ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି। ପ୍ରେମାନନ୍ଦ ନାୟକ ପୂର୍ବରୁ ଓଡ଼ିଶାର ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ତେବେ ପ୍ରେମାନନ୍ଦ ନାୟକ ୨୦୨୩ ଅକ୍ଟୋବର ମାସରେ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କୁ ଇ-ମେଲ ଦ୍ୱାରା ଇସ୍ତଫା ପତ୍ର ଦେଇଥିଲେ। ହେଲେ ଏନେଇ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କ ଇସ୍ତଫାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରେମାନନ୍ଦ ନାୟକ ବିଜେଡିର କାର୍ଯ୍ୟଧାରାକୁ ନେଇ ଅସନ୍ତୁଷ୍ଟ ଥିବା କୁହାଯାଉଛି। କିଛି ମାସ ହେବ କେନ୍ଦୁଝରରେ ବିଜେଡିର ଅନେକ ସମାବେଶରେ ଜିଲ୍ଲାର ସବୁ ଦଳୀୟ କର୍ମକର୍ତ୍ତା ଓ ବିଧାୟକ ଉପସ୍ଥିତ ରହୁଥିଲେ, ମାତ୍ର ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ସେଠାରେ ଦେଖିବାକୁ ମିଳୁନଥିଲା।

କେନ୍ଦୁଝର ଜିଲ୍ଲାର ତେଲକୋଇ ବିଧାନସଭା ଆସନରୁ ପ୍ରେମାନନ୍ଦ ନାୟକ ବିଜେଡି ଟିକେଟରେ ୨୦୦୯ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ଏହାପରେ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ସେ ଉକ୍ତ ଆସନରୁ ଦ୍ଵିତୀୟ ଥର ପାଇଁ ବିଧାୟକ ହେବାପରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା।

Tags: #PremaNandaNayak #MLA #Telkoi #BJD #Politics #Kendujhar #Odisha

Comment