ଡକ୍ଟର ଫକୀର ମୋହନ ନାହାକ

ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ୍ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ନବେ ଦଶକର ପ୍ରାରମ୍ଭରେ ବିଶ୍ୱ ଅର୍ଥନୈତିକ ବଜାର ପାଇଁ ଭାରତ ତାର ଦ୍ୱାର ଖୋଲିଦେବା ପରେ, ବସ୍ତୁତଃ ଦେଶର ଟେଲିଭିଜନ ଜଗତରେ ଦୂରଦର୍ଶନର ଏକାଧିପତ୍ୟ ଶେଷହେବା ପାଇଁ ବାଟ ଖୋଲିଗଲା। ଫଳସ୍ୱରୂପ ଭାରତୀୟ ମିଡିଆ କମ୍ପାନି ଭାବେ ଜୀ ମିଡିଆ (ଜୀ ନ୍ୟୁଜ୍ ଓ ଜୀ ଟିଭି) ଏବଂ ବିଦେଶୀ କମ୍ପାନି ଭାବେ ଷ୍ଟାର୍ ନ୍ୟୁଜ୍ ଓ ଷ୍ଟାର ଟିଭି (ସାଟେଲାଇଟ୍ ଟେଲିଭିଜନ ଏସିଆ ରିଜନ୍ ଷ୍ଟାର ଲିମିଟେଡ) ଦେଶରେ ଘରୋଇ ଟେଲିଭିଜନ ପ୍ରସାରଣ ସେବା ଆରମ୍ଭ କରିପାରିଥିଲେ।

ଈଟିଭି ନେଟଓ୍ୱର୍କର ଅଧ୍ୟକ୍ଷ ରାମୋଜୀ ରାଓ ୨୦୦୨, ଜାନୁଆରି ୨୭ ତାରିଖ ଦିନ ଈଟିଭି ଓଡ଼ିଆ ସହି ଛଅଟି ଭାଷାରେ ଚାନେଲର ଶୁଭାରମ୍ଭ କରୁଛନ୍ତି।

ତେବେ ବିଦେଶୀ କମ୍ପାନିଙ୍କୁ ଖବର ପ୍ରସାରଣର ଅନୁମତି ନଥିବା ଯୋଗୁଁ ଷ୍ଟାର ଟିଭି, ବରିଷ୍ଠ ସାମ୍ବାଦିକ ପ୍ରଣୟ ରାୟଙ୍କ ଏନଡିଟିଭି (ନ୍ୟୁଦିଲ୍ଲୀ ଟେଲିଭିଜନ୍ ଲିମିଟେଡ୍) ସହିତ ବୁଝାମଣା କରି ସେବା ଯୋଗାଉଥିଲେ। କିନ୍ତୁ ଏହାଥିଲା କେବଳ ଜାତୀୟ ସ୍ତରର ପ୍ରସାରଣ ସେବା। କୌଣସି ଆଞ୍ଚଳିକ ଭାଷାରେ ଟେଲିଭିଜନ୍ ପ୍ରସାରଣ ପାଇଁ କେହି ଆଗ୍ରହ ପ୍ରକାଶ କରିନଥିଲେ। ଏଭଳି ସ୍ଥଳେ ଦକ୍ଷିଣ ଭାରତରେ ଆରମ୍ଭ ହେଲା ଘରୋଇ ଟେଲିଭିଜନ୍ କମ୍ପାନିମାନଙ୍କ ଦ୍ୱାରା ଆଞ୍ଚଳିକ ଭାଷାର ସ୍ୱତନ୍ତ୍ର ଚାନେଲ। ବିଶେଷ କରି ସନ୍ ନେଟୱର୍କ ଓ ଈଟିଭି ନେଟୱର୍କ ଏ କ୍ଷେତ୍ରରେ ଥିଲେ ଦୁଇ ଜଣ ଅଘୋଷିତ ପ୍ରତିଦ୍ୱନ୍ଦ୍ୱୀ।

