ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଚନ୍ଦ୍ର ଗ୍ରହଣ। ସାରା ଭାରତରେ ଏହା ଦୃଶ୍ୟମାନ ହେବ। ହେଲେ ଏହି ଚନ୍ଦ୍ର ଗ୍ରହଣକୁ ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଖବରକୁ ବିଭ୍ରାନ୍ତିକର ଏବଂ ଭୁଲ୍ ବୋଲି କହିଛନ୍ତି ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ।

ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ‘‘ଗ୍ରହଣ ଓ ପରାଗ ଏକ ସାଧାରଣ ମହାଜାଗତିକ ଘଟଣା। ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡ଼େ ନାହିଁ। ଚନ୍ଦ୍ର ଗ୍ରହଣର ସୁନ୍ଦର ଦୃଶ୍ୟକୁ ସମସ୍ତେ ଉପଭୋଗ କରିବା ସହ ଏହା ପଛରେ କାରଣଗୁଡ଼ିକ ସମ୍ପର୍କରେ ଜାଣିବା ସମସ୍ତେ ଆବଶ୍ୟକ। ଗ୍ରହଣ ଓ ପରାଗକୁ ନେଇ ଲୋକଙ୍କ ମନରେ ଥିବା ଭୁଲ୍ ଧାରଣା ଦୂର ହେବା ଆବଶ୍ୟକ।’’

ସୋସିଆଲ ମିଡିଆରେ ପ୍ରଚାର ହେଉଛି ଯେ ଚନ୍ଦ୍ରଗ୍ରହଣ ୧୫୦ ବର୍ଷ ପରେ ପଡୁଛି। ଏହା ଏକ ଅପୂର୍ବ ସଂଯୋଗ। ଆଉ କିଏ ପ୍ରଚାର କରୁଛି ଯେ ୧୫୦ ବର୍ଷ ପରେ ମଙ୍ଗଳବାର ଦିନ ଗୁରୁପୂର୍ଣ୍ଣିମାରେ ପଡୁଥିବା ଚନ୍ଦ୍ରଗ୍ରହଣ ଏକ ଦୁର୍ଲ୍ଲଭ ସଂଯୋଗ। ତେବେ ଏହି ଖବରକୁ ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଏବଂ ଭୁଲ ଦର୍ଶାଇଛନ୍ତି ଡକ୍ଟର ପଟ୍ଟନାୟକ।

୧୫୦ ବର୍ଷ ମଧ୍ୟରେ ହୋଇଥିବା ଚନ୍ଦ୍ରଗ୍ରହଣର ପୂରା ତଥ୍ୟ ଦେଇଛନ୍ତି ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ।

୧. ଗତ ୧୫୦ ବର୍ଷ ମଧ୍ୟରେ ଅତି କମ୍‌ରେ ୧୨୦ଟି ପୂର୍ଣ୍ଣ ଓ ୯୦ଟି ଆଂଶିକ ଚନ୍ଦ୍ରଗ୍ରହଣ ସଂଘଟିତ ହୋଇଛି।

୨. ଗତ ୧୫୦ ବର୍ଷ ମଧ୍ୟରେ ଅତି କମ୍‌ରେ ୭ଟି ପୂର୍ଣ୍ଣ ଓ ୯ଟି ଆଂଶିକ ଚନ୍ଦ୍ର ଗ୍ରହଣ ଗୁରୁ ପୂର୍ଣ୍ଣିମାରେ ସଂଘଟିତ ହୋଇଛି।

୩. ଗତବର୍ଷ ଜୁଲାଇ ୨୭ ତାରିଖରେ ଗୁରୁ ପୂର୍ଣ୍ଣିମା ଦିନ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ପଡ଼ିଥିଲା।

୪. ଗତ ୧୫୦ ବର୍ଷ ମଧ୍ୟରେ ଅତି କମ୍‌ରେ ୫ଟି ଚନ୍ଦ୍ର ଗ୍ରହଣ ମଙ୍ଗଳବାର ଓ ଗୁରୁ ପୂର୍ଣ୍ଣିମାରେ ସଂଘଟିତ ହୋଇଛି।

୫. ୧୫୦ ବର୍ଷ ତଳେ ଅର୍ଥାତ୍ ୧୮୬୯ ମସିହା ଜୁଲାଇ ୨୩ ତାରିଖରେ ଆଂଶିକ ଚନ୍ଦ୍ର ଗ୍ରହଣ ଶୁକ୍ରବାର ଦିନ ଦେଖିବାକୁ ମିଳିଥିଲା।

Comment