ଓଡ଼ିଶାଲାଇଭ୍ ବ୍ୟୁରୋ

NALCO

ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲକୋ)କୁ ସିଏସଆର କ୍ଷେତ୍ରରେ ଉତ୍କର୍ଷତା ଲାଗି ରାଷ୍ଟ୍ରପତି ପୁରସ୍କାର ନିମନ୍ତେ ଚୟନ କରାଯାଇଛି। ନାଲକୋର ଅଲିଅଳି ଝିଅ ଯୋଜନାର ପ୍ରଣୟନ ପାଇଁ ଭାରତ ସରକାରଙ୍କ କର୍ପୋରେଟ୍ ଆଫେୟାର୍ସ ବିଭାଗ ଏହି ପୁରସ୍କାର ପାଇଁ ନାଲକୋକୁ ଚୟନ କରିଛି।

ନାଲକୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି, ‘‘ଝିଅମାନଙ୍କର ଶିକ୍ଷାକୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆମେ ଏହି ପଦକ୍ଷେପ ଆଜି ସମଗ୍ର ଦେଶରେ ମହିଳା ସଶକ୍ତକରଣ ଦିଗରେ ଉଦାହରଣ ସାଜିଛି।’’

ଏହି ଯୋଜନାରେ ବାଳିକାମାନଙ୍କୁ ଶିକ୍ଷା ପାଇଁ ଆର୍ଥିକ ସହାୟତା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସହଯୋଗ କରାଯାଉଛି। ଏହି ଯୋଜନାରେ ଅନଗୁଳ ଓ ଦାମନଯୋଡ଼ି ଅଞ୍ଚଳର ୬୬ ଗ୍ରାମରୁ ୪୧୬ ଜଣ ଛାତ୍ରୀଙ୍କୁ ୪୫ଟି ବିଦ୍ୟାଳୟରେ ନାଲକୋ ଅଲିଅଳି ଝିଅ ଭାବେ ଗ୍ରହଣ କରି ସହାୟତା ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ‘ବେଟି ବଚାଓ, ବେଟି ପଢ଼ାଓ’ କାର୍ଯ୍ୟକ୍ରମ ଅଧିନରେ ନାଲକୋର ଅଲିଅଳି ଝିଅ ଯୋଜନା ଆରମ୍ଭ ହୋଇଥିଲା। ୨୦୧୫ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଦାମନଯୋଡ଼ି, ଅନଗୁଳ ଏବଂ ପଟ୍ଟାଙ୍ଗୀ ଅଞ୍ଚଳର ଗରୀବ ପରିବାରର ମେଧାବୀ ଛାତ୍ରୀମାନଙ୍କୁ ଚୟନ କରାଯାଇଥିଲା। ଏହି ଛାତ୍ରୀମାନଙ୍କୁ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆର୍ଥିକ ସହୟତା ପ୍ରଦାନ କରାଯାଇଛି।

ନାଲକୋର ଅଲିଅଳି ଝିଅ କାର୍ଯ୍ୟକ୍ରମକୁ ଅଧିକ ସମୃଦ୍ଧ କରିବା ପାଇଁ ନିକଟରେ ନାଲକୋ ପକ୍ଷରୁ କର୍ମଚାରୀ ସାମାଜିକ ଦାୟିତ୍ୱବୋଧ ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ କର୍ମଚାରୀମାନେ ସାମାଜିକ କଲ୍ୟାଣ ପାଇଁ କମ୍ପାନିର ପଦକ୍ଷେପରେ ସାମିଲ ହୋଇପାରିବେ। ସାମାଜିକ ଦାୟିତ୍ୱବୋଧ ଯୋଜନାରେ କର୍ମଚାରୀମାନେ ନାଲକୋର ଅଲିଅଳି ଝିଅଙ୍କ ଶିକ୍ଷା କ୍ଷେତ୍ରରେ ସହାୟତା ପ୍ରଦାନ କରିବାର ସୁଯୋଗ ପାଇଛନ୍ତି।

Comment