ଭାରତୀୟ ଭାଷାରେ ପ୍ରଥମ ଆଞ୍ଚଳିକ ଟେଲିଭିଜନ୍ ଚାନେଲ ଥିଲା ସନ୍ ଟିଭି । ଏହା ଲୋକାର୍ପିତ ହୋଇଥିଲା ୧୯୯୨ ମସିହାରେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ନେଟୱର୍କ କନ୍ନଡ଼, ମାଲାୟାଲାମ୍, ତେଲୁଗୁ ଏବଂ ପରେ ପରେ ବାଂଲା ଏବଂ ମରାଠୀ ଭାଷାରେ ତାର ସେବା ଆରମ୍ଭ କରିଥିଲା। ସେହିଭଳି ରାମୋଜୀ ରାଓ ୧୯୯୫ରେ ଆରମ୍ଭ କରିଥିଲେ ଈଟିଭି, ଯାହା ମୂଳତଃ କେବଳ ତେଲୁଗୁ ଭାଷାଭାଷୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ତା ପରେ ବାଂଲା, ମରାଠୀ, କନ୍ନଡ଼ ଏବଂ ଉର୍ଦ୍ଦୁ ଚାନେଲ ପ୍ରତିଷ୍ଠା କରିଥିଲେ ସେ। ଦେଶର ମିଡିଆ ବାରୋନ୍ ଭାବେ ଜଣାଶୁଣା ରାମୋଜୀ ରାଓଙ୍କ କାର୍ଯ୍ୟଶୈଳୀ ଦେଖିଲେ ଲାଗୁଥିଲା ସତେ ଯେମିତି ସେ ଭାରତୀୟ ଭାଷାରେ ସମ୍ବାଦିକତା ପାଇଁ ନିଜର ସମସ୍ତ ଚାନେଲ ପ୍ରସ୍ତୁତ କରିବେ।

ଯେତେବେଳେ ଆମେ ଓଡ଼ିଶାରେ ଟେଲିଭିଜନ୍ ସେବା ନେଇ ଆଲୋଚନା କରୁ ସେତେବେଳେ ଆଖି ସାମ୍ନାକୁ ଆସେ ଈଟିଭି ଓଡ଼ିଆ। ଅବଶ୍ୟ ଟେଲିଭିଜନ ପ୍ରସାରଣ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟଠାରୁ ଆବଶ୍ୟକୀୟ ଅନୁମତି ବିନା ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉକେଲା ଏବଂ ବ୍ରହ୍ମପୁର ଭଳି ସହରରେ ସ୍ଥାନୀୟ କିଛି ଯୁବକ ମିଶି ଗୋଟିଏ ଗୋଟିଏ କେବୁଲ ଟେଲିଭିଜନ୍ ଆରମ୍ଭ କରିଥିଲେ। କିନ୍ତୁ ସେମାନଙ୍କ ପାଖରେ ସାଟେଲାଇଟ୍ ଟେଲିଭିଜନ୍ ସେବା ଯୋଗାଇବାର କୌଣସି ବ୍ୟବସ୍ଥା ନଥିଲା। ତାହା କେବଳ ସ୍ଥାନୀୟ ପ୍ରସାରଣ ମଧ୍ୟରେ ସୀମିତ ଥିଲା। ଏହାକୁ ବୈଷୟିକ ଭାଷାରେ ନ୍ୟାରୋକାଷ୍ଟିଂ କୁହାଯାଇପାରେ। କିନ୍ତୁ ସେହି ସ୍ଥାନୀୟ ସହରର ବିଭିନ୍ନ ଘଟଣା ଓ କାର୍ଯ୍ୟକ୍ରମକୁ ସେମାନେ ଉପସ୍ଥାପନ କରୁଥିଲେ। ଅନ୍ୟପକ୍ଷରେ ଓଡ଼ିଶାରେ ପ୍ରଥମ ଘରୋଇ ସାଟେଲାଇଟ୍ ଟେଲିଭିଜନ୍ ଚାନେଲ ଭାବେ ଈଟିଭି ଓଡ଼ିଆ ପ୍ରସାରଣ ଆରମ୍ଭ କରିବା କାର୍ଯ୍ୟ ରାତାରାତି ହୋଇନି। ଏଥିପାଇଁ ଅନେକ ଲୋକଙ୍କ ଦୂରଦୃଷ୍ଟି ସାଙ୍ଗକୁ ସମୟ, ଶ୍ରମ, ଅର୍ଥ ଓ ପୁରୁଷାର୍ଥକୁ ବିନିଯୋଗ କରିବାକୁ ପଡ଼ିଛି।

