ଓଡ଼ିଶାଲାଇଭ ବ୍ୟୁରୋ

ଗତ ଆଇପିଏଲରେ କିଛି ଖେଳାଳି ଦମଦାର ପ୍ରଦର୍ଶନ କରିଥିଲା ବେଳେ ଆଉ କେତକ ଖେଳାଳି ଫେଲ ମାରିଥିଲେ। ମାତ୍ର ଚଳିତ ବିଶ୍ଵକପରେ ସେମାନଙ୍କ ଫର୍ମ ବିପକ୍ଷ ଦଳକୁ ଚିନ୍ତାରେ ପକାଇଛି। ଆଇପିଏଲ ଭଳି ଟି-୨୦ ପ୍ଲାଟଫର୍ମରେ ଫେଲ ହୋଇଥିବା ଏହି କ୍ରିକେଟରମାନେ ବର୍ତ୍ତମାନ ନିଜ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ଆଇପିଏଲ ଓ ବିଶ୍ଵକପ ମଧ୍ୟରେ ମାତ୍ର ଗୋଟିଏ ମାସ ବ୍ୟବଧାନରେ ବେଶ ଚମତ୍କାର ପ୍ରଦର୍ଶନ ଦଳ ପାଇଁ ଲାଭଦାୟକ ହୋଇଛି। ଆଜିର ଆଲୋଚନା ସେମତି କିଛି ଖେଳାଳି ମାନଙ୍କ ବିଷୟରେ।

ରୋହିତ ଶର୍ମା(ଭାରତ)
ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଚଳିତ ବିଶ୍ଵକପ ବେଶ ଭଲ ରହିଛି। ସେ ମାତ୍ର ୭ଟି ମ୍ୟାଚରୁ ୮୮ ଆଭରେଜରେ ୪୪୦ ରନ କରିଛନ୍ତି। ଯାହାଫଳରେ ଚଳିତ ବିଶ୍ଵକପର ସର୍ବାଧିକ ରନ କରିଥିବା ଖେଳାଳି ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି। ବର୍ତ୍ତମାନ ସେ ବିଶ୍ଵକପରେ ଭାରତୀୟ ଦଳର ମେରୁଦଣ୍ଡ ରହିଛନ୍ତି।
ମାତ୍ର ଗୋଟେ ମାସ ତଳେ ଅର୍ଥାତ ଆଇପିଏଲରେ ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିନଥିଲା। ମୁମ୍ଵାଇ ଇଣ୍ଡିଆନ୍ସ ଚମ୍ପିୟାନ ହୋଇଥିଲା ହେଲେ ସେଥିରେ ରୋହିତଙ୍କ ଅବଦାନ ଖୁବ କମ ରହିଥିଲା। ଆଇପିଏଲରେ ୧୫ଟି ମ୍ୟାଚ ଖେଳି ୪୦୫ ରନ କରିଥିଲେ। ଯୋଉଥିରେ ଦୁଇଟି ଅର୍ଦ୍ଧଶତକ ରହିଥିଲା ଓ ଥରେ ଶତକରୁ ମଧ୍ୟ ବଞ୍ଚିତ ହୋଇଥିଲେ। ହେଲେ ଠିକ ସମୟରେ ସେ ଫର୍ମକୁ ଫେରିପାରିଛନ୍ତି।

ମୁଜିବ ଉର ରେହମାନ(ଆଫଗାନିସ୍ତାନ)
ଆଫଗାନିସ୍ତାନ ଦଳର ସ୍ପିନର ମୁଜିବ ଉର ରେହମାନ ୨୦୧୭ରେ ଆଇପିଏଲରେ ପଦାର୍ପଣ କରିଥିଲେ। ସେହି ସଂସ୍କରଣରେ ସେ ୧୧ ମ୍ୟାଚରୁ ୧୪ ଓ୍ଵିକେଟ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଗତ ଆଇପିଏଲରେ ତାଙ୍କ ପ୍ରଦର୍ଶ ଭଲ ରହିନଥିଲା। ଏଥିରେ ସେ ୫ଟି ମ୍ୟାଚ ଖେଳି ୩ଟି ଓ୍ଵିକେଟ ହାସଲ କରିଥିଲେ।
ତାଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଦଳରୁ ବାଦ ପଡିଥିଲେ। ମାତ୍ର ବିଶ୍ଵକପରେ ଚୟନ ହୋଇ ଦମଦାର ପ୍ରଦର୍ଶନ କରିଛନ୍ତି। ଚଳିତ ବିଶ୍ଵକପରେ ୬ଟି ମ୍ୟାଚରୁ ୭ଟି ଓ୍ଵିକେଟ ହାସଲ କରି ଆଫଗାନିସ୍ତାନର ସର୍ବାଧିକ ଓ୍ଵିକେଟ ହାସଲକାରୀ ଖେଳାଳି ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି।

