ଡକ୍ଟର ଫକୀର ମୋହନ ନାହାକ

Television Katha

‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ଇଲେକ୍ସନ୍ ଏକ୍ସପ୍ରେସ୍ ସଂପର୍କରେ ଆଲୋଚନା ବେଳେ ଆମେ କହିଛୁ ଯେ, ୨୦୦୪ ମସିହାରେ ଅଡିଓ ଭିଜୁଆଲ ସିଗନାଲ ପଠାଇବା ପାଇଁ ‘ଡିଏସ୍‌ଏନ୍‌ଜି’ ଭ୍ୟାନ୍ ଅଥବା ବିଭିନ୍ନ ସ୍ଥାନରେ ଥିବା ଟୁ-ଏମ୍‌ବି ବା ଫୋର୍ ଏମ୍‌ବି ସେଣ୍ଟରକୁ ଛାଡ଼ିଲେ ଅନ୍ୟ କୌଣସି ବୈଷୟିକ ବ୍ୟବସ୍ଥା ନଥିଲା। ତେଣୁ ସେହି ସମୟରେ କ୍ୟାମେରାରେ ଟେପ୍‌ରେ ରେକର୍ଡିଂ ହୋଇଥିବା ସମସ୍ତ ତଥ୍ୟକୁ ସମ୍ପୂର୍ଣ୍ଣ ଟେପ୍‌ରେ ହିଁ କୌଣସି ବସ୍ କିମ୍ବା ମେସେଞ୍ଜର ଦ୍ୱାରା ନିକଟସ୍ଥ ଟୁ-ଏମ୍‌ବି ବା ଫୋର୍ ଏମ୍‌ବି ସେଣ୍ଟରକୁ ପଠାଇ ଦିଆଯାଉଥିଲା। ଆଉ ତାହା ସେଠାରେ ଏନ୍‌କୋଡିଂ ହେବା ପରେ ନ୍ୟୁଜ୍ ସେଣ୍ଟରରେ ପହଞ୍ଚୁଥିଲା। ତାକୁ ଭିଜୁଆଲ ଏଡିଟର ସହଜରେ ବ୍ୟବହାର କରିପାରୁଥିଲେ।

ଗୋଟିଏ ଘଟଣାର ଖବର ବା ତଥ୍ୟ କେତେ ସମୟ ଭିତରେ ଦର୍ଶକଙ୍କ ପାଖରେ ପହଞ୍ଚି ପାରିବ, ତାହା ଘଟଣାସ୍ଥଳରୁ ନ୍ୟୁଜ୍ ସେଣ୍ଟରର ଦୂରତା ଉପରେ ନିର୍ଭର କରୁଥିଲା। କାରଣ ଭିଡିଓ ଟେପ୍ ଟୁ-ଏମ୍‌ବି ବା ଫୋର୍ ଏମ୍‌ବି ସେଣ୍ଟରରେ ପହଞ୍ଚିବା ପରେ ହିଁ ତାହା ଏନକୋଡିଂ ହୋଇ ନ୍ୟୁଜ୍ ସେଣ୍ଟରକୁ ଯାଇପାରିବ।

ଏ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା ସେ ସମୟରେ ନୂଆ କରି ବ୍ୟବହାରକୁ ଆସିଥିବା ମୋବାଇଲ୍ ଇଣ୍ଟରନେଟ୍। ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍, ତା’ ପୁଣି ଅନଲିମିଟେଡ୍ ଡାଟା ପ୍ୟାକ୍ ସହିତ। କିନ୍ତୁ ସେତେବେଳେ ସ୍ଥିତି ସେମିତି ନଥିଲା। ଯେଉଁ କିଛି ଲୋକଙ୍କ ପାଖରେ ମୋବାଇଲ୍ ଫୋନ୍ ଥିଲା, ତାହା ସବୁ ଥିଲା ବେସିକ୍ ଫୋନ୍ । ତେଣୁ ସେଥିରେ ସାଧାରଣ କଲ୍ କରିବା ବା ଏସ୍ଏମ୍ଏସ୍ ପଠାଇବା ବ୍ୟତୀତ ଅନ୍ୟ କୌଣସି କାମ ସମ୍ଭବ ନଥିଲା। ସେହି ସମୟରେ ନୂଆ କରି ଆରମ୍ଭ ହୋଇଥିବା ମୋବାଇଲ୍ ଇଣ୍ଟରନେଟକୁ କିଭଳି ବ୍ୟବହାର କରି ଅଡିଓ-ଭିଜୁଆଲ ସିଗନାଲ ବା କ୍ୟାମେରାରେ ରେକର୍ଡ ହୋଇଥିବା ତଥ୍ୟକୁ ମୁଖ୍ୟତଃ ନ୍ୟୁଜ୍ ସେଣ୍ଟରକୁ ପଠାଯାଇପାରିବ ତାହା ଥିଲା ଏକ ଅଭିନବ ପରୀକ୍ଷଣ।

