ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ୍ ବର୍ଡର-ଗଭାସ୍କର ଟ୍ରଫି। ଗୁରୁବାର ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଛି ସିରିଜର ପ୍ରଥମ ମ୍ୟାଚ। ପ୍ରଥମ ଦିନ ଖେଳରେ ଅଷ୍ଟ୍ରେଲିଆ ୧୭୭ ରନରେ ଅଲଆଉଟ୍ ହୋଇଛି। ସେହିପରି ଖେଳ ଶେଷ ସୁଦ୍ଧା ଭାରତ ୧ ୱିକେଟ୍ ବିନିମୟରେ ୭୭ ରନ ସଂଗ୍ରହ କରିଛି। ମ୍ୟାଚରେ ଭାରତର ରବିଚନ୍ଦ୍ରନ ଅଶ୍ଵିନ ନିଜ ଟେଷ୍ଟ କ୍ୟାରିୟରର ୪୫୦ତମ ୱିକେଟ୍ ହାସଲ କରିଛନ୍ତି।

ଗୁରୁବାର ମ୍ୟାଚ ଆରମ୍ଭରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଅଷ୍ଟ୍ରେଲିଆ ପକ୍ଷରୁ ବ୍ୟାଟିଂ କରିବାକୁ ଆସିଥିବା ଓପନିଂ ଯୋଡ଼ି ଡେଭିଡ ୱାର୍ନର ଓ ଉସମାନ ଖ୍ୱାଜା ଭାରତର ଘାତକ ବୋଲିଂର ଶିକାର ହୋଇଥିଲେ। ଦୁଇଜଣ ଯାକ ଖେଳାଳି ୧ ରନ କରି ଆଉଟ ହୋଇଥିଲେ। ଏହାପରେ ମାର୍ନସ ଲାବୁଶେନ ଓ ଷ୍ଟିଭ ସ୍ମିଥ ସ୍ଥିତି ସମ୍ଭାଳିଥିଲେ।

ଦୁଇ ଖେଳାଳି ଭଲ ବ୍ୟାଟିଂ କରୁଥବା ସମୟରେ ୪୯ ରନରେ ଲାବୁଶେନଙ୍କୁ ଆଉଟ କରିଥିଲେ ରବୀନ୍ଦ୍ର ଜାଡେଜା। ଏହାପରେ ଷ୍ଟିଭ ସ୍ମିଥ ମଧ୍ୟ ୩୭ ରନ କରି ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆର ଗୋଟେ ପରେ ଗୋଟେ ୱିକେଟ ଗଡ଼ୁଥିବା ବେଳେ ଅଲେକ୍ସ କ୍ୟାରି ଓ ପିଟର ହାଣ୍ଡସକମ୍ବ ଏକ ଭଲ ପାର୍ଟନରସିପ କରି ଦଳର ସ୍କୋର ୧୭୭ରେ ପହଞ୍ଚାଇଥିଲେ।

ମ୍ୟାଚରେ ଅଧିକାଂଶ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍କୋର ମଧ୍ୟ କରିପାରିନଥିଲେ। ଭାରତ ତରଫରୁ ରବୀନ୍ଦ୍ର ଜାଡେଜା ୫ଟି ଓ ରବିଚନ୍ଦ୍ରନ ଅଶ୍ଵିନ ୩ଟି ୱିକେଟ୍ ନେଇଥିଲେ।

ଅଷ୍ଟ୍ରେଲିଆର ଇନିଂସ୍ ଶେଷ ହେବାପରେ ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୧୭୭ ରନ କରିଛି। ଭାରତ ପକ୍ଷରୁ କେ ଏଲ ରାହୁଲ ୨୦ ରନ କରି ଆଉଟ ହୋଇଥିବାବେଳେ ଅଧିନାୟକ ରୋହିତ ଶର୍ମା ୫୬ ରନ କରି ଅପରାଜିତ ରହିଛନ୍ତି।

Tags: #India-AustraliaTestseries #Border-GavaskarTrophy #1stTest #Nagpur #India

Comment