ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

୨୦୦୩ ମସିହାର ବର୍ଷାଋତୁ। ଏଇ ଜୁଲାଇ ମାସର କଥା। ହେଇ କାଲି ଭଳି ଲାଗୁଛି। କିନ୍ତୁ ଏ ଯାଏଁ ରାଜ୍ୟବାସୀ ଭୁଲିନାହାନ୍ତି ନିର୍ଯାତନାର ନିଆଁଖୁଣ୍ଟାର ଚେଙ୍କ ପାଇବା ପରେ ନିର୍ଯାତିତ ଅନାଥ ଶିଶୁ ପ୍ରଶାନ୍ତ ନାହାକର କାହାଣୀକୁ। ଏବେ ବି ସେ ସମୟର ସେହି ଟେଲିଭିଜନ ରିପୋର୍ଟ କଥା ମନେ ପଡ଼ିଲେ ଦେହ ଶୀତେଇ ଉଠେ। ସାତ ଆଠ ବର୍ଷର ଅନାଥ ଶିଶୁ ପ୍ରଶାନ୍ତ ନାହାକ ଯେଉଁଭଳି ଭାବେ ଯନ୍ତ୍ରଣାକୁ ପିଇ ଯାଇଥିଲା, ତାହା ହୁଏତ କୌଣସି ଯୁବକ କିମ୍ବା ପ୍ରୌଢ଼ କରିବାରେ ସକ୍ଷମ ହୋଇନଥାନ୍ତେ।

ହଁ.. ସେତେବେଳେ ଈଟିଭିର ନୂଆପଡ଼ା ଜିଲ୍ଲା ପ୍ରତିନିଧି ଭାବେ କାମ କରୁଥାନ୍ତି ବିଜୟ ସହିସ। ନିଜ କାମକୁ ନେଇ ସବୁବେଳେ ତତ୍ପର ଏବଂ ବେସାଲିସ୍। ବିଶେଷ କରି ଅନୁସନ୍ଧାନମୂଳକ ରିପୋର୍ଟିଂରେ ଦକ୍ଷତା ରହିଛି ତାଙ୍କର। ଦିନେ ଖଡ଼ିଆଳ ରାଜପ୍ରାସାଦ ଆଖପାଖରେ କାମ କରୁଥିବା କିଛି ଲୋକ ତାଙ୍କୁ ଖବର ଦେଲେ ଯେ, ଗୋଟିଏ ଛୋଟ ପିଲା ଯାହାର ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି ଏବଂ ସେ ଅତ୍ୟନ୍ତ ଯନ୍ତ୍ରଣା ପାଉଛି, ସେ ଏହି ରାଜମହଲ ଭିତରେ ବନ୍ଦୀ ହୋଇ ରହିଛି। ସେହି ପିଲାକୁ ବାହାରକୁ ଯିବାକୁ ଦିଆଯାଉନାହିଁ। ତେଣୁ ତାକୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନିଆଯିବା ଦରକାର।

