ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଲି ପଡ଼ିଛି ଓଡ଼ିଶା ବିଧାନସଭାରେ ବାଚସ୍ପତିଙ୍କ ଚୌକି। ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ ଥିବାରୁ ଖାଲିପଡ଼ିଥିବା ଏହି ଆସନ ପାଇଁ ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହି ପଦବୀ ପାଇଁ ଏବେ ଏକାଧିକ ଦାବିଦାରଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ କିଏ ହେବେ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି।

ବିକ୍ରିମ କେଶରୀ ଆରୁଖ ବାଚସ୍ପତି ପଦବୀରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲିପଡ଼ିଛି। ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ଖାଲିପଡ଼ିଥିବା ଏହି ଆସନ ପାଇଁ ସେପ୍ଟେମ୍ବର ୨୧ ତାରିଖରେ ନିର୍ବାଚନ ହେବାର ସମ୍ଭାବନା ରହିଛି।

ସଂଖ୍ୟା ଦୃଷ୍ଟିରୁ ଶାସକ ଦଳରୁ ହିଁ ଜଣେ ଏହି ଆସନ ଅଳଙ୍କୃତ କରିବେ। ଏହି ଆସନ ଲାଗି ଏକାଧିକ ଦାବିଦାର ରହିଲେ ନିର୍ବାଚନ କରାଯିବ।

ବାଚସ୍ପତି ନିର୍ବାଚନ ହେବା ନେଇ ସୂଚନା ମିଳିବା ପରେ ଏବେ ଏହି ପଦବୀ ପାଇଁ ଏକାଧିକ ଦାବିଦାରଙ୍କ ନାଁ ଚର୍ଚ୍ଚାକୁ ଆସିଛି। ଏହି ରେସରେ ରହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ପ୍ରଫୁଲ ସାମଲ, ଦେବୀ ପ୍ରସାଦ ମିଶ୍ର, ଅମର ଶତପଥୀ ଏବଂ ନୃସିଂହ ସାହୁ। ରାଜ୍ୟ ସରକାର ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ଵ ଦେଉଥିବାରୁ ପ୍ରମିଳା ମଲ୍ଲିକଙ୍କ ନାଁ ମଧ୍ୟ ଏହି ରେସରେ ରହିପାରେ ବୋଲି ରାଜନୈତିକ କରିଡରରେ ଆଲୋଚନା ହେଉଛି।

ଏପଟେ ଦକ୍ଷତା ଏବଂ ଅଭିଜ୍ଞତାକୁ ଦେଖି କିଏ ବାଚସ୍ପତି ହେବେ ତାହା ଦଳର ମୁଖ୍ୟ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜେଡି ବିଧାୟକ ଅରବିନ୍ଦ ଢାଲି।

ଗତ ମେ’ ମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପବଦୀରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ। ସେବେଠାରୁ ଏହି ପଦବୀ ଖାଲିପଡ଼ିଛି।

Tags: #OdishaAssembly #Speaker #Odisha #Politics

Comment