ଓଡ଼ିଶାଲାଇଭ ବ୍ୟୁରୋ

ବାପା ମା’ଙ୍କର ଇଚ୍ଛା ଥାଏ ଯେ ମୃତ୍ୟୁ ପରେ ତାଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେଉ। ଏହା ଆମ ସମାଜର ମଧ୍ୟ ଏକ ପରମ୍ପରା। ହେଲେ ଏବେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି। ଏଠି ପୁଅ ମା’କୁ ଜିଅନ୍ତା ଜାଳି ଦେଉଛି।

ମାନବିକତାର ସବୁ ସୀମା ପାର କଲା ପୁଅ। ସମାନ୍ୟ କଥାରେ ବାପାଙ୍କ ସହ ଯୁକ୍ତିକୁ ନେଇ ବାପାଙ୍କୁ ମାଡ଼ ମାରି, ୭୫ ବର୍ଷୀୟା ଶଯ୍ୟାଶାୟୀ ମା’ଙ୍କୁ ଜିୟନ୍ତା ଜାଳି ଦେଇଛି ପୁଅ। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ରାଡବାହଲ ଗାଁରେ ଶନିବାର ସକାଳୁ ଏହି ଦୁଃଖଦ ଘଟଣା ଘଟିଛି।

ସୂଚନା ଅନୁସାରେ କୌଣସି କାରଣକୁ ନେଇ ବାପା ୠଷି ଖର୍ସେଲଙ୍କ ସହ ପୁଅ ସନ୍ତୋଷର ଯୁକ୍ତିତର୍କ ହୋଇଥିଲା। ଏହାପରେ ସନ୍ତୋଷ ବାପାଙ୍କୁ ଠେଙ୍ଗାରେ ଜଘନ୍ୟ ଭାବେ ପିଟିଥିଲା।

ପୁଅର ଏଭଳି କାଣ୍ଡକୁ ସହି ନପାରି ମା’ ଆଶାମତୀ ପୁଅକୁ ତାଗିଦ କରିଥିଲେ। ଗାଁ ଲୋକଙ୍କୁ ଡାକି ଘଟଣାର ସମାଧାନ କରିବାକୁ ସେ ସ୍ୱାମୀଙ୍କୁ କହିଥିଲେ। ୠଷି ଗାଁ ଲୋକଙ୍କୁ ଡାକିବାକୁ ଯାଇଥିଲା ବେଳେ ଏଥିରେ ଆହୁରି ଅଧିକ ରାଗି ଯାଇଥିଲା ସନ୍ତୋଷ। ଶଯ୍ୟାଶାୟୀ ୭୫ ବର୍ଷୀୟ ମା’ ଆଶାମତୀଙ୍କୁ କିରୋସିନି ଢ଼ାଳି ଜିଅନ୍ତା ଜାଳି ଦେଇଥିଲା।

ଘଟଣାର ଖବର ପାଇ ବେଲପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ବେଳେ ଅଭିଯୁକ୍ତ ପୁଅ ଫେରାର ହୋଇ ଯାଇଛି।

Comment