ଈଟିଭି ନେଟଓ୍ୱର୍କର ତତ୍କାଳୀନ ମୁଖ୍ୟ ପରିଚାଳକ କେ.ବାପିନୀଡୁ

ଚାନେଲ ସିନା ୨୦୦୨ ଜାନୁଆରି ୨୭ ତାରିଖରେ ବିଧିବଦ୍ଧ ପ୍ରସାରଣ ଆରମ୍ଭ କଲା, କିନ୍ତୁ ତାର ଢେର୍ ପୂର୍ବରୁ ଏଥିପାଇଁ ଚାଲିଥିଲା ପ୍ରସ୍ତୁତି। ଈଟିଭି ଓଡ଼ିଆ ଚାନେଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହେବା ପରେ ତତ୍କାଳୀନ ମୁଖ୍ୟ ପରିଚାଳକ କେ.ବାପି ନୀଡୁ, ମୁଖ୍ୟ ପ୍ରଯୋଜକ ପ୍ରଫେସର ପବନ କୁମାର ମାନୱୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ବହୁ ପୁରୁଣା ଅଭିନେତା ଏସ୍.ଚକ୍ରପାଣି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ।

ତତ୍କାଳୀନ ଈଟିଭି ଓଡ଼ିଆ ମୁଖ୍ୟ ଏସ୍. ଚକ୍ରପ୍ରାଣି

୨୦୦୦ ମସିହାର ଶେଷ ଆଡ଼କୁ ଚାନେଲ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା। ଚାନେଲ ମୁଖ୍ୟ ଥିଲେ ଏସ୍.ଚକ୍ରପାଣି। ତାଙ୍କୁ ଚାନେଲ ଦାୟିତ୍ୱ ଦିଆଯିବା ପଛରେ ବି ଥିଲା ଏକ ବଡ଼ କାରଣ। ସେ ତେଲୁଗୁ ଭାଷୀ ହେଲେ ବି ଓଡ଼ିଶାରେ ଦୀର୍ଘଦିନ କାମ କରିଛନ୍ତି। ତା ଛଡ଼ା ସେ ସପତ୍ନୀକ ଉଭୟ ଓଡ଼ିଆ ଏବଂ ତେଲୁଗୁ ସିନେମା ଜଗତ ପାଇଁ କାମ କରିସାରିଥିଲେ। ରାମୋଜୀ ରାଓଙ୍କ ସହିତ ତାଙ୍କ ସମ୍ପର୍କ ବି ବେଶ୍ ଭଲ ଥିଲା। ଚାନେଲ ହାଇଦ୍ରାବାଦରୁ ପ୍ରସାରଣ ସେବା ଯୋଗାଇବା ବ୍ୟବସ୍ଥା ଥିଲା ବେଳେ, ଏହାର ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ଭୁବନେଶ୍ୱରରେ ବି ଭିତ୍ତିଭୂମିର ଆବଶ୍ୟକତା ଥିଲା। ତେଣୁ ଭୁବନେଶ୍ୱର ଭଞ୍ଜପ୍ରଭା ଭବନରେ ଆରମ୍ଭ ହୋଇଥିଲା ଏହାର ଆଞ୍ଚଳିକ କାର୍ଯ୍ୟାଳୟ।

