ୍ର ନିର୍ମାତା ବିପ୍ଳବ ରାୟ ଚୌଧୁରୀ। ଏହା ବ୍ୟତୀତ ଗୋଆର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସହିତ ସାକ୍ଷତକାର କରିବା ଥିଲା ମିହିରଙ୍କ ପାଇଁ ଏକ ସମ୍ମାନ। ପ୍ରଥମ ଥର ପାଇଁ ଓଡ଼ିଆ ଦର୍ଶକ ଗୋଆରୁ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ, ପ୍ରତିଯୋଗିତା ସମ୍ପର୍କିତ ତଥ୍ୟ ନିଜ ମାତୃଭାଷାରେ ପାଇବାର ସୁଯୋଗ ପାଇଥିଲେ।

ତା’ ପରବର୍ଷ ଅର୍ଥାତ୍ ୨୦୦୭ ମସିହା ନଭେମ୍ବରରେ ଗୋଆ ଯାଇ ଏହି ଚଳଚ୍ଚିତ୍ର ମହୋତ୍ସବ ଆୟୋଜନର ରିପୋର୍ଟିଂ କରିବା ପାଇଁ ଦାୟିତ୍ୱ ମିଳିଥିଲା ସ୍ୱାଧୀନ ରାଉତଙ୍କୁ। ସ୍ୱାଧୀନ ପ୍ରଥମେ ଜିଲ୍ଲା ସ୍ତରରେ ରିପୋର୍ଟିଂ ଏବଂ ପରେ ନ୍ୟୁଜ୍ ଡେସ୍କରେ କାମ କରୁଥାନ୍ତି। ତେଣୁ ଏହି ଉଭୟ ଅଭିଜ୍ଞତା ତାଙ୍କୁ ଅତି ଦକ୍ଷତାର ସହ ଚଳଚ୍ଚିତ୍ର ମହୋତ୍ସବ ରିପୋର୍ଟିଂ କରିବାରେ ସହାୟକ ହୋଇଥିଲା। ସେହି ସମୟରେ ସେ ସଚିନ ଖେଡେକର, ଶ୍ୱେତା ବାସୁ ପ୍ରସାଦଙ୍କ ଭଳି ଅଭିନେତାଙ୍କ ସାକ୍ଷାତକାର କରିଥିଲେ। ସେହିଭଳି ବରିଷ୍ଠ ଓଡ଼ିଆ ସିନେ ପ୍ରତିଭା ଅପୂର୍ବ କିଶୋର ବୀରଙ୍କ ସ୍ୱତନ୍ତ୍ର ସାକ୍ଷାତକାର ଆଣିବାରେ ବେଶ୍ ସଫଳ ହୋଇଥିଲେ ସ୍ୱାଧୀନ। ଏହି ତିନି ବର୍ଷ ଯାକ ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବକୁ ନେଇ ସ୍ୱତନ୍ତ୍ର ଏପିସୋଡ୍ ପ୍ରସ୍ତୁତ କରିଥିଲା ଈଟିଭି। ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହି ଖବର ଗୋଆର ପାଣାଜୀ ବ୍ୟୁରୋ ଏବଂ ମହାରାଷ୍ଟ୍ରର ମୁମ୍ବାଇ ବ୍ୟୁରୋ ସହାୟତାରେ ସଂଗ୍ରହ କରାଯାଉଥିଲା।