ବେନ ଷ୍ଟୋକ୍ସ(ଇଂଲଣ୍ଡ)
ଚଳିତ ବିଶ୍ଵକପରେ ଫାଇନାଲ ଖେଳିବାକୁ ସବୁଠାରୁ ଦାବିଦାର କୁହାଯାଉଥିବା ଇଂଲଣ୍ଡ ଦଳର ଖେଳାଳିମାନେ ବେଶ ଭଲ ଫର୍ମରେ ରହିଛନ୍ତି। ଏହି ବିଶ୍ଵକପରେ ଇଂଲଣ୍ଡ ଦଳରେ ବେନ ଷ୍ଟୋକ୍ସଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି।
ଆଇପିଏଲରେ ତାଙ୍କ ପ୍ରଦର୍ଶନ ବେଶି ଭଲ ରହିନଥିଲା। ୨୦ ଆଭରେଜରେ ସେ ମାତ୍ର ୧୨୦ ରନ କରିଥିଲେ ଏହାସହ ୯ଟି ମ୍ୟାଚରୁ ୬ଟି ଓ୍ଵିକେଟ ହାସଲ କରିଥିଲେ। ତାଙ୍କ ଇକୋନୋମି ରେଟ ପ୍ରତି ଓଭରରେ ୧୧ରନ ରହିଥିଲା।
ମାତ୍ର ଚଳିତ ବିଶ୍ଵକପରେ ୬୦ ଆଭରେଜରେ ୩୭୦ ରନ କରିଛନ୍ତି। ବର୍ତ୍ତମାନ ସେ ଇଂଲଣ୍ଡର ସର୍ବାଧିକ ରନ କରିଥିବା ଖେଳାଲିଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ବୋଲିଂରେ ମଧ୍ୟ ସେ ୬ଟି ଓ୍ଵିକେଟ ହାସଲ କରିଛନ୍ତି। ଦଳକୁ ଫାଇନାଲ ପର୍ଯ୍ୟନ୍ତ ନେବାରେ ତାଙ୍କ ଭୂମିକା ପ୍ରମୁଖ ରହିବ।

ସକିବ ଅଲ ହାସନ(ବାଂଲାଦେଶ)
ବର୍ତ୍ତମାନ ଆଇସିସି ଦିନିକିଆର ଏକ ନମ୍ଵର ଅଲରାଉଣ୍ଡର ଭାବେ ପରିଚିତ ସାକିବ ଅଲ ହାସନ ଗତ ଆଇପିଏଲରେ ବହୁତ ଖରାପ ଫର୍ମରେ ରହିଥିଲେ। ୩ଟି ମ୍ୟାଚ ଖେଳି ମାତ୍ର ୯ରନ କରିବା ସହ ୨ଟି ଓ୍ଵିକେଟ ହାସଲ କରିଥିଲେ।
ମାତ୍ର ଚଳିତ ବିଶ୍ଵକପରେ ୭ଟି ମ୍ୟାଚ ଖେଳି ୯୫ ଆଭରେଜରେ ୪୭୬ ରନ କରି ସର୍ବାଧିକ ରନ କରିଥିବା ଖେଲାଳିଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହାସହ ବୋଲିଂରେ ମଧ୍ୟ ୧୦ଟି ଓ୍ଵିକେଟ ହାସଲ କରିପାରିଛନ୍ତି।


