ଈଟିଭି ନେଟଓ୍ୱର୍କର ତତ୍କାଳୀନ ମୁଖ୍ୟ ପ୍ରଯୋଜକ ପ୍ରଫେସର ପି.କେ. ମାନୱୀ

ଓଡ଼ିଆ ସିନେମାର ଅନ୍ୟତମ ଜଣାଶୁଣା ନାଁ ସଞ୍ଜୟ ପାଠକ୍ ଏବଂ ସତ୍ୟ ରଥ ଭୁବନେଶ୍ୱରରେ ଈଟିଭି ଟିମର ନେତୃତ୍ୱ ନେଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୦୧ ଫେବ୍ରୁଆରିରୁ ଜୁନ୍ ମାସ ଭିତରେ ପ୍ରୋଗ୍ରାମିଂ ଟିମ୍ ଲାଗି ଆବଶ୍ୟକ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆସରିଥିଲା। ସେମାନେ ଚାନେଲ ପ୍ରସାରଣ ହେବାର ପ୍ରାୟ ଗୋଟିଏ ବର୍ଷ ପୂର୍ବରୁ କାମ ଆରମ୍ଭ କରିସାରିଥିଲେ। ଗୋଟିଏ ଟେଲିଭିଜନ୍ ଚାନେଲ ଆରମ୍ଭ କରିବା ପୂର୍ବରୁ ଯେ, ଲାଇବ୍ରେରିରେ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟାଙ୍କିଙ୍ଗ୍ ଆବଶ୍ୟକ, ସେ କଥାଟା ଈଟିଭିର ଏହି ପ୍ରାରମ୍ଭିକ ଟିମରେ କାମ କରି ଜାଣିବାର ସୁଯୋଗ ମିଳିଥିଲା ମୋତେ। ମୁଁ କାହିଁକି, ମୋ ଭଳି ଅନ୍ୟ ଯେଉଁମାନେ ବି ଥିଲେ, କାହାରି ପାଖରେ ଚାନେଲ ଚଳାଇବାର ଅଭିଜ୍ଞତା ନଥିଲା।

ଅବଶ୍ୟ ଆମ ପାଇଁ ଗୋଟିଏ ମହାର୍ଘ ସୁଯୋଗ ଥିଲା, ନିଜ ଅନଭିଜ୍ଞତାକୁ ଧୀରେ ଧୀରେ ଅଭିଜ୍ଞତା ହାସଲ କରି କିଭଳି ଦୂରେଇ ଦିଆଯାଇପାରିବ. ତା ଲାଗି। ଯେହେତୁ ଈଟିଭି ନେଟୱର୍କରେ ପୂର୍ବରୁ ପାଞ୍ଚଟି ଅନ୍ୟ ଭାଷାଭାଷୀ ଚାନେଲ ଥିଲା, ତେଣୁ ଆମମାନଙ୍କ ତାଲିମରେ କୌଣସି ଅସୁବିଧା ହେଲାନି। ସେସବୁ ଚାନେଲରେ କାମ କରୁଥିବା ଅଭିଜ୍ଞ କର୍ମଚାରୀମାନେ ଆମକୁ ମାର୍ଗଦର୍ଶନ କରିବାରେ ବେଶ୍ ସହାୟକ ହୋଇଥିଲେ।

ଈଟିଭି  ଫିକ୍ସନ୍, ନନ୍-ଫିକ୍ସନ୍ ଏବଂ ରିଆଲିଟି ସୋ’ .. ସବୁକିଛି ନେଇ ଆସିଥିଲା ମେଗା ଧାରାବାହିକ ଏବଂ ସାପ୍ତାହିକ ଧାରାବାହିକ ବ୍ୟତୀତ ଓଡ଼ିଆ ସିନେମା ପ୍ରସାରଣର ବ୍ୟବସ୍ଥା କରିଥିଲା ଈଟିଭି। ତେଣୁ ଏ ସବୁପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା ବର୍ଷେକାଳ ଧରି। ହେଲେ ଜୁଲାଇ ୨୦୦୧ ମସିହା ଯାଏଁ ଈଟିଭିର ନ୍ୟୁଜ୍ ପ୍ରସାରଣ ବାବଦରେ କୌଣସି ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇନଥାଏ। ବିଭନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହେବା ପରେ ଅଗଷ୍ଟ ମାସରେ ଆରମ୍ଭ ହେଲା ନ୍ୟୁଜ୍ ପାଇଁ ନିଯୁକ୍ତି ପ୍ରକ୍ରିୟା। ସେପ୍ଟେମ୍ବର ମାସରେ ଜଣେ ଜଣେ କରି କର୍ମଚାରୀ ଯୋଗଦେଲେ ବିଶ୍ୱର ସର୍ବବୃହତ୍ ଫିଲ୍ମ ଷ୍ଟୁଡିଓ ରାମୋଜୀ ଫିଲ୍ମ ସିଟିରେ। କାରଣ ଏଇଠି ରହିଛି, ଈଟିଭିର ସମସ୍ତ ଚାନେଲର ମୁଖ୍ୟ କାର୍ଯ୍ୟାଳୟ। ଏଠାରେ ହିଁ ରହିଛି ସମସ୍ତ ପ୍ରସାରଣର ବ୍ୟବସ୍ଥା ସାଙ୍ଗକୁ ସାଟେଲାଇଟ୍ ସଂଯୋଗ ପାଇଁ ଆର୍ଥ୍ ଷ୍ଟେସନ୍।

