ଓଡ଼ିଶାଲାଇଭ ବ୍ୟୁରୋ

ଆଇସିସି ବିଶ୍ଵକପ ୪୦ତମ ମ୍ୟାଚରେ ଆଜି ଦୁଇ ଏସୀୟ ଦଳ ଭାରତ-ବାଂଲାଦେଶ ମୁହାଁମୁହିଁ ହେବେ। ଦୁଇଦଳ ପାଇଁ ଏହି ମ୍ୟାଚ ଗୁରୁତ୍ଵପୂର୍ଣ୍ଣ ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ବାଂଲାଦେଶ ଭଲ ପ୍ରଦର୍ଶନ କରି ସେମିଫାଇନାଲ ଦୌଡରେ ଆଶା ଜୀବିତ ରଖିଛି।

ସେହିପରି ଭାରତକୁ ସେମିଫାଇନାଲ ଟିକେଟ ପକ୍କା କରିବାକୁ ଗୋଟିଏ ବିଜୟ ଆବଶ୍ୟକ ହେଉଥିଲା ବେଳେ ବାଂଲାଦେଶକୁ ସେମିଫାଇନାଲ ପାଇଁ ଦୁଇଟି ବଡ ବିଜୟ ଆବଶ୍ୟକ।

ଭାରତ ଗତ ମ୍ୟାଚରେ ଚଳିତ ବିଶ୍ଵକପର ପ୍ରଥମ ପରାଜୟର ଶିକାର ହୋଇଛି। ୭ଟି ମ୍ୟାଚ ଖେଳି ଭାରତ ୫ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ବାତିଲ ସହ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି।

ଏହି ମ୍ୟାଚ ଜିତି ଭାରତ ପଏଣ୍ଟ ଟେବୁଲର ସୁରକ୍ଷିତ ସ୍ଥାନରେ ରହିବାକୁ ଚେଷ୍ଟା କରିବ। ଦଳ ପାଇଁ ରୋହିତ ଶର୍ମା, ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନି ଭଲ ପ୍ରଦର୍ଶନ କରିଛନ୍ତି। ବୋଲିଂରେ ମଧ୍ୟ ଚମତ୍କାରିତା ଦେଖାଇଥିବା ମହମ୍ମଦ ସାମି ଓ ଯଶପ୍ରିତ ବୁମରାଙ୍କ ଉପରେ ମଧ୍ୟ ନଜର ରହିବ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଏଥର ସନ୍ତୋଷଜନକ ରହିନଥିଲେ ମଧ୍ୟ ବିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି

ଅନ୍ୟପକ୍ଷରେ ବାଂଲାଦେଶ ଭଲ ପ୍ରଦର୍ଶନ କରି ସେମିଫାଇନାଲ ଦୌଡରେ ନିଜ ସ୍ଥାନ ବଜାୟ ରଖିଛି। ଦଳ ୭ଟି ମ୍ୟାଚ ଖେଳି ୩ଟି ବିଜୟ, ୩ଟି ପରାଜୟ ଓ ଗୋଟିଏ ବାତିଲ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଦଳକୁ ସେମିଫାଇନାଲ ଯିବାକୁ ହେଲେ ଏହି ମ୍ୟାଚକୁ ବଡ ବ୍ୟବଧାନରେ ଜିତିବାକୁ ହେବ।

ଦଳ ପକ୍ଷରୁ ସାକିବ ଅଲ ହାସନ ଦମଦାର ଫର୍ମରେ ରହିଛନ୍ତି। ତାଙ୍କ ପ୍ରଦର୍ଶନ ଦଳକୁ ବିଜୟୀ କରାଇବାରେ ସାହାଯ୍ୟ କରିବ। ସେହିପରି ଲିଟନ ଦାସ ମଧ୍ୟ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଧୁଆଁଧାର ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ।

ବୋଲିଂରେ ମଧ୍ୟ ମୁସ୍ତାଫିଜୁର ରେହମାନ ଓ ମହମ୍ମଦ ସାଇଫୁଦିନ ଚମତ୍କାର ଫର୍ମରେ ରହିଛନ୍ତି। ଦଳକୁ ଏହି ମ୍ୟାଚ ହାସିଲ କରିବାକୁ ହେଲେ ବୋଲରମାନଙ୍କ ଭୂମିକା ପ୍ରମୁଖ ରହିବ।

ବିଶ୍ଵକପ ଇତିହାସରେ ଦୁଇଦଳ ୩ଥର ପରସ୍ପରକୁ ଭେଟିଛନ୍ତି। ସେଥିରୁ ଭାରତ ଦୁଇଟିରେ ବିଜୟୀ ହୋଇଥିବା ବେଳେ ବାଂଲାଦେଶ ଗୋଟିଏରେ ବିଜୟୀ ହୋଇଛି।

Comment