ବିଶେଷ କରି ରିଲାଏନ୍ସ କମ୍ୟୁନିକେସନ ଦ୍ୱାରା ଆର୍-କନେକ୍ଟ ନାମରେ ଆରମ୍ଭ ହୋଇଥିବା ଏହି ମୋବାଇଲ ଇଣ୍ଟରନେଟ୍ ସହାୟତାରେ ଅତି ସହଜରେ କିଛି ଷ୍ଟିଲ୍ ଫଟୋଗ୍ରାଫ୍ ସାଙ୍ଗକୁ କିଛି ଛୋଟ ସାଇଜର ଭିଡିଓକୁ ସେମିତି ହିଁ ଅନୁରୂପ ଭାବେ ପଠାଇବା ସମ୍ଭବପର ହୋଇପାରିଥିଲା।

ଏହିଭଳି ଏକ ପରୀକ୍ଷଣ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ସ୍ୱତନ୍ତ୍ର କିଟ୍ ଧୀରେ ଧୀରେ ଅଧିକରୁ ଅଧିକ ରିପୋର୍ଟରଙ୍କ ଦ୍ୱାରା ବ୍ୟବହାର କରାଯାଇଥିଲା। ଏହି କିଟ୍‌କୁ କୁହାଗଲା ଡିଏନ୍‌ଜି କିଟ୍। ଏହି ପୂରା କିଟ୍‌କୁ ଗୋଟିଏ ବ୍ୟାକ୍ ପ୍ୟାକ୍ ବ୍ୟାଗରେ ଭର୍ତ୍ତି କରାଯାଇପାରୁଥିଲା। ଏହାର ଓଜନ ଥିଲା ପ୍ରାୟ ୭ରୁ ୮ କିଲୋଗ୍ରାମ୍। ଜଣେ ସହଜରେ ଏହାକୁ କାନ୍ଧରେ ଧରି ଯାଇପାରୁଥିଲା।

ଏହି କିଟ୍ ରେ ଥିଲା, ଗୋଟିଏ ଲାପଟପ୍, ମିନି ଡିଭି କ୍ୟାସେଟର ଭିଟିଆର୍ (ଭିଡିଓ ଟେପ୍ ରେକର୍ଡର) ରିଲାଏନ୍ସ ମୋବାଇଲ୍ ହ୍ୟାଣ୍ଡସେଟ୍ ସାଙ୍ଗକୁ ଆର୍.କନେକ୍ଟ କେବୁଲ୍। ଏହା ବ୍ୟତୀତ ଏଥିରେ ଥିବା ଲାପଟପରେ କିଛି ଅତ୍ୟାବଶ୍ୟକ ସଫ୍ଟୱେୟାର ରଖିବା ନିହାତି ଜରୁରୀ ଥିଲା। ଏଥିରେ ଥିଲା ଫଟୋଗ୍ରାଫ୍ ଓ ଭିଡିଓ କ୍ୟାପଚର୍ କରିବା ଲାଗି ସଫ୍ଟୱେୟାର ଏବଂ ଅଡିଓ ଭିଡିଓ ତଥ୍ୟକୁ ଏଡିଟ୍ କରିବା ପାଇଁ ନନ୍ ଲିନିଅର ଏଡିଟିଂ (ଏନ୍‌ଏଲ୍‌ଇ ସେଟ୍ ଅପ୍)। ଏହା ସହ କପି ଲେଖିବା ପାଇଁ କୌଣସି ବି ଲାଙ୍ଗୁଏଜ୍ ସଫ୍ଟୱେୟାର ଆବଶ୍ୟକ ଥିଲା।