ଓଡ଼ିଶାର ସାମ୍ବାଦିକତା ଓ ଗଣଯୋଗାଯୋଗ ଶିକ୍ଷା କ୍ଷେତ୍ରରେ କୌଣସି ପ୍ରତିଷ୍ଠାନରେ କ୍ୟାମ୍ପସ୍ ସାକ୍ଷାତକାର ଆୟୋଜନ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଥିଲା ଈଟିଭି ଓଡ଼ିଆ। ଈଟିଭି ଓଡ଼ିଆ ନ୍ୟୁଜର ପ୍ରଥମ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ ଅମିତାଭ ଭଟ୍ଟାଶାଳୀ (ବର୍ତ୍ତମାନ ସେ ବିବିସିର ବାଂଲା ସର୍ଭିସ୍ ପାଇଁ କାର୍ଯ୍ୟ କରୁଛନ୍ତି)। ତାଙ୍କ ନେତୃତ୍ୱରେ ଏକ ଟିମ୍ ୨୦୦୧ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ କ୍ୟାମ୍ପସ୍ ସିଲେକ୍ସନ୍ ପାଇଁ ପହଞ୍ଚିଥିଲେ। ଏଥିରେ ତତ୍କାଳୀନ ଛାତ୍ରଛାତ୍ରୀଙ୍କ ବ୍ୟତୀତ ସେହି ବିଭାଗର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ବି ସୁଯୋଗ ଦିଆଯାଇଥିଲା। ପ୍ରଥମ ଥର ପାଇଁ ସେଠାରୁ ୨୩ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଥିଲେ ଈଟିଭି ଓଡ଼ିଆରେ। ଏହା ବ୍ୟତୀତ ଆଇଆଇଏମସି ଢେଙ୍କାନାଳରୁ ଦୁଇ ଜଣ ପାଇଥିଲେ ନିଯୁକ୍ତି।

ମୋଟାମୋଟି କହିବାକୁ ଗଲେ ଅଧିକାଂଶ ଥିଲେ ଅନଭିଜ୍ଞ ଛାତ୍ରଛାତ୍ରୀ। ତା ଛଡ଼ା ଯେଉଁ ଦୁଇ ତିନି ଜଣ ୩-୫ ବର୍ଷର ଅଭିଜ୍ଞତା ନେଇ ଆସିଥିଲେ, ସେମାନେ ସମସ୍ତେ ଥିଲେ ଖବରକାଗଜର ଲୋକ। ତା’ମାନେ ଟେଲିଭିଜନ୍ ଓ ପ୍ରସାରଣ ସମ୍ପର୍କିତ ଜ୍ଞାନ କାହାରି ପାଖରେ ନଥିଲା। କିନ୍ତୁ ସମସ୍ତଙ୍କ ଭିତରେ ଥିଲା ଏକ ଅଦ୍ଭୂତ ଉତ୍ସାହ ଏବଂ ଜିଜ୍ଞାସା। ଆଙ୍ଗୁଠି ଦେଖାଇଲେ ବାଟ କଢ଼ାଇ ନେବାର ଦକ୍ଷତା ଥିଲା ସମସ୍ତଙ୍କର। ସିଧା ଭାଷାରେ କହିଲେ, କଞ୍ଚାମାଟିର ଗୋଟିଏ ଗୋଟିଏ ଗୁଳାରୁ ମୂର୍ତ୍ତି ହୋଇ ଗଢ଼ିହେଲେ ସମସ୍ତେ।

