ଓଡ଼ିଶାଲାଇଭ ବ୍ୟୁରୋ

 ଅଟାରୀ ଓ୍ୱାଘା ବର୍ଡରରେ ଆଜି ସକାଳେ ଭାରତ ପାକିସ୍ତାନ ବୈଠକ ବସିଥିଲା। ଏହି ବୈଠକରେ କର୍ତ୍ତାରପୁର କରିଡରକୁ ନେଇ ଆଲୋଚନା ହୋଇଛି। ଉଭୟ ଦେଶର ବୈଦେଶିକ ଓ ଗୃହ ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି।

ପାକିସ୍ତାନର କର୍ତ୍ତାରପୁରକୁ ଯାଉଥିବା ଯାତ୍ରୀଙ୍କୁ ସୁରକ୍ଷାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଯାତ୍ରୀ କର୍ତ୍ତାରପୁରରେ ପହଞ୍ଚିବା ପରେ ତାଙ୍କ ସହିତ ସ୍ଥାନୀୟ ପ୍ରଶାସନର ସହଯୋଗ, ରହଣୀ ସ୍ଥାନରେ ସୁରକ୍ଷାକୁ ଭାରତୀୟ ଅଧିକାରୀ ଅଧିକ ପ୍ରାଧାନ୍ୟ ଦେଇଛନ୍ତି।

ପ୍ରତିବର୍ଷ କର୍ତ୍ତାରପୁର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏହାର ପ୍ରତିକାର ବ୍ୟବସ୍ଥା ସହ ପାକିସ୍ତାନ ସରକାରଙ୍କୁ ଡ୍ୟାମ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଉଭୟ ଦେଶ ଭିତରେ ଆଜିର ଆଲୋଚନା ବେଶ ସୌହର୍ଦ୍ଧ୍ୟପୂର୍ଣ୍ଣ ରହିଥିବା ପାକସ୍ତାନ ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ମାର୍ଚ୍ଚ ୧୪ରେ କରିଡରକୁ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। ଭାରତ ପକ୍ଷରୁ ଗୃହ ବିଭାଗର ଅଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱରେ ଥିବା ଯୁଗ୍ମ ସଚିବ ଏସସିଏଲ ଦାସ ଓ ପାକିସ୍ତାନ ଦାୟିତ୍ୱରେ ଥିବା ବୈଦେଶିକ ବିଭାଗର ଯୁଗ୍ମ ସଚିବ ଦୀପକ ମିତଲ ପାକିସ୍ତାନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଗୁରୁ ନାନକଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଚଳିତବର୍ଷ ନଭେମ୍ବରରେ ପଡ଼ୁଛି। ଏହାପୂର୍ବରୁ ଅକ୍ଟୋବର ମାସ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଯୋଜନା ରହିଛି। ଦିନକୁ ୫ ହଜାର ଯାତ୍ରୀ ପାକିସ୍ତାନର ଗୁରୁଦ୍ୱାରା କର୍ତାରପୁର ସାହିବ ଯାଇ ଦର୍ଶନ କରିପାରିବେ ସେହି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।

Comment