ଓଡ଼ିଶାଲାଇଭ୍ ବ୍ୟୁରୋ

ଅହମ୍ମଦାବାଦରେ ଜାରି ହେଲା ନାଇଟ୍ କର୍ଫ୍ୟୁ। କରୋନା ସଂକ୍ରମଣ ବଢୁଥିବା ଦେଖି ସେଠାକାର ପ୍ରଶାସନ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଯାତାୟାତ ଉପରେ କଟକଣା ଲଗାଇଛନ୍ତି। ନଭେମ୍ବର ୨୦ ତାରିଖରୁ ଏହି ନିୟମ ଅହମ୍ମଦାବାଦ ସହରରେ ଲାଗୁ ହେବ।

ଅହମ୍ମଦାବାଦ ପ୍ରଶାସନର କହିବା ମୁତାବକ, ଦୀପାବଳି ଓ ଶୀତଋତୁ କାରଣରୁ ସଂକ୍ରମଣ ବଢ଼ିବା ନେଇ କୁହାଯାଉଛି। ତେଣୁ ନଭେମ୍ବର ୨୦ରୁ ନାଇଟ୍ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଅହମ୍ମଦାବାଦରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି।

ଗୁଜରାଟରୁ ଏବେ ସୁଦ୍ଧା ୧ ଲକ୍ଷ ୯୧ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ସେ ଭିତରୁ ଅହମ୍ମଦାବାଦରୁ ହିଁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅହମ୍ମଦାବାଦରୁ ଏବେ ସୁଦ୍ଧା ୪୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପାଖାପାଖି ୨ ହଜାର ଲୋକ ଆଖି ବୁଜିସାରିଲେଣି। ତେଣୁ ସଂକ୍ରମଣ କମାଇବାକୁ ସେଠାକାର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Comment