ଖଡ଼ିଆଳ ରାଜପ୍ରାସାଦ ଲାଲ ମହଲ

ରାଜପ୍ରାସାଦରେ ପୁଣି ନିର୍ଯାତନା ଏବଂ ବନ୍ଦୀ? ଏ କଥାଟା କାହିଁକି କେଜାଣି ବିଜୟଙ୍କର ହଜମ ହେଲାନି। କାରଣ, ସେହି ଅଞ୍ଚଳରେ ରାଜ ପରିବାର ପ୍ରତି ଲୋକମାନଙ୍କ ଆନୁଗତ୍ୟ ଏବଂ ସମର୍ଥନ ଏତେ ଯେ, ଏଭଳି ଏକ ଖବରକୁ କେହି କେବେ ସହଜରେ ଗ୍ରହଣ କରିପାରିବେ ନାହିଁ। ତେଣୁ ଖବରର ପୁଙ୍ଖାନୁପୁଙ୍ଖ ତଦନ୍ତ ନକରି, ସେ ସମ୍ପର୍କରେ ଆବଶ୍ୟକ ଅନୁସନ୍ଧାନ ନକରି, ସେ କିଭଳି ଏକ ଶୁଣା ଖବରକୁ ପରିବେଷଣ କରିପାରିବେ, ସେହି ଚିନ୍ତାରେ ଥିଲେ ବିଜୟ। ତେବେ ସାଧାରଣ ଲୋକଙ୍କଠାରୁ ସୂଚନା ମିଳିଥିବାରୁ, ସେ ନିୟମିତ ଭାବେ ଖଡ଼ିଆଳ ରାଜପ୍ରାସାଦ- ଲାଲ ମହଲ ଉପରେ ନଜର ରଖିଥାନ୍ତି। ତେବେ ରାଜପ୍ରାସାଦର ରାଣୀ ପୁଷ୍ପଲତା ସିଂହ ଦେଓ ସମ୍ପୃକ୍ତ ଶିଶୁ ପ୍ରଶାନ୍ତ ନାହାକକୁ ପ୍ରାସାଦ ବାହାରକୁ ନେଇ ଯାଉଥିଲା ବେଳେ ଈଟିଭି ପ୍ରତିନିଧି ବିଜୟ ସହିସ ତାଙ୍କୁ ଅନୁସରଣ କରିଥିଲେ। ଏ ସମ୍ପର୍କରେ ସୁରାକ ପାଇ, ରାଣୀ ପୁଣି ଥରେ ଫେରି ଆସିଥିଲେ ଲାଲ ମହଲକୁ। ଅନେକ ଦିନ ପର୍ଯ୍ୟନ୍ତ ଏହି ଖବରର ଅନୁସନ୍ଧାନ କରୁଥିଲେ ବି, କୌଣସି ଠୋସ୍ ପ୍ରମାଣ ହସ୍ତଗତ ହେଉନଥାଏ। ରାଜପ୍ରାସାଦର ମାଲିକ ରାଜା ଭୁବନେଶ୍ୱର ସିଂହଦେଓ ଏବଂ ତାଙ୍କ ପତ୍ନୀ ରାଣୀ ପୁଷ୍ପଲତା ସିଂହଦେଓଙ୍କୁ ଏ ବାବଦରେ ପଚରାଉଚରା କରିବାକୁ ଚେଷ୍ଟା କରି ବି ବିଫଳ ହୋଇଥିଲେ ବିଜୟ। ଶେଷରେ ମହଲରୁ ଉଭୟ ରାଜ ଦମ୍ପତି ରାୟପୁର ଯାଇଥିଲାବେଳେ ଅନେକ ଚେଷ୍ଟା କରି ରାଜପ୍ରାସାଦ ଭିତରେ ବନ୍ଦୀ ଥିବା ପ୍ରଶାନ୍ତ ନାହାକର କିଛି ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ ହୋଇଥିଲେ ବିଜୟ।

ଈଟିଭିର ନୂଆପଡ଼ା ଜିଲ୍ଲା ପ୍ରତିନିଧି ଭାବେ କାମ କରୁଥିବା ବିଜୟ ସହିସ

ତେବେ ବିଜୟଙ୍କ ପାଖରେ ପ୍ରମାଣ ପହଞ୍ଚି ସାରିଛି ବୋଲି ଜାଣିବା ପରେ, ରାଜ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କ ଉପରେ ଚାପ ପକାଇଥିଲେ। ଏପରିକି ସେହି ଖବର ପ୍ରସାରଣ ନ କରିବା ପାଇଁ ବି ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା। ଏହି ଖବର ଦ୍ୱାରା ରାଜ ପରିବାରର ସମ୍ମାନ ହାନୀ ହେବ ବୋଲି କହି, ତାକୁ ପ୍ରକାଶିତ ବା ପ୍ରସାରିତ ନ କରିବା ପାଇଁ ବିଜୟଙ୍କୁ ପ୍ରବର୍ତ୍ତାଯାଇଥିଲା। କିନ୍ତୁ, ସେ ସବୁକୁ ଖାତିର ନକରି ବିଜୟ ସହିସ ଷ୍ଟୋରି ଫାଇଲ କଲେ। ଏତେବଡ଼ ଖବର ଯେତେବେଳେ ଈଟିଭିରେ ପ୍ରସାରଣ ହେଲା, ସଙ୍ଗେ ସଙ୍ଗେ ପୂରା ଖଡ଼ିଆଳରେ ସୃଷ୍ଟି ହେଲା ଏକପ୍ରକାର ଭୟର ବାତାବରଣ। ତେବେ ଖବର ପ୍ରସାରଣ ହେବା କ୍ଷଣି, ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଲେ। ସ୍ଥାନୀୟ ପୋଲିସ ତୁରନ୍ତ ଲାଲ ମହଲ ଉପରେ ଚଢ଼ାଉ କରି ଉଦ୍ଧାର କଲେ ପ୍ରଶାନ୍ତକୁ। ତାକୁ ତା’ ଗାଁକୁ ପଠାଇବା ପାଇଁ ସେହି ରାଜଦମ୍ପତିଙ୍କୁ ହିଁ ଦାୟିତ୍ୱ ଦେଲା ପୋଲିସ। ଖବର ପ୍ରସାରଣ ପରେ ପ୍ରଶାନ୍ତର ଘର ଥିବା ଗଞ୍ଜାମ ଜିଲ୍ଲାର ସୋଡ଼କ ଗାଁ ଓ ଆଖପାଖ ଅଞ୍ଚଳରେ ଲୋକମାନେ ଉତକ୍ଷିପ୍ତ ହୋଇଉଠିଥିଲେ। କାରଣ ଘଟଣାଟି ହିଁ ଥିଲା କିଛି ଏମିତି।

