ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚନ୍ଦ୍ରଗ୍ରହଣରେ ଜନ୍ମ ହୋଇଥିବା ପିଲାଙ୍କୁ କେହି କେହି ଅଶୁଭ ବୋଲି କହିଥାନ୍ତି। ହେଲେ ୧୯୮୪ ମସିହା ଚନ୍ଦ୍ରଗ୍ରହଣରେ ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ ଜନ୍ମଗ୍ରହଣ କରି ଲୋକଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ଭୁଲ୍ ପ୍ରମାଣିତ କରିଛନ୍ତି।

ପବିତ୍ର ମାଘ ପୂର୍ଣ୍ଣିମାରେ ଦେଖିବାକୁ ମିଳିଛି ବିରଳ ଚନ୍ଦ୍ରଗ୍ରହଣ। ଏହିଦିନ ବ୍ଲଡମୁନ୍, ସୁପରମୁନ୍ ଏବଂ ବ୍ଲୁମୁନ୍ ଦେଖିବାକୁ ମିଳିଥିବାରୁ ବିଶ୍ୱ ପାଇଁ ଏହା ବିପଦ ବୋଲି ଆଲୋଚନା ଚାଲିଛି। ଚନ୍ଦ୍ରଗହଣ ଦିନ ଉତ୍ତର ଭାରତର କିଛି ସ୍ଥାନରେ ଭୂକମ୍ପ ହୋଇଥିବାରୁ ଭାରତ ପାଇଁ ୨୦୧୮ ଅଶୁଭ ବୋଲି ଚର୍ଚ୍ଚା ହେଉଛି।

ଏହାସହ ଚନ୍ଦ୍ରଗ୍ରହଣ ଦିନ ପିଲା ଜନ୍ମ ହେବାକୁ ନେଇ ମଧ୍ୟ କିଛି ନକରାତ୍ମକ ଟିପ୍ପଣୀ ଶୁଣିବାକୁ ମିଳୁଛି। ଏହି ଦିନ ପିଲା ଜନ୍ମ ହେଲେ ଅଶୁଭ ବୋଲି କିଛି ଲୋକ ବିଶ୍ୱାସ କରୁଛନ୍ତି। କିନ୍ତୁ ଏହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ।

ଚନ୍ଦ୍ରଗହଣରେ ଜନ୍ମଗ୍ରହଣ କରିଥିବା ଜୁକରବର୍ଗ ସୋସିଆଲ ମିଡିଆ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ସମଗ୍ର ବିଶ୍ୱବାସୀଙ୍କ ପାଖରେ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି। ଫେସ୍‌ବୁକ୍‌ ମାଧ୍ୟମରେ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିପାରିଛନ୍ତି।

୧୯୮୪ ମେ’ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜୁକରବର୍ଗ। ଏହିଦିନ ଚନ୍ଦ୍ରଗ୍ରହଣ ହୋଇଥିଲା। ଚନ୍ଦ୍ରଗହଣ ଦିନ ଜନ୍ମ ହୋଇଥିବା ଜୁକରବର୍ଗ ୨୦୦୪ ଫେବ୍ରୁଆରି ୪ରେ ହାବାର୍ଡ ବିଶ୍ୱବିଦ୍ୟାଳୟର ଏକ ରୁମ୍‌ରୁ ଫେସ୍‌ବୁକ୍‌ର ଶୁଭାରମ୍ଭ କରିଥିଲେ। ଏହି କାମରେ ସେତେବେଳେ କିଛି ବନ୍ଧୁ ଜୁକରବର୍ଗଙ୍କୁ ସହାୟତା କରିଥିଲେ।

ହାବାର୍ଡ ବିଶ୍ୱବବିଦ୍ୟାଳୟ କ୍ୟାମ୍ପସରୁ ଶୁଭାରମ୍ଭ ହୋଇଥିବା ଫେସବୁକକୁ ଯୁବପିଢ଼ି ଗ୍ରହଣ କରି ନେଇଥିଲେ। ୨୦୧୨ରେ ଫେସବୁକ୍ ୟୁଜର୍ସ ସଂଖ୍ୟା ଆଶାତୀତ ଭାବେ ବଢ଼ି ଯାଇଥିଲା। ୨୦୧୬ରେ ଫୋର୍ବସ ପତ୍ରିକା ବିଶ୍ୱର ୧୦ ଜଣ କ୍ଷମତାଶାଳୀ ଲୋକଙ୍କ ତାଲିକାରେ ଜୁକରବର୍ଗଙ୍କୁ ସ୍ଥାନ ଦେଇଥିଲା।

Comment