ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

କୋରାପୁଟ ଜିଲ୍ଲା ସୁନାବେଡ଼ାରେ ଥିବା ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜର ମୁଖ୍ୟାଳୟରୁ ପଡ଼ୋଶୀ ରାୟଗଡ଼ା ଜିଲ୍ଲାର ପଦମପୁର ଅଭିମୁଖେ ବାହାରିଥାନ୍ତି ତତ୍କାଳୀନ ଡିଆଇଜି ଯଶୱିନ୍ଦର ସିଂହ। ସାଙ୍ଗରେ ଥାଆନ୍ତି ତାଙ୍କର ଦୁଇ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଶେଷାନନ୍ଦ ଷଡ଼ଙ୍ଗୀ ଏବଂ ଆଶିଷ ଷଡ଼ଙ୍ଗୀ। ସେଦିନ ଥିଲା ୨୩ ଅକ୍ଟୋବର ୨୦୦୬ ମସିହା। ସେତେବେଳକୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିୟମିତ ଭାବେ ଘଟୁଥାଏ ନକ୍ସଲ ହିଂସା। ନକ୍ସଲ ସମସ୍ୟା ସହିତ ନିରନ୍ତର ଲଢୁଥାନ୍ତି ଓଡ଼ିଶା ପୋଲିସ ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ। ସରକାରଙ୍କ ତରଫରୁ ଜାରି ରହିଥାଏ ସମସ୍ତ ପ୍ରୟାସ। ଏମିତି ସ୍ଥଳେ ଏକ ନିୟମିତ ନୀରିକ୍ଷଣ ଉଦ୍ଦେଶ୍ୟରେ ନିଜ କାର୍ଯ୍ୟାଳୟ ଛାଡ଼ିଥିବା ଡିଆଇଜି ଯଶୱିନ୍ଦର ସିଂହ ନକ୍ସଲମାନଙ୍କ ଆକ୍ରମଣରେ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଲେ ବୋଲି ଏକ ଖବର ପହଞ୍ଚିଲା ଈଟିଭି ନ୍ୟୁଜ୍ ଡେସ୍କରେ। ହଠାତ୍ ଚଳଚଞ୍ଚଳ ହୋଇଉଠିଲା ଡେସ୍କ। ଖବରର ସତ୍ୟାସତ୍ୟ ଯାଞ୍ଚ ପାଇଁ ଈଟିଭିର ତତ୍କାଳୀନ କୋରାପୁଟ ବ୍ୟୁରୋ ମୁଖ୍ୟ ସନ୍ତୋଷ ମିଶ୍ର ଏବଂ ରାୟଗଡ଼ା ଜିଲ୍ଲା ପ୍ରତିନିଧି ଅମୂଲ୍ୟରତ୍ନ ସାହୁଙ୍କ ସହିତ ଯୋଗାଯୋଗ କରାଗଲା। ଡିଆଇଜି ଯଶୱିନ୍ଦରଙ୍କ ହତ୍ୟା ଖବର ସତ୍ୟ ବୋଲି ଜାଣିବା ପରେ, ଈଟିଭି ଚଳାଇଲା ବ୍ରେକିଂ ନ୍ୟୁଜ୍।