ଗଞ୍ଜାମ ଜିଲ୍ଲାର ସୋଡ଼କ ଗାଁରେ ଜନ୍ମ ହୋଇଥିଲା ପ୍ରଶାନ୍ତ। କିନ୍ତୁ ପିଲାଦିନରୁ ହିଁ ଅନାଥ ହୋଇଯିବା ପରେ ସେ ତା’ ଜେଜେବାପା ପାଖରେ ରହୁଥାଏ। ତେବେ ଖଡ଼ିଆଳ ରାଣୀ ପୁଷ୍ପଲତା ସିଂହଦେଓଙ୍କ ଘର ସେହି ଅଞ୍ଚଳରେ ହୋଇଥିବାରୁ, ସେ ନିଜ ସାଙ୍ଗରେ ନେଇ ଯାଇଥିଲେ ପ୍ରଶାନ୍ତକୁ। ରାଜ ପରିବାରରେ କାମ କରି ଯେମିତି ହେଲେ ଅନାଥ ପିଲାଟି ବଞ୍ଚିଯିବ, ସେହି ଆଶା ଥିଲା ସମସ୍ତଙ୍କର। କିନ୍ତୁ ସେହି ରାଜପ୍ରାସାଦରେ ଯେ ତାକୁ ଅକଥନୀୟ ନିର୍ଯାତନା ମିଳିବ, ସେ କଥା କେହି ଭାବିନଥିଲେ। 

ଲାଲ ମହଲରେ ନିର୍ଯାତନାର ଶିକାର ହୋଇଥିବା ପ୍ରଶାନ୍ତ ନାହାକ

ପରବର୍ତ୍ତୀ ସମୟରେ ସ୍ଥାନୀୟ ପ୍ରତିନିଧି ଭାବେ ବିଜୟ ସହିସଙ୍କ ସହିତ ବଲାଙ୍ଗିରରୁ ନୀଳାଚଳ ମହାପାତ୍ର ଯୋଗ ଦେଇଥିଲେ। ସେମାନଙ୍କ ମିଳିତ ଅନୁସନ୍ଧାନ ବେଳେ ଈଟିଭିକୁ ମିଳିଥିଲା ଅନେକ ତଥ୍ୟ। ବିଶେଷ କରି କାଳୀ ସାଧନା ଓ ନିଶାର୍ଦ୍ଧରେ ତନ୍ତ୍ର ପୂଜା ପାଇଁ ପ୍ରଶାନ୍ତ ଭଳି ଶିଶୁର ଶରୀରର ବିଭିନ୍ନ ସ୍ଥାନରେ ଛୁରୀ ସାହାଯ୍ୟରେ କ୍ଷତ କରାଯାଇ, ତା’ର ରକ୍ତକୁ ବ୍ୟବହାର କରାଯାଉଥିଲା। ଏଭଳି ଏକ ଜଘନ୍ୟ ଅପରାଧ ସମ୍ପର୍କିତ ତଥ୍ୟ ମିଳିବା ପରେ, ଏ ସମ୍ପର୍କରେ ଅନ୍ୟମାନଙ୍କଠାରୁ ସତ୍ୟାସତ୍ୟ ଜାଣିବା ପାଇଁ ଗାଁ ଆଡ଼କୁ ମୁହାଁଇଥିଲା ଈଟିଭି ଟିମ୍। ତେବେ ପ୍ରଶାନ୍ତ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ପ୍ରାୟ ଆଠରୁ ଦଶ ଜଣ ପିଲାଙ୍କ ସାଙ୍ଗରେ ବି ଏଭଳି ଅଭାବନୀୟ ଘଟଣା ଘଟିଥିବା, ସେମାନେ ଈଟିଭି ଆଗରେ କହିଥିଲେ। ରାଜପ୍ରାସାଦଠାରୁ ଅନତି ଦୂରରେ ଥିବା ଜୁନାଲି ଗାଁର ଜଣେ ଝିଅ ଓ ତା’ର ମାଆ ବି ଏ ନିର୍ଯାତନା ସମ୍ପର୍କରେ ଈଟିଭି ସାମ୍ନାରେ ମୁହଁ ଖୋଲିଥିଲେ। ଏପରିକି ସେହି ଝିଅର ଶରୀରରେ ସେତେବେଳେ ବି ଅନେକ ନିର୍ଯାତନାର ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା।