ଈଟିଭି ଓଡ଼ିଆ ଆମ ସମସ୍ତଙ୍କ ପାଇଁ ପାଲଟି ଯାଇଥିଲା ଟେଲିଭିଜନ୍ ଶିକ୍ଷାର ପ୍ରଥମ ଶିକ୍ଷାୟତନ। ନିୟମିତ ତାଲିମ୍, ବିଶ୍ୱବିଦ୍ୟାଳୟ ଭଳି ଶ୍ରେଣୀଗୃହରେ ଶିକ୍ଷା, ୱର୍କସପ୍ ବା କର୍ମଶାଳା ଇତ୍ୟାଦି, ଧୀରେ ଧୀରେ ଜଣେ ଜଣେ ଦକ୍ଷ ପ୍ରଫେସନାଲ ଭାବେ ଗଢ଼ିତୋଳିଲା ସମସ୍ତଙ୍କୁ। ଆମ୍ଭମାନଙ୍କ ଭିତରେ ଟିମ୍ ସ୍ପିରିଟ୍ ଏଭଳି ଥିଲା ଯେ, ଜଣକୁ କିଛି ସମସ୍ୟା ହେଲେ ଅନ୍ୟ ଜଣେ ତା ପାଖରେ ଠିଆ ହୋଇପଡୁଥିଲା। ବାହାର ଲୋକଙ୍କଠୁ ଶିଖିବା ସହିତ ଆମେ ସମସ୍ତେ ପରସ୍ପରଠାରୁ ଅନେକ କିଛି ଶିଖିବାର ସୁଯୋଗ ପାଇଲୁ।

ଥରକୁ ଥର ପଡ଼ି ତଳେ, ଚାଲଇ ଅଭ୍ୟାସର ବଳେ .. ନ୍ୟାୟରେ ଆମେ ସମସ୍ତେ ନିଜ ନିଜ ପ୍ରୟାସରେ ଏବଂ ଅଭ୍ୟାସରେ ଟେଲିଭିଜନର ବିଭିନ୍ନ ବିଭାଗରେ ଦକ୍ଷତାର ସହିତ କାମ କରିବାରେ ସକ୍ଷମ ହୋଇପାରିଥିଲୁ। ଯାହାର ଫଳ ସ୍ୱରୂପ, ଆଜି ଓଡ଼ିଶାର ସିଂହଭାଗ ଚାନେଲର ମଙ୍ଗ ସମ୍ଭାଳୁଛନ୍ତି ଈଟିଭିଆନମାନେ। ଈଟିଭି ଓଡ଼ିଆ ଆରମ୍ଭ ହେଲାବେଳେ ଯେଉଁମାନେ କାମ କଲେ, ସେମାନଙ୍କୁ କୁହାଗଲା ଏକ ନୂଆ ପ୍ରଜାତିର ସାମ୍ବାଦିକ (A New Breed of Journalists)। କାରଣ ତା ପୂର୍ବରୁ ଟେଲିଭିଜନର ବିଭିନ୍ନ ବିଭାଗରେ ଭିନ୍ନ ଭିନ୍ନ ଲୋକ କାମ କରୁଥିଲେ। ଉଦାହରଣ ସ୍ୱରୂପ କପି ଏଡିଟର କପି ଲେଖିଲା ବେଳେ, ଟିପି ଅପରେଟର ଟେଲିପ୍ରମ୍ପଟର ଚଳାଉଥିଲା। ସିଜି ଅପରେଟର ଗ୍ରାଫିକ୍ସ ସ୍କ୍ରଲ୍ ଚଳାଉଥିଲା ବେଳେ ଭଏସ୍ ଓଭର ଆର୍ଟିଷ୍ଟ ଭଏସ୍ ଓଭର ରେକର୍ଡ କରୁଥିଲା।

