ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟପ୍‌ ଗିୟରରେ ଥିଲା ବିଏମଡବ୍ଲୁ। ଫୁଲ୍‌ ଭଲ୍ୟୁମରେ ମ୍ୟୁଜିକ୍। ସୋସିଆଲ ମିଡିଆରେ ଲାଇଭ୍‌। କିଏ ଜାଣିଥିଲା ଏହା ହେବ ତାଙ୍କର ଶେଷ ଲାଇଭ୍‌ ଭିଡିଓ!

୨୦୧୮ ଜାନୁଆରୀ ୧୪। ବିଳମ୍ବିତ ରାତ୍ରି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଟପ୍‌ ଗିୟରରେ ଥିଲା ବିଶ୍ୱର ଏକ ଟପ୍‌ କାର୍‌ ବିଏମ୍‌ଡବ୍ଲୁ। ଗାଡ଼ିରେ ଥିଲେ ୩ ଯୁବକ ଓ ଜଣେ ଯୁବତୀ। ଗାଡ଼ି ପ୍ରାୟ ୮୦ରୁ ୯୦ କିଲୋମିଟର ବେଗରେ ରାତିର ଅନ୍ଧାର ଓ କୁହୁଡ଼ି ଚିରି ମାଡ଼ି ଚାଲିଥିଲା। ଗାଡ଼ିରେ ଅଡ଼ିଓ ସିଷ୍ଟମରେ ଥିଲା ଫୁଲ୍‌ ଭଲ୍ୟୁମ୍।

କେବଳ ସେତିକି ନୁହେଁ ଗାଡ଼ି ଚଳାଉଥିବା ଯୁବକ କୌଣସି ପଞ୍ଚତାରକା ହୋଟେଲରେ ଚାଲିଥିବା ମ୍ୟୁଜିକ ନାଇଟ୍‌ର ଡିଜେଙ୍କ ଭଳି ଝୁମୁଥିଲେ। ବାଁ ହାତରେ ୱେଭିଂ କରି ଭିକ୍ଟ୍ରି ସିଗ୍‌ନାଲ ଦେଉଥିଲେ।

ସଂପୃକ୍ତ ଯୁବକମାନଙ୍କ ଖୁସି କେବଳ ସେ ଗାଡ଼ି ଭିତରେ ସୀମିତ ହୋଇ ରହି ନଥିଲା। ମୋବାଇଲ୍ କ୍ୟାମେରାରେ ସୋସିଆଲ ମିଡିଆରେ ତାର ଲାଇଭ୍‌ ପ୍ରସାରଣ କରିବାକୁ ଭୁଲି ନଥିଲେ ସେମାନେ।

ତେବେ ସେମାନେ ହୁଏତ ଜାଣି ନଥିଲେ ଏହା କାହା ପାଇଁ ହୋଇପାରେ ଶେଷ ଉତ୍ସବ, ଜୀବନର ଶେଷଯାତ୍ରା। ତାହା ହିଁ ଘଟିଲା ଲୋକପ୍ରିୟ ଡିଜେ ନନ୍ଦୁ ଓରଫ୍ ନନ୍ଦ କିଶୋର ମହାପାତ୍ରଙ୍କ ଜୀବନରେ। ନନ୍ଦୁଙ୍କୁ ତାଙ୍କ ସାଥୀ ମହଲ ଜାଣିଥିଲା ଡିଜେ ଏନ୍‌କେ ହିସାବରେ।

ଓଡ଼ିଶାଲାଇଭ୍‌ର ଏହି ରିପୋର୍ଟରେ ଆପଣ ଯେଉଁ ଫଟୋ ଭିଡିଓ ଦେଖୁଛନ୍ତି ଏହା ହେଉଛି ନନ୍ଦୁଙ୍କ ଶେଷ ଲାଇଭ୍‌ ପିକ୍ଚର।

କାହାର ଜନ୍ମଦିନ, କାହାର ମରଣ!

ସେଦିନ ଥିଲା କଲ୍ୟାଣ କେଶରୀ ସାମନ୍ତରାୟ ଓରଫ୍‌ କେକେଙ୍କ ଜନ୍ମଦିନ। କେକେ ନନ୍ଦୁଙ୍କୁ ଜିଗିର୍‌ ଦୋସ୍ତ। ରାତି ୧୨ଟା ବାଜିଲା ବେଳକୁ କେକେ ଓ ତାଙ୍କ ସାଙ୍ଗମାନେ ଭୁ୍ବନେଶ୍ୱରରେ କେକ୍‌