ଆସାମରୁ ରିପୋର୍ଟିଂ ବେଳେ ସ୍ମୃତିରଂଜନ ବେହେରା ଡିଏନ୍‌ଜି କିଟ୍ ବ୍ୟବହାର କରୁଛନ୍ତି

ଏଭଳି ଏକ କିଟ୍ ପ୍ରସ୍ତୁତ କରାଯିବା ପରେ ସବୁଠୁ ବେଶୀ ଉତ୍ସାହିତ ଥିଲା ଈଟିଭି ଓଡ଼ିଆ ଟିମ୍। ପ୍ରଥମ ଥର ପାଇଁ ଈଟିଭି ଓଡ଼ିଆ ହିଁ ଏହାକୁ ବ୍ୟବହାର କରିଥିଲା। ବିଶେଷ କରି ଯେଉଁ ସବୁ ସ୍ଥାନରେ ଡିଏସ୍‌ଏନ୍‌ଜି ଭ୍ୟାନ୍ ପହଞ୍ଚିବା ସମ୍ଭବ ନଥିଲା, ସେଇଠି ପହଞ୍ଚିଥିଲା ଏହି ଡିଏନ୍‌ଜି କିଟ୍। ଏହା ପୂରା ଫୁଲ୍ ବ୍ୟାଟେରିରେ ପାଖାପାଖି ୩ ଘଣ୍ଟାଯାଏଁ ଡାଟା ଟ୍ରାନ୍ସଫର୍ କରିବାକୁ ସକ୍ଷମ ଥିଲା। ଏଥିପାଇଁ ଶୀତ-ତାପ ନିୟନ୍ତ୍ରଣ ବ୍ୟବସ୍ଥା ବା ଏସି ଚଳାଇବାର କୌଣସି ଆବଶ୍ୟକତା ନାହିଁ।

ଡିଏନ୍‌ଜି କିଟ୍ ସହାୟତାରେ ଫଟୋଗ୍ରାଫ୍, ଭିଡିଓ, ଅଡିଓ ଆଦି ଫାଇଲ୍‌କୁ ଏକ ଫୋଲଡରରେ ହିଁ ରଖି ତାକୁ ଫାଇଲ୍ ଟ୍ରାନ୍ସଫର ଭଳି ବ୍ୟବସ୍ଥାରେ ନ୍ୟୁଜ୍ ସେଣ୍ଟରକୁ ପଠାଇ ଦିଆଯାଉଥିଲା। ତେବେ ଏହି ବ୍ୟବସ୍ଥାରେ ଏକ ସମସ୍ୟା ଥିଲା। ତାହା ହେଉଛି ଯଦି କୌଣସି ସ୍ଥାନରେ ଇଣ୍ଟରନେଟ୍ ବା ମୋବାଇଲ୍ ନେଟୱର୍କ ନଥିବ ସେଠାରେ ଏହି ବ୍ୟବସ୍ଥା କାମ କରିବ ନାହିଁ।

ସେତେବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଘଟଣା ଏବଂ ତାର ପରବର୍ତ୍ତୀ ସମୟରେ କରାଯାଇଥିବା ଫଲୋଅପ୍ ଷ୍ଟୋରି ପାଇଁ ଡିଏନ୍‌ଜି କିଟ୍ ବ୍ୟବହାର କରାଯାଇଥିଲା। ତତ୍କାଳୀନ ରିପୋର୍ଟର ଶୁଭ୍ରାଂଶୁ ପଣ୍ଡା ଏବଂ ସ୍ମୃତିରଂଜନ ବେହେରା ଏହାର ରାଜ୍ୟ ବାହାରେ ରିପୋର୍ଟିଂ ପାଇଁ ବ୍ୟବହାର କରିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ଜିଲ୍ଲାରେ ଥିବା ପ୍ରତିନିଧିମାନଙ୍କୁ ଏହି କିଟ୍ ବ୍ୟବହାର କରିବା ପାଇଁ ତାଲିମ୍ ଦିଆଯାଇଥିଲା। ସେମାନେ ଏହାର ବ୍ୟବହାର କରି ତୁରନ୍ତ ଭିଜୁଆଲ ଓ ଷ୍ଟୋରି ପଠାଇ ପାରୁଥିଲେ। ଈଟିଭି ଓଡ଼ିଆରେ ଏହାର ସଫଳ ବ୍ୟବହାର ପରେ ପୂରା ଈଟିଭି ନେଟୱର୍କରେ ଏହି କିଟ୍ ବ୍ୟବହାର କରାଯାଇଥିଲା।

