ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରମିଳା ମଲ୍ଲିକ ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି।

ଓଡ଼ିଶା ବିଧାନସଭା ଇତିହାସରେ ଏହା ପ୍ରଥମ ଘଟଣା। ପୂର୍ବରୁ କୌଣସି ମହିଳା ବିଧାୟକ ବାଚସ୍ପତି ପଦ ଅଳଙ୍କୃତ କରିନଥିଲେ। ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବାର ଗୌରବ ହାସଲ କରିବାକୁ ଯାଉଛନ୍ତି ପ୍ରମିଳା ମଲ୍ଲିକ।

ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରୁ ୧୯୯୦ ମସିହାରେ ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ ପ୍ରମିଳା ମଲ୍ଲିକ। ଜନତା ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପ୍ରମିଳା ମଲ୍ଲିକ ୧୯୬୩ ମସିହା ମାର୍ଚ୍ଚ ୪ ତାରିଖରେ ଯାଜପୁର ଜିଲ୍ଲାର ମସରାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ପବନ ମଲ୍ଲିକ। ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ କଳାରେ ସ୍ନାତକ ଉପାଧି ଲାଭ କରିଛନ୍ତି। ପ୍ରମିଳା ଦାମୋଦର ମଲ୍ଲିକଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଝିଅଟିଏ ଅଛନ୍ତି।

ପ୍ରମିଳା ମଲ୍ଲିକ ପ୍ରଥମେ ଜନତା ଦଳ ସହ ରାଜନୀତିରେ ସକ୍ରିୟ ଥିଲେ। ସେ ୧୯୯୦ ଓଡ଼ିଶା ନିର୍ବାଚନରେ ପ୍ରଥମ ପାଇଁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଜନତା ଦଳର ପ୍ରତିନିଧି ଭାବରେ ସେ ବିଞ୍ଝାରପୁର ବିଧନସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।

୨୦୦୦ ମସିହାରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ପୁଣିଥରେ ବିଞ୍ଝାରପୁରରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୨ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪, ୨୦୦୯ ମସିହାରେ  ୨୦୧୪ ଓ ୨୦୧୯ରେ ଓଡ଼ିଶା ବିଧାନସଭାକୁ ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିଲେ।

୨୦୦୪ ମସିହାରେ ପ୍ରମିଳା ମଲ୍ଲିକ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ହୋଇଥିଲେ। ତାକଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ କରିଥିଲେ ରାଜ୍ୟ ସରକାର। ଏହି ସମୟରେ ସେ ଡାଲି ଦୁର୍ନୀତିରେ ବିବାଦୀୟ ହୋଇପଡ଼ିଥିଲେ ଏବଂ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ୨୦୧୮ ମସିହାରେ ପ୍ରମିଳା ମଲ୍ଲିକଙ୍କ ଭାଇ ଓ ବାପାଙ୍କ ନାଁରେ ଜବକାର୍ଡ ଥିବା କଥା ଉଠିଥିଲା, ଫଳରେ ସେ ପୁଣିଥରେ ବିବାଦ ଘେରକୁ ଆସିଥିଲେ। ପ୍ରମିଳା ମଲ୍ଲିକ ୨୦୧୮ ମସିହାରେ ବୈଜୟନ୍ତ ପଣ୍ଡାଙ୍କ ଉପରେ ହୋଇଥିବା ଅଭିଯୋଗର ତଦନ୍ତ କରିଥିଲେ।

୨୦୧୫ ମସିହାରେ ପ୍ରମିଳା ଚାଷୀ ଆତ୍ମହତ୍ୟା ଉପରେ ଏକ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ବିବାଦ ଉପୁଜିଥିଲା। ସେ କହିଥିଲେ, “ବିରୋଧୀ ଦଳମାନେ ଚାଷୀମାନଙ୍କ ଅମର ଲଡ଼ୁ ଦିଅନ୍ତୁ, ଫଳରେ ସେମାନେ ଆଉ କେବେ ମରିବେନି।”

ଛଅ ଥର ବିଧାୟିକା ହୋଇଥିବା ପ୍ରମିଳା ମଲ୍ଲିକ ରାଜସ୍ଵ ମନ୍ତ୍ରୀ ରହିଥିବାବେଳେ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗ ତଥା ଶ୍ରମ ବିଭାଗ ଅତିରିକ୍ତ ଦାୟିତ୍ଵ ତାଙ୍କୁ ମିଳିଥିଲା।

ବରିଷ୍ଠତା ତଥା ଦୀର୍ଘ ଅଭିଜ୍ଞତା ଦୃଷ୍ଟିରୁ ବିଧାନସଭାର ଅବଶିଷ୍ଟ ସମୟ ଭିତରେ ସେ ଗୃହକୁ ଦକ୍ଷତାର ସହିତ ପରିଚାଳନା କରିବେ ବୋଲି ଆଶା କରାଯାଉଛି। ବିଜେଡି ସରକାରଙ୍କ ମୁଖପାତ୍ର ଭାବରେ ସେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳକୁ କଡ଼ା ଜବାବ ଦେଇଆସିଛନ୍ତି। ତାଙ୍କର ମନ୍ତବ୍ୟ ରାଜନୈତିକ ମହଲରେ ବେଶ୍ ଆଗ୍ରହ ସୃଷ୍ଟି କରିବାର ଦୃଷ୍ଟାନ୍ତ ରହିଛି।

Tags: #Odishaassembly #PramilaMallick #politics #OdishaPolitics #speaker #odisha #BJD #speakercandidate

Comment