ଏହା ଛଡ଼ା ଭିଜୁଆଲ ଏଡିଟିଂ କାମ କରୁଥିଲେ ଭିଡିଓ ଏଡିଟର। କିନ୍ତୁ ଏହି ନୂଆ ପ୍ରଜାତିର ସାମ୍ବାଦିକମାନଙ୍କ ତାଲିମ୍ ଏ ସବୁ କାମ ପାଇଁ କରାଗଲା। ଯାହାଫଳରେ ଜଣେ କପି ଏଡିଟର କେବଳ ଷ୍ଟୋରି ଲେଖାରେ ସୀମିତ ରହୁନଥିଲା, ତାକୁ ନିଜେ ହିଁ ଭଏସ୍ ଓଭର କରିବା ସହିତ, ତାହାର ଭିଜୁଆଲ ଏଡିଟିଂ କରି, ସେଥିରେ ସିଜି ଅପରେଟ୍ କରି ସମ୍ପୂର୍ଣ୍ଣ ଅଡିଓ ଭିଜୁଆଲ ଷ୍ଟୋରିଟିକୁ ପ୍ରସ୍ତୁତ କରିବାକୁ ପଡ଼ିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ପୂର୍ବରୁ ଥିବା ଚାନେଲଗୁଡ଼ିକରେ ଏହି ବ୍ୟବସ୍ଥା ନଥିବାରୁ, ସେଠାକାର କର୍ମଚାରୀମାନେ ବି ବଡ଼ ଆଶ୍ଚର୍ଯ୍ୟର ସହ ଏହି ପରିବର୍ତ୍ତନକୁ ଗ୍ରହଣ କରୁଥିଲେ। କିନ୍ତୁ ଯେହେତୁ ଆମେ ସମସ୍ତେ ନୂଆ କରି କାମ କରିବା ଆରମ୍ଭ କରିଥିଲୁ, ତେଣୁ ଏହା ଆମ ପାଇଁ ସହଜ, ସରଳ ଓ ବୋଧ୍ୟଗମ୍ୟ ଥିଲା। କେବଳ ସେଥିପାଇଁ ଏ ଲେଖକ ଜୋର୍ ଦେଇ ଏତିକି କହିପାରିବ ଯେ, ଈଟିଭି ଓଡ଼ିଆରେ କାମ କରିଥିବା ସାମ୍ବାଦିକଟିଏ ଟେଲିଭିଜନର ଯେ କୌଣସି ଦାୟିତ୍ୱ ଦେଲେ ଅତି ସୁଚାରୁ ରୂପେ ତୁଲାଇ ପାରିବାର ଦକ୍ଷତା ରଖିଛି। ଆଉ ତାହା ଆଜି ଓଡ଼ିଶାର ବିଭିନ୍ନ ଚାନେଲରେ କାମ କରୁଥିବା ଲୋକମାନେ ମୁକ୍ତକଣ୍ଠରେ ସ୍ୱୀକାର କରିବେ।

ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଯେଉଁଦିନ ଈଟିଭି ଓଡ଼ିଆ ପ୍ରସାରଣ ଆରମ୍ଭ କଲା, ସେଦିନର ପ୍ରଥମ ନ୍ୟୁଜ୍ ବୁଲେଟିନ୍ ପ୍ରସାରିତ ହୋଇଥିଲା ଦିନ ଗୋଟାଏ ବେଳେ। ୨୦୦୨ ଜାନୁଆରୀ ୨୭ .. ଦିନ ଗୋଟାଏ .. ଷ୍ଟୁଡିଓ ଏବଂ ପିସିଆର (ପ୍ରଡକ୍ସନ କଣ୍ଟ୍ରୋଲ ରୁମ୍) ଭିତରେ ଏକ ଅହେତୁକ ନୀରବତା। ନ୍ୟୁଜ୍ ଡେସ୍କରେ ଜଣେ ଦୁଇ ଜଣକୁ ଛାଡ଼ିଦେଲେ ସମସ୍ତଙ୍କ ନଜର ଟିଭି ଉପରେ।

ପିସିଆର ଭିତରେ ପ୍ରଥମ ବୁଲେଟିନର ପ୍ରଥମ ପାନେଲ ପ୍ରଡ୍ୟୁସର ଭାବେ ବସିଥାନ୍ତି ମୋର ସହପାଠୀ ବନ୍ଧୁ ପି.ବିଜୟ କ୍ରିଷ୍ଣା। ପ୍ରଥମ ବୁଲେନିଟ୍ ପ୍ରଡ୍ୟୁସର ମାୟାଧର ପ୍ରଧାନ। ପ୍ରଥମ ଷ୍ଟୋରିର ଭଏସ୍ ଓଭର ସନ୍ତୋଷ ମହାପାତ୍ର ଏବଂ କପି ଏଡିଟର ଫକୀର ମୋହନ ନାହାକ। ହେଡଲାଇନ୍ ପରେ ଯିବ ପ୍ରଥମ ଷ୍ଟୋରି। କିନ୍ତୁ ସେତେବେଳ ଯାଏଁ ସେହି ଷ୍ଟୋରି ପିସିଆରରେ ପହଞ୍ଚିନଥାଏ। ସେଣ୍ଟ୍ରାଲ ଏସି ଭିତରେ ବସି ବି ବିଜୟଙ୍କ ମୁଣ୍ଡରୁ ଗମ୍ ଗମ୍ ଝାଳ ବହୁଥାଏ। ଏଣେ ମୋ ସିଷ୍ଟମରୁ ଏକ୍ସପୋର୍ଟ ଚାଲିଥାଏ ଷ୍ଟୋରି। ବୁଲେଟିନ୍ ଆରମ୍ଭ ହେବାକୁ ମାତ୍ର ୩୦ ସେକେଣ୍ଡ୍ ବାକି। ମୋ ଷ୍ଟୋରି ଏକ୍ସପୋର୍ଟ ସରିଲା। ପ୍ରଥମ ମହଲାରୁ ଅଣ୍ଡର ଗ୍ରାଉଣ୍ଡର ଦୁଇ ମହଲା ତଳେ ଥିବା ପିସିଆରକୁ ମୁଁ ଆଖିବୁଜି ଦୌଡ଼ିଲି। କବାଟ ଖୋଲି ଏକା ନିଃଶ୍ୱାସରେ କହିଲି, ଷ୍ଟୋରି ଏକ୍ସପୋର୍ଟ ସରିଛି। କ୍ୟାରି କର।