ଶୁଭ୍ରାଂଶୁ ପଣ୍ଡା ରିପୋର୍ଟିଂ ପାଇଁ ଡିଏନ୍‌ଜି କିଟ୍ ବ୍ୟବହାର କରୁଛନ୍ତି

ଖବର ସଂଗ୍ରହ କ୍ଷେତ୍ରରେ ମୋବାଇଲ ଇଣ୍ଟରନେଟ୍ ବ୍ୟବହାରର ଏହା ଥିଲା ଯୁଗାରମ୍ଭ। ଧୀରେ ଧୀରେ ସାଧାରଣ ବ୍ୟବହାର ପାଇଁ ସ୍ମାର୍ଟଫୋନ୍ ଆସିବା ଏବଂ ମୋବାଇଲ ଇଣ୍ଟରନେଟ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହେବା ଫଳରେ ନ୍ୟୁଜ୍ ଗାଦେରିଂ ବା ଖବର ସଂଗ୍ରହ ଅଭିଯାନ ଅଧିକ ସହଜ ହେବାରେ ଲାଗିଲା। ଆଜି ଡିଏନଜି କିଟ୍‌ର ସ୍ଥାନରେ ଲାଇଭ୍-ୟୁ ସହାୟତାରେ ସିଧାପ୍ରସାରଣ (ଲାଇଭ୍ ବ୍ରଡକାଷ୍ଟିଂ) ବି କରାଯାଇପାରୁଛି। କେବଳ ସେତିକି ନୁହେଁ, ଓଟିଟି ପ୍ଲାଟଫର୍ମ ଆସିବା ପରେ ସ୍କାଇପି, ହ୍ୱାଟସଆପ୍ ଭଳି ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ଜଣେ ରିପୋର୍ଟର କୌଣସି ଏକ ସ୍ଥାନରୁ ସିଧା ଲାଇଭ୍ କରିପାରିବ।

ଏହା ବ୍ୟତୀତ ହ୍ୱାଟସଆପ୍ ଆସିବା ପରେ ବିଭିନ୍ନ ଟେଲିଭିଜନ୍ ଚାନେଲର ନ୍ୟୁଜ୍ ମ୍ୟାନେଜମେଣ୍ଟ ପାଇଁ ଗଠିତ ହୋଇଛି ବିଭିନ୍ନ ଗ୍ରୁପ୍। ସେହି ଗ୍ରୁପରେ ସଂପୃକ୍ତ ସମସ୍ତ ସଦସ୍ୟ ଖବର ସଂଗ୍ରହଠାରୁ ଆରମ୍ଭ କରି ଖବରର ମାନବୃଦ୍ଧି ଦିଗରେ ନିଜର ମତାମତ ଦେବା ଏବଂ ଏହାର ପରିଚାଳନା କରିବାରେ ସକ୍ଷମ ହୋଇପାରୁଛନ୍ତି।

ଏବେ ଗୋଟିଏ ସ୍ମାର୍ଟଫୋନ ଜରିଆରେ କେବଳ ତଥ୍ୟ ଆଦାନପ୍ରଦାନ ନୁହେଁ, ପୂରା ଭିଜୁଆଲ ଏବଂ ଷ୍ଟୋରି ପଠାଯାଇପାରୁଛି। ଏପରିକି ରିପୋର୍ଟରମାନେ ମୋବାଇଲ ଫୋନରେ ଲାଇଭ୍ ରିପୋର୍ଟିଂ କରିବାରେ ବି ସକ୍ଷମ ହୋଇପାରିଛନ୍ତି। ଟେଲିଭିଜନ୍ ପ୍ରସାରଣ ସେବା ଦୃଷ୍ଟିରୁ ଦେଖିଲେ, ଡାଟା ଟ୍ରାନ୍ସଫର ଦିଗରେ ଇଣ୍ଟରନେଟର ବ୍ୟବହାର ଆଣିଛି ଏକ ଯୁଗାନ୍ତକାରୀ ପରିବର୍ତ୍ତନ। ଏହା ସମସ୍ତଙ୍କ କାମକୁ ଅଧିକ ସରଳ କରିବାରେ ସହାୟକ ହୋଇପାରିଛି।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tag: #ETVOdia #ETVOriya #DrFakirMohanNahak #JourneyofTelevisioninOdisha #InternetUse #DNGTesting #ଡକ୍ଟରଫକୀରମୋହନନାହାକ #ଈଟିଭିଓଡ଼ିଆ

Comment