ଏତଦଦ୍ଭିନ୍ନ ଚେନ୍ନାଇ, ହାଇଦ୍ରାବାଦ ଏବଂ ବେଙ୍ଗଳୁରୁରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ସ୍ୱତନ୍ତ୍ର କଭରେଜ ପାଇଁ ଈଟିଭି ନିଜ ପ୍ରତିନିଧିମାନଙ୍କୁ ସମ୍ପୃକ୍ତ ସ୍ଥାନକୁ ପଠାଇଥିଲା। ବେଙ୍ଗଳୁରୁରେ ଏକଦା ଓଡ଼ିଆ ଯୁବକ ଯୁବତୀମାନେ ବହୁ ସଂଖ୍ୟାରେ ସଫଟୱେୟାର କମ୍ପାନିରେ କାମ କରୁଥିଲେ। ଏଣେ ଭୁବନେଶ୍ୱରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସାମାଜିକ ଭତ୍ତିଭୂମିର ବିକାଶ ଦିଗରେ ଚାଲିଥାଏ ଚିନ୍ତା। ଏହି ସମୟରେ ଈଟିଭି ପ୍ରତିନିଧି ରୁଦ୍ର ନାରାୟଣ ଦାସ ବେଙ୍ଗଳୁରୁଯାଇ ଉଭୟ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଆଇଟି କ୍ଷେତ୍ର ଉପରେ ରିପୋର୍ଟିଂ କରିଥିଲେ। ରିପୋର୍ଟକୁ ଆଧାର କରି ଈଟିଭି ପ୍ରସ୍ତୁତ କରିଥିଲା ଗୋଟିଏ କାର୍ଯ୍ୟକ୍ରମ-ସାଇବରେଶ୍ୱରର ସ୍ୱପ୍ନ। ଏହି ଲେଖକ ନିଜେ ହାଇଦ୍ରାବାଦ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରିପୋର୍ଟିଂ କରିବାର ସୌଭାଗ୍ୟ ଅର୍ଜନ କରିଥିଲା। ଏହି ସମୟରେ ବରିଷ୍ଠ ଆଇପିଏସ୍ ଏବଂ ଆଇଏଏସ୍ ଅଫିସର ଏ.କେ.ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଯତୀଶ ଚନ୍ଦ୍ର ମହାନ୍ତିଙ୍କ ସମେତ ବହୁ ଆୟୋଜକ ଏବଂ ଉଦ୍ୟୋକ୍ତାଙ୍କୁ ସାକ୍ଷାତ କରିଥିଲା ଈଟିଭି।

ଏ ସବୁ ବାହାରେ ପଶ୍ଚିମବଙ୍ଗ, ଆସାମ ଏବଂ ଉତ୍ତରାଖଣ୍ଡ ନିର୍ବାଚନ ବେଳେ ଈଟିଭି ଓଡ଼ିଆର ପ୍ରତିନିଧିମାନେ ସେଠାରୁ ରିପୋର୍ଟିଂ କରିବା ସୁଯୋଗ ପାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ସ୍ମୃତିରଞ୍ଜନ ବେହେରା, ଶୁଭ୍ରାଂଶୁ ଶେଖର ପଣ୍ଡା ପ୍ରମୁଖ। ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ ଜିଲ୍ଲାର ରାମାଗୁଣ୍ଡମଠାରେ ଥିବା ଏନଟିପିସି କଲୋନୀରେ ଯେତେବେଳେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲା, ତା’ର ରିପୋର୍ଟିଂ ପାଇଁ ଯାଇଥିଲେ ଶକ୍ତିସାଇ ମିଶ୍ର। ଓଡ଼ିଶା ବାହାରେ ଥିବା ଓଡ଼ିଆଙ୍କ ଖବର ଏବଂ ଓଡ଼ିଶା ସମ୍ପର୍କିତ ଖବର ପାଇଁ ଈଟିଭି ନିଜ ପ୍ରତିନିଧିଙ୍କୁ ପଠାଇ ରିପୋର୍ଟିଂ କରାଇବା ସହିତ ଈଟିଭି ନେଟୱର୍କ ରିପୋର୍ଟରଙ୍କ ସହାୟତା ବି ନେଇଛି। କିନ୍ତୁ କୌଣସି ଓଡ଼ିଆ ଏବଂ ଓଡ଼ିଶା ସମ୍ପର୍କିତ ଖବରକୁ କେବେ ହାତରୁ ଯିବାକୁ ଦେଇନି। କେବଳ ସେତିକି ନୁହେଁ, ରାଜ୍ୟ ବାହାରୁ ରିପୋର୍ଟିଂ କରିବାର ଯେଉଁ ଧାରା ଈଟିଭି ଓଡ଼ିଆ ଆରମ୍ଭ କରିଥିଲା, ତାହା ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ଟେଲିଭିଜନ ଚାନେଲଗୁଡ଼ିକ ଆପଣାଇଛନ୍ତି। ବିଭିନ୍ନ ସମୟରେ ସେମାନେ ନିଜ ପ୍ରତିନିଧିମାନଙ୍କୁ ଦେଶର ଭିନ୍ନ ଭିନ୍ନ ସ୍ଥାନକୁ ପଠାଇ ରିପୋର୍ଟିଂ କରାଇଛନ୍ତି।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #DrFakirMohanNahak #OutofStateReporting #Television #ETvOdia #Reporting

Comment