ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଚଳିତ ବଜେଟ୍‌କୁ ଆମେ ୧୦ରୁ ୮ ମାର୍କ ଦେଇଛୁ”, କହିଛନ୍ତି ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ୍‌(ୟୁସିସିଆଇ)ର ସଭାପତି ରମେଶ ମହାପାତ୍ର।

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍‌ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶୁକ୍ରବାର ସଂସଦରେ ବଜେଟ୍‌ ଉପସ୍ଥାପନା ପରେ ଭୁବନେଶ୍ୱର ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ୍‌(ୟୁସିସିଆଇ) ପକ୍ଷରୁ ଏହାକୁ ବିଶ୍ଳେଷଣ କରାଯାଇଛି। ସୀତାରମଣଙ୍କ ଏହି ବଜେଟ୍‌କୁ ୟୁସିସିଆଇ ୧୦ରୁ ୮ ମାର୍କ ଦେଇଥିବା ସଭାପତି ରମେଶ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଚଳିତ ବଜେଟ୍‌ରେ କେନ୍ଦ୍ର ସରକାର ବିଭିନ୍ନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସବୁଠାରୁ ବଡ଼ କଥା,  କର୍ପୋରେଟ୍‌ ଟ୍ୟାକ୍ସ ବାବଦରେ ଥିବା ୩୦ ପ୍ରତିଶତ ଆୟକରକୁ ୨୫ ପ୍ରତିଶତକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ସେହିପରି ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାରର ଯେଉଁ ସୀମା ରହିଥିଲା ଏବେ ତାକୁ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

ସେହିପରି ଡିଜିଟାଲ ପେମେଣ୍ଟକୁ ଶ୍ରୀ ମହାପାତ୍ର ସ୍ୱାଗତଯୋଗ୍ୟ ପଦକ୍ଷେପ କହିଥିବା ବେଳେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ବର୍ଷକୁ ୧ କୋଟିରୁ ଅଧିକ ଟଙ୍କାର ନଗଦ ଉଠାଣ କ୍ଷେତ୍ରରେ ୨% ଟିଡିଏସ କଟିବାକୁ ନେଇ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ଏହା ଅନେକ କ୍ଷେତ୍ରରେ ଭଲ ସାବ୍ୟସ୍ତ ହୋଇଥିବା ବେଳେ କେତେକ କ୍ଷେତ୍ରରେ ଖରାପ ହୋଇପାରେ।

ରମେଶ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି, “ସରକାର ଏମିତି କିଛି ପଦକ୍ଷେପ ନେଇଛନ୍ତି, ଯାହା ଦ୍ୱାରା ଖର୍ଚ୍ଚ ବଢ଼ିବ। ଯଦି ଖର୍ଚ୍ଚ ବଢ଼ିବ ତେବେ ସରକାରଙ୍କୁ ଇନ୍‌କମ୍‌ ସୋର୍ସ ବଢ଼ାଇବାକୁ ପଡ଼ିବ। ବର୍ତ୍ତମାନ ପରିସ୍ଥିତିରେ ଦେଶରେ ରାଜସ୍ୱ ନିଅଣ୍ଟ ପଡ଼ୁଛି। ଯାହା ଦେଶର ଅର୍ଥନୀତି ପାଇଁ ଏକ ଭଲ ସଂକେତ ନୁହେଁ।”

Comment