ଓଡ଼ିଶାଲାଇଭ୍ ବ୍ୟୁରୋ

ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଚେନ୍ନାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ନିଜ ରାଜନୈତିକ ଜୀବନରେ ସେ ୧୦ ଥର ବିଧାୟିକା ନିର୍ବାଚିତ ହୋଇଥିଲେ।

ଭି ସୁଜ୍ଞାନ କୁମାରୀ ଦେଓ କିଛି ଦିନ ଧରି ଅସୁସ୍ଥ ଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର କିଛି ବରିଷ୍ଠ ନେତା ଚେନ୍ନାଇ ଯାଇ ଭି ସୁଜ୍ଞାନ କୁମାରୀ ଦେଓଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

ଭି ସୁଜ୍ଞାନ କୁମାରୀ ଦେଓଙ୍କ ମୃତ୍ୟୁର ଖବର ମିଳିବା ପରେ ଖଲ୍ଲିକୋଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ବିୟୋଗରେ ଓଡ଼ିଶା ରାଜନୈତିକ ଜଗତର ଅନେକ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

୧୯୩୭ ମସିହା ଅଗଷ୍ଟ ୫ ତାରିଖରେ ଗଞ୍ଜାମରେ ଜନ୍ମଗ୍ରହଣ କରିଥିଲେ ଭି ସୁଜ୍ଞାନ କୁମାରୀ ଦେଓ। ସେ କେବଳ ଯେ ଜଣେ ବିଧାୟିକା ଥିଲେ ତା ନୁହେଁ ବରଂ ଜଣେ ସମାଜସେବୀ ଓ କୃଷିଜୀବି ଭାବେ ମଧ୍ୟ ଜନମାନସରେ ବେଶ୍ ପରିଚିତ ଥିଲେ।

ନିଜ ରାଜନୈତିକ ଜୀବନରେ ଭି ସୁଜ୍ଞାନ କୁମାରୀ ଦେଓ ଖଲ୍ଲିକୋଟରୁ ୮ ଥର ଏବଂ କବିସୂର୍ଯ୍ୟନଗରରୁ ୨ ଥର ବିଧାୟିକା ନିର୍ବାଚିତ ହୋଇଥିଲେ। ସେ ପ୍ରଥମେ ୧୯୬୧ରୁ ୧୯୬୭ ମସିହା ପର୍ଯ୍ୟନ୍ତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରେ ବିଧାୟିକା ହୋଇଥିଲେ।

ଏହାପରେ ୧୯୭୪ ମସିହାରେ ଖଲ୍ଲିକୋଟରୁ ଉତ୍କଳ କଂଗ୍ରେସ ଟିକେଟରେ ଦ୍ଵିତୀୟ ଥର ପାଇଁ ବିଧାୟିକା ନିର୍ବାଚିତ ହୋଇଥିଲେ। ସେହିପରି ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ଉକ୍ତ ଆସନରୁ ସେ ଜନତା ପାର୍ଟି ଟିକେଟରେ ବିଜୟ ଲାଭ କରିଥିଲେ।

ସେହିପରି ୧୯୮୫ରୁ ୧୯୯୦ ଯାଏଁ ସେ ଖଲ୍ଲିକୋଟରୁ ଜନତା ପାର୍ଟି ଟିକେଟରେ ଚତୁର୍ଥ ଥର ପାଇଁ ବିଧାୟିକା ବନିଥିଲେ। ଏହାପରେ ଜନତା ଦଳ ତରଫରୁ ୧୯୯୦ରୁ ୨୦୦୦ ମସିହା ଯାଏଁ ୨ ଥର ଖଲ୍ଲିକୋଟର ବିଧାୟିକା ଥିଲେ। ଏହାପରେ ସେ ବିଜେଡି ଯୋଗ ଦେଇ ୨୦୦୦ରୁ ୨୦୦୯ ଯାଏଁ ପୁଣି ଆଉ ୨ ଥର ଖଲ୍ଲିକୋଟର ବିଧାୟିକା ନିର୍ବାଚିତ ହୋଇଥିଲେ।  

ତେବେ ୨୦୦୯ ମସିହା ଓଡ଼ିଶା ବିଧାନସଭା ନିର୍ବାଚନରେ ତାଙ୍କ ଆସନ ପରିବର୍ତ୍ତନ ହୋଇଥିଲା। ସେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଜେଡି ତରଫରୁ ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୧୯ ଯାଏଁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଏହାସହ ସେ ବିଧାନସଭାର ବିଭିନ୍ନ କମିଟିରେ ସଦସ୍ୟ ରହିଥିଲେ।

ଶନିବାର ସନ୍ଧ୍ୟାରେ ଭି ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର ଚେନ୍ନାଇରୁ ଭୁବନେଶ୍ଵରରେ ପହଞ୍ଚିବ। ଏହାପରେ ଖଲ୍ଲିକୋଟ ନିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

Tags: #VSugyanKumariDeo #QueenofKhallikote #MLA #Politics #Odisha

Comment