ସେପଟେ ସୋଡ଼କ ଗାଁରେ ପ୍ରଶାନ୍ତକୁ ପହଞ୍ଚାଇବାକୁ ଯାଇଥିବା ରାଜ ଦମ୍ପତିଙ୍କୁ ଘେରି ଯାଇଥିଲେ ଗାଁ ଲୋକେ। ତେବେ କିଛି ପରିଚିତ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ସେଠାରୁ ଫେରାର ହୋଇଯାଇଥିଲେ ରାଜ ଦମ୍ପତି। ଈଟିଭିରେ ନିୟମିତ ଭାବେ ଗୋଟିଏ ପରେ ଗୋଟିଏ ଦିଗକୁ ଅନୁସନ୍ଧାନ କରି ଖବର ପ୍ରସାରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦେଇଥିଲେ ନିର୍ଦ୍ଦେଶ। କ୍ରାଇମବ୍ରାଞ୍ଚର ତତ୍କାଳୀନ ଡିଏସପି ଦୁର୍ଯ୍ୟୋଧନ ନାୟକ ଦୀର୍ଘ ଦିନ ଧରି ଖଡ଼ିଆଳରେ ଡେରା ପକାଇ ରାଜଦମ୍ପତିଙ୍କୁ ଗିରଫ କରିବା ପାଇଁ ଖାନତଲାସି ଜାରି ରଖିଥିଲେ।

ପୋଲିସର ଅନୁସନ୍ଧାନ, ଗଣମାଧ୍ୟମରେ ରିପୋର୍ଟ ଏବଂ ଗିରଫଦାରୀର ଭୟରେ ଅନେକ ଦିନ ଯାଏଁ ନିଖୋଜ ରହିଲେ ରାଜ ଦମ୍ପତି। ଏହି ମାମଲାରେ ଖଡ଼ିଆଳ ଜେଏମ୍ଏଫ୍‌ସି (ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ) କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ଏପରିକି କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଭୁବନେଶ୍ୱର ସିଂହଦେଓଙ୍କ ଚାରିଟି ଯାତ୍ରୀବାହୀ ବସ୍ ଏବଂ ଘରକୁ ସିଲ୍ କରାଯାଇଥିଲା। ସେହି ସମୟରେ ମାନ୍ୟବାର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ୍ ପାଇଁ ଭୁବନେଶ୍ୱର ସିଂହଦେଓ ଏବଂ ପୁଷ୍ପଲତା ସିଂହଦେଓ କରିଥିବା ଆବେଦନ ୨୦୦୪ ମସିହା ଜୁଲାଇ ୨୯ ତାରିଖରେ ଖାରଜ ହୋଇଥିଲା।

ଶେଷରେ ଅନେକ ଦିନ ପରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରୁ ଗିରଫ ହୋଇଥିଲେ ରାଜଦମ୍ପତି। ଏଣେ ଏହି ଘଟଣା ସମ୍ପର୍କରେ ମିଳିତ ଭାବେ ରିପୋର୍ଟିଂ କରୁଥିବା ବିଜୟ ସହିସ ଏବଂ ନୀଳାଚଳ ମହାପାତ୍ର ଯେତେ ଚେଷ୍ଟା କଲେ ବି, ସ୍ଥାନୀୟ ଲୋକମାନେ ରାଜ ପରିବାର ସମ୍ପର୍କରେ କ୍ୟାମେରା ସାମ୍ନାରେ କୌଣସି ମତାମତ ଦେବାକୁ ଆଦୌ ପ୍ରସ୍ତୁତ ନଥିଲେ। ସମସ୍ତେ ଭୟଭୀତ ଥିଲେ। ଏଭଳି ସମୟରେ ସ୍ଥାନୀୟ ଅଞ୍ଚଳରେ କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଲୋକଦୃଷ୍ଟି’ ଆଗକୁ ଆସିଥିଲା। ଗଣମାଧ୍ୟମ ଆଗରେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଦୋଷୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ସଙ୍ଗଠନର ସଦସ୍ୟ ଅବନୀ ମୋହନ ପାଣିଗ୍ରାହୀ।