ତତ୍କାଳୀନ କୋରାପୁଟ ବ୍ୟୁରୋ ମୁଖ୍ୟ ସନ୍ତୋଷ ମିଶ୍ର

ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ହତ୍ୟା ଥିଲା ରାଜ୍ୟର ପ୍ରଥମ ଘଟଣା। ଏହା ପୂର୍ବରୁ ଏଭଳି କୌଣସି ବରିଷ୍ଠ ଅଧିକାରୀଙ୍କ ହତ୍ୟା ହୋଇନଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ, ଯେତେବେଳେ ଖବର ଆସିଲା, ସେତେବେଳେ କହାଗଲା ଯେ, ଡିଆଇଜି ଯଶୱିନ୍ଦର ସିଂହ ପଦମପୁର ଅଭିମୁଖେ ଯାଉଥିଲାବେଳେ, ରାସ୍ତାରେ ଦୁଇଟି ସ୍ଥାନରେ କିଛି ଯୁବକ ତାଙ୍କ ଗାଡ଼ି ଅଟକାଇ କାଳୀପୂଜା ପାଇଁ ଚାନ୍ଦା ମାଗିଥିଲେ। ଏହାର କିଛି ସମୟ ପରେ ହଠାତ୍ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବଡ଼କୁଟିଙ୍ଗା ଗାଁ ନିକଟରେ ଦଳେ ନକ୍ସଲ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ଡିଆଇଜି ଯଶୱିନ୍ଦରଙ୍କ ମୁଣ୍ଡରେ ଗୁଳିବାଜିବା ଫଳରେ, ସେ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଏ ସମସ୍ତ ତଥ୍ୟ ମିଳିଥିଲା ତାଙ୍କୁ ଦୁଇ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ନିକଟରୁ। ରାଜ୍ୟ ଗୃହବିଭାଗ, ତତ୍କାଳୀନ ଗୃହସଚିବ ତରୁଣକାନ୍ତି ମିଶ୍ର, ପୋଲିସ ମହାନିର୍ଦ୍ଦେଶକ ଅମରାନନ୍ଦ ପଟ୍ଟନାୟକ ପ୍ରାରମ୍ଭିକ ଭାବେ ଏହାକୁ ନକ୍ସଲମାନଙ୍କ ଏକ ଘୃଣ୍ୟ କାର୍ଯ୍ୟ ବୋଲି କହିବାକୁ ଏଡ଼ାଇ ଦିଆଯାଇନପାରେ ବୋଲି ମନ୍ତବ୍ୟ ଦେଇଥିଲେ। ଏହି ଖବର ଈଟିଭିରେ ପ୍ରସାରିତ ହେବା ପରେ ସେ ସମୟର ଉପଲବ୍ଧ ବିଭିନ୍ନ ଜାତୀୟ ଗଣମାଧ୍ୟମ ବି ଏହି ଖବର ପ୍ରସାରଣ କରିଥିଲେ।

ସେତେବେଳେ ଈଟିଭି ଉଠାଇଥିଲା ଏକ ସ୍ୱାଭାବିକ ପ୍ରଶ୍ନ। ଯଦି ଦୁଇ ଜଣ ସଶସ୍ତ୍ର ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଡିଆଇଜିଙ୍କୁ ନକ୍ସଲମାନେ ଗୁଳିକରି ହତ୍ୟାକଲେ, ତାହେଲେ ଉଭୟ ସୁରକ୍ଷାକର୍ମୀ କରୁଥିଲେ କଣ? ସେମାନେ କିଭଳି ଭାବେ ଅକ୍ଷତ ରହିଲେ? ନକ୍ସଲମାନେ କ’ଣ କେବଳ ଡିଆଇଜିଙ୍କୁ ହତ୍ୟା କରିବାକୁ ଆସିଥିଲେ? ଯଦି ହଁ, ତା’ହେଲେ ଉଭୟ ସୁରକ୍ଷାକର୍ମୀଙ୍କ ଭୂମିକା କ’ଣ ଥିଲା ସେ ସମୟରେ? ଏମିତି ଅନେକ ପ୍ରଶ୍ନ ସିଧାସଳଖ ଭାବେ ରାଜ୍ୟ ସରକାରଙ୍କୁ ଏଦିଗରେ ଚିନ୍ତା କରିବା ପାଇଁ ବାଧ୍ୟ କରିଥିଲା। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଡିଆଇଜିଙ୍କ ଦୁଇ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଶେଷାନନ୍ଦ ଏବଂ ଆଶିଷଙ୍କୁ ବାରମ୍ବାର ପଚରାଉଚରା ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଜଣାପଡ଼ିଲା ଯେ, ଶେଷାନନ୍ଦ ଷଡ଼ଙ୍ଗୀଙ୍କ ୯ ଏମ୍ଏମ୍ ବନ୍ଧୁକର ଗୁଳିରେ ପ୍ରାଣ ହରାଇଛନ୍ତି ଡିଆଇଜି ଯଶୱିନ୍ଦର ସିଂହ। ଘଟଣାର ତିନି ଦିନ ପରେ ଉଭୟ ସୁରକ୍ଷାକର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କୋରାପୁଟ ପୋଲିସ।

