ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ସଙ୍କଟରେ ପଡ଼ିଛି। କଂଗ୍ରେସ ଓ ଜେଡିଏସର ୧୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଜେଡିଏସ୍ ୩ ଓ କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି।
ବିଧାୟକମାନେ ଇସ୍ତଫା ଦେବାକୁ ଆଜି ବିଧାନସଭାକୁ ଆସିଥିଲେ। ହେଲେ ବାଚସ୍ପତି ଅନୁପସ୍ଥିତ ଥିବାରୁ ସଚିବଙ୍କୁ ବିଧାୟକମାନେ ଇସ୍ତଫାପତ୍ର ଦେଇଥିଲେ।
କର୍ଣ୍ଣାଟକରେ ମୋଟ ବିଧାନସଭା ଆସନ ସଂଖ୍ୟା ହେଉଛି ୨୨୪। ମ୍ୟାଜିକ ନମ୍ବର ହେଲା ୧୧୩। ୨୦୧୮ରେ କର୍ଣ୍ଣାଟକରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୧୦୪ ସିଟରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଓ ଜେଡିଏସ ମେଣ୍ଟ କରି ସରକାର ଗଢ଼ିଥିଲେ।
କଂଗ୍ରେସର ୮୦ ବିଧାୟକ ଥିଲାବେଳେ ଜେଡିଏସର ବିଧାୟକ ସଂଖ୍ୟା ୩୭ ରହିଥିଲା। ଆଗରୁ ଦୁଇ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ। ଫଳରେ କଂଗ୍ରେସ ନିକଟରେ ଏବେ ୭୮ ବିଧାୟକ ଅଛନ୍ତି।
କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାରରେ ଏବେ ୧୧୫ ଆସନ ରହିଛି। ୧୨ ବିଧାୟକ ଇସ୍ତଫା ଦେବା ପରେ ମେଣ୍ଟ ସରକାରଙ୍କ ବିଧାୟକ ସଂଖ୍ୟା ୧୦୩ରେ ପହଞ୍ଚିଛି। ଫଳରେ ମେଣ୍ଟ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି।
ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଆମେରିକା ଗସ୍ତରେ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ କର୍ଣ୍ଣାଟକରେ ଦଳ ପ୍ରତି ବିପଦ ମାଡ଼ି ଆସିଛି। ରବିବାର କୁମାରସ୍ୱାମୀ ଆମେରିକାରୁ ଫେରି ପାରନ୍ତି।