ସବୁ ନୀରବତାକୁ ଭାଙ୍ଗି ବିଜୟ ଟକ୍ ବ୍ୟାକ୍ (ଆଙ୍କରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପାନେଲ ପ୍ରଡ୍ୟୁସରଙ୍କ ପାଖରେ ଲାଗିଥିବା ମାଇକ୍ରୋଫୋନ୍, ଯାହାକୁ ଟିଭି ଭାଷାରେ ଆଇ.ଏଫ୍.ବି ବା ଇଣ୍ଟରପ୍ଟିବଲ୍ ଫୋଲଡ୍ ବ୍ୟାକ୍ ବି କୁହାଯାଏ)ଅନ୍ କରି କମାଣ୍ଡ ଦେଲେ .. ଷ୍ଟାଣ୍ଡବାଇ … ଟେନ୍ ସେକେଣ୍ଡସ୍ ଟୁ ଗୋ .. ନାଇନ୍ .. ଏଇଟ୍ .. ସେଭେନ୍ .. ସିକ୍ସ .. ଫାଇଭ .. ଫୋର୍ .. ଥ୍ରୀ .. ଟୁ .. ୱାନ୍ .. କ୍ୟୁ …

ନମସ୍କାର .. ଈଟିଭି ନ୍ୟୁଜକୁ ସ୍ୱାଗତ .. ମୁଁ ରୁପାଲି କର .. ପ୍ରଥମେ ହେଡଲାଇନସ୍ … । .. ଅର୍ଥାତ୍ ରୁପାଲି କର ଥିଲେ ଈଟିଭି ନ୍ୟୁଜର ପ୍ରଥମ ନ୍ୟୁଜ୍ ରିଡର। ତା ପରେ ଯାହା କିଛି .. ସେ ସବୁ ଇତିହାସ । ସେହି ପ୍ରଥମ ଦିନର ରୋମାଞ୍ଚ ସମସ୍ତଙ୍କ ପାଇଁ ସବୁଦିନ ଲାଗି ଏକ ଅବିସ୍ମରଣୀୟ ମୁହୂର୍ତ୍ତ। ସେହି ନ୍ୟୁଜ୍ ଡେସ୍କରୁ କିଭଳି ଖବର ପ୍ରସାରଣର ନୂଆ ଟ୍ରେଣ୍ଡ୍ ତିଆରି ହେଲା, କିଭଳି ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା ଓ କାର୍ଯ୍ୟାନ୍ୱୟନ ହେଲା, ଦର୍ଶକଙ୍କ ସହିତ କିଭଳି ଏକ ଆବେଗିକ ସମ୍ପର୍କ ଗଢ଼ିଉଠିଲା ଏବଂ ଓଡ଼ିଶା ଟେଲିଭିଜନ୍ ଇତିହାସରେ ପ୍ରସାରଣ ହୋଇଥିବା ଏମିତି କିଛି ସ୍ମରଣୀୟ ଏବଂ ଉଦାହରଣୀୟ ଘଟଣା ସମ୍ପର୍କରେ ଆଗକୁ ଆଲୋଚନା କରିବା।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Comment