ଅପରପକ୍ଷରେ ଗଞ୍ଜାମ ଜିଲ୍ଲାର ସୋଡ଼କ ଗାଁରେ ପ୍ରଶାନ୍ତ ନାହାକ ପହଞ୍ଚିଲା ପରେ ତାକୁ ତା’ ଘରେ ଭେଟିଥିଲେ ଈଟିଭି ପ୍ରତିନିଧି ଉମାକାନ୍ତ ମିଶ୍ର। ଈଟିଭିର ବ୍ରହ୍ମପୁର ବ୍ୟୁରୋରେ ସାମୟିକ ଭାବେ କାର୍ଯ୍ୟଭାର ତୁଲାଉଥିବା ଉମାକାନ୍ତ ରାତାରାତି ପହଞ୍ଚିଥିଲେ ସୋଡ଼କ ଗାଁରେ। ସେଠାରେ ପ୍ରଶାନ୍ତକୁ ସାକ୍ଷାତ କରିବା ପରେ ଏବଂ ତା’ର ଶରୀରରେ ଥିବା ଅନେକ କ୍ଷତଚିହ୍ନ ଦେଖିଲା ପରେ, ସେ ଯେଉଁ ରିପୋର୍ଟ ଉପସ୍ଥାପନ କଲେ, ସେଥିରେ ସ୍ତମ୍ଭୀଭୂତ ହୋଇଯାଇଥିଲେ ରାଜ୍ୟବାସୀ। ଜଣେ ଶିଶୁକୁ ନିର୍ଯାତନା ଦେବାରେ କେତେ ନିଷ୍ଠୁର ହୋଇପାରେ ମଣିଷ, ତା’ର ଜ୍ୱଳନ୍ତ ଉଦାହରଣ ଥିଲା ଏହି ଘଟଣା। ଉମାକାନ୍ତଙ୍କ ରିପୋର୍ଟ ପରେ ଗଞ୍ଜାମ ଜିଲ୍ଲାପ୍ରଶାସନ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରିଥିଲା ଏବଂ ପ୍ରଶାନ୍ତକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଶାନ୍ତର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ପରେ, ଶେଷରେ ତାକୁ ପଠାଇ ଦିଆଯାଇଥିଲା ଭୁବନେଶ୍ୱର ଏସଓଏସ୍ ଭିଲେଜକୁ। ସେଦିନ ଈଟିଭି ଯଦି ଏହି ରିପୋର୍ଟ କରିନଥାନ୍ତା, ହୁଏତ ଅନାଥ ବାଳକ ପ୍ରଶାନ୍ତ ଆଜି କେଉଁଠି ଥାଆନ୍ତା, ତାହା କହିବା ସମ୍ଭବ ହୋଇନଥାନ୍ତା।

ଈଟିଭି ପ୍ରତିନିଧି ଉମାକାନ୍ତ ମିଶ୍ର ନିର୍ଯାତନାର ଶିକାର ହୋଇଥିବା ପ୍ରଶାନ୍ତ ନାହାକ ସହ ସାକ୍ଷାତ କରିବା ସମୟରେ

ବହୁ ବର୍ଷ ଯାଏଁ ଉମାକାନ୍ତ ଏସ୍ଓଏସ୍ ଭିଲେଜରେ ପ୍ରଶାନ୍ତର ସ୍ଥିତି ଉପରେ ନଜର ରଖିଥିଲେ। ସେତେବେଳେ ପ୍ରଶାନ୍ତ ପଢୁଥିଲା ହାଇସ୍କୁଲରେ। ପରୀକ୍ଷାରେ ଭଲ ନମ୍ବର ରଖିଥିଲା ବୋଲି ବି ସୂଚନା ଥିଲା। ଆଜି ହୁଏତ ପ୍ରଶାନ୍ତ ତା’ ପିଲାଦିନର ସେହି ସବୁ ଯନ୍ତ୍ରଣାଦାୟକ ଦିନଗୁଡ଼ିକୁ ଭୁଲି ଜୀବନରେ ଆଗକୁ ବଢ଼ି ସାରିଥିବଣି, କିନ୍ତୁ ସେ ସମୟରେ ଈଟିଭି ଓଡ଼ିଆରେ ପ୍ରସାରିତ ସେହି ଲୋମହର୍ଷକ ଦୃଶ୍ୟ ଏବେ ବି ମନରେ ତାଜା ହୋଇ ରହିଛି। ଆଖି ଆଗରେ ନାଚି ଉଠୁଛି ନିର୍ଯାତନାର ନିଆଁଖୁଣ୍ଟା-ଲାଲ ମହଲର କଲା କାହାଣୀ।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #Investigating #Reporting #TheDarkStory #LalMahal #DrFakirMohanNahak #Television #ETvOdia

Comment