ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ହିମାଚଳ ପ୍ରଦେଶରେ ରେଷ୍ଟୁରାଣ୍ଟ ଭୁଶୁଡ଼ିବା ଘଟଣାରେ ଏବେ ବି ଉଦ୍ଧାର କାଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଏନଡିଆଏଫ୍ ଟିମ ପହଞ୍ଚି କୋଠାତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ଏଥିସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଯବାନଙ୍କ ସମେତ ୩ ସାଧାରଣ ବ୍ୟକ୍ତି ରହିଛନ୍ତି। ଏବେବି କୋଠା ତଳେ ଅନେକ ଫସି ରହିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।
ପ୍ରବଳ ବର୍ଷାଯୋଗୁଁ ରବିବାର ହିମାଚଳ ପ୍ରଦେଶର ସୋଲାନରେ ଏକ ୪ ମହଲା ରେଷ୍ଟୁରାଣ୍ଟ ଭୁଶୁଡ଼ି ପଡ଼ିଥିଲା। ଆସାମ୍ ରାଇଫଲ୍ସ୍ର ୩୦ ଜଣ ଜୁନିୟର୍ କମିସନ୍ଡ୍ ଅଫିସର୍ସ ଉତ୍ତରାଖଣ୍ଡ ଯାଉଥିଲା ବେଳେ ଏହି ରେଷ୍ଟୁରାଣ୍ଟରେ ଭୋଜନ କରିବାକୁ ରହିଥିଲେ।
କୋଠା ଭୁଶୁଡ଼ିବା ବେଳେ ଯବାନଙ୍କ ସହିତ ରେଷ୍ଟୁରାଣ୍ଟ କର୍ମଚାରୀ ଓ ୧୫ ଜଣ ସାଧାରଣ ଲୋକ ସେଠାରେ ଥିଲେ। ଫଳରେ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଆହତମାନଙ୍କୁ ମୁଖ୍ୟମନ୍ତ୍ରୀ ମେଡିକାଲ ଯାଇ ଭେଟିଛନ୍ତି।
