ଏହି ସମ୍ପୂର୍ଣ୍ଣ ଘଟଣାଟି ଈଟିଭି ପାଇଁ ଥିଲା ଏକ ପରୀକ୍ଷଣର ବେଳ। ଯୋଗାଯୋଗ ଏବଂ ସମନ୍ୱୟକୁ କେତେ ସୁଦୃଢ଼ କରାଯାଇପାରିବ ଏବଂ ଏହାଦ୍ୱାରା କିଭଳି ଖବରର ପରିଚାଳନା କରାଯାଇପାରିବ, ତାହା ପ୍ରମାଣିତ କରିଥିଲା ଈଟିଭି। ସେ ରାୟଗଡ଼ାରୁ ଅମୂଲ୍ୟରତ୍ନ ସାହୁ ହୁଅନ୍ତୁ ବା କୋରାପୁଟରୁ ସନ୍ତୋଷ ମିଶ୍ର, ଭୁବନେଶ୍ୱର ବ୍ୟୁରୋ ହେଉ ବା କଟକରୁ ପୋଲିସ ମୁଖ୍ୟାଳୟ, ସବୁଠାରୁ ଠିକ୍ ସମୟରେ ଖବର ସଂଗ୍ରହ କରି ଏହି ପୂରା ଘଟଣାର ଟିକିନିଖି ଖବର ଦେଉଥିଲା ଈଟିଭି। ପରବର୍ତ୍ତୀ ସମୟରେ ଦିବଙ୍ଗତ ଡିଆଇଜି ଯଶୱିନ୍ଦରଙ୍କ ମୃତଦେହର ବ୍ୟବଚ୍ଛେଦଠାରୁ ଆରମ୍ଭ କରି ତାଙ୍କ ମରଶରୀରକୁ ତାଙ୍କ ପରିବାର ନିକଟରେ ପହଞ୍ଚାଇବା ଯାଏଁ, ପ୍ରତିଟି ଘଟଣାକୁ ରିପୋର୍ଟ କରୁଥିଲା ଈଟିଭି।

ଡିଆଇଜି ଯଶୱିନ୍ଦରଙ୍କ ଘର ଥିଲା ପଞ୍ଜାବର ହୋସିଆରପୁର ଜିଲ୍ଲା ଅନ୍ତର୍ଗତ ଦଶୁୟା ଅଞ୍ଚଳର ବୋଦୁଆ ଗାଁରେ। ସେଠାରେ ଯଶୱିନ୍ଦରଙ୍କ ମରଶରୀର ପହଞ୍ଚିବା ପରେ ଯେତେବେଳେ ପୂରା ଗାଁ କାନ୍ଦିଉଠିଥିଲା ଏବଂ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା, ସେତେବେଳେ ତାର ମୂକସାକ୍ଷୀ ଥିଲା ଈଟିଭି। ସେ ସମୟରେ ଈଟିଭିର ଜଳନ୍ଧର ପ୍ରତିନିଧି ରୋହିତ ଗୌର ଏହି ଘଟଣାର ରିପୋର୍ଟିଂ କରିଥିଲେ। ଏପରିକି ଯଶୱିନ୍ଦରଙ୍କ ଅନ୍ତ୍ୟେଷ୍ଟି କ୍ରିୟାର ଚିତ୍ର ବି ପହଞ୍ଚିଥିଲା ଦର୍ଶକଙ୍କ ନିକଟରେ। ପୁଅର ମୃତ୍ୟୁରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିବା ମା’ ନସୀବ କୌର ଏବଂ ବାପା ହଜାରା ସିଂହଙ୍କ ଦୁଃଖ, କ୍ଷୋଭ ଏବଂ ଅଭିଯୋଗ ସବୁକିଛିକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇଥିଲା ଈଟିଭି।

ଈଟିଭି ଜଳନ୍ଧରର ତତ୍କାଳୀନ ପ୍ରତିନିଧି ରୋହିତ ଗୌର

ସେହିଭଳି ଦୁଇଜଣ ସୁରକ୍ଷାକର୍ମୀ ଶେଷାନନ୍ଦ ଏବଂ ଆଶିଷଙ୍କ ବେଙ୍ଗାଲୁରୁ ନିଆଯାଇଥିଲା ଲାଇ ଡିଟେକ୍ସନ ଟେଷ୍ଟ କରାଇବା ପାଇଁ। ଏହି ଖବରକୁ ବେଙ୍ଗାଲୁରୁ ବ୍ୟୁରୋର ସହାୟତାରେ ସଂଗ୍ରହ କରିଥିଲା ଈଟିଭି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଭିନ୍ନ ସ୍ଥାନରୁ ସଂଗୃହୀତ ତଥ୍ୟକୁ ଶୃଙ୍ଖଳିତ ଭାବେ ପ୍ରସ୍ତୁତ କରି ଦର୍ଶକଙ୍କୁ ଠିକ୍ ସମୟରେ ଖବର ଉପସ୍ଥାପନ କରିଥିଲା ନ୍ୟୁଜ୍ ଡେସ୍କ। ଏହାକୁ ନେଇ ପ୍ରସ୍ତୁତ ହୋଇଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ-୯ ଏମ୍ଏମ୍। ସଂଯୋଜନା, ସମନ୍ୱୟ ଏବଂ ଉପଯୁକ୍ତ ଯୋଜନା ଦ୍ୱାରା କିଭଳି ଭାବେ ଖବରକୁ ପରିଚାଳନା କରାଯାଇପାରେ ତା’ର ଏହାଥିଲା ଏକ ବଳିଷ୍ଠ ଉଦାହରଣ।

ଘଟଣାର ପ୍ରାୟ ପାଞ୍ଚ ବର୍ଷ ପରେ କୋରାପୁଟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ମେ ୨୦୧୧ରେ ଦୋଷୀମାନଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ। ଉଦ୍ଦେଶ୍ୟ ନଥାଇ ହତ୍ୟା ଅଭିଯୋଗରେ ଶେଷାନନ୍ଦ ଷଡ଼ଙ୍ଗୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଏବଂ ୨୦ ହଜାର ଟଙ୍କା ଜୋରିମାନା କରିଥିଲେ। ସେହିଭଳି ପୋଲିସକୁ ଭ୍ରମିତ କରିବା, ଭୁଲ ତଥ୍ୟ ଦେବା ଏବଂ ସତ୍ୟ ଲୁଚାଇବା ଅଭିଯୋଗରେ ୩ ବର୍ଷ କାରାଦଣ୍ଡାଦେଶ ଏବଂ ୧୦ ହଜାର ଟଙ୍କା ଜୋରିମାନା କରିଥିଲେ। ସେହିଭଳି ୨୦୦୮ ମସିହା ମେ’ ମାସରେ ଦିବଙ୍ଗତ ଡିଆଇଜି ଯଶୱିନ୍ଦର ସିଂହଙ୍କ ବିଧବା ପତ୍ନୀ ପରମଜିତ୍ କୌର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ୱାମୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ପରମଜିତ୍।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #DIGMurderCase #9MM #DrFakirMohanNahak #DIGJaswinderSingh #Television #ETvOdia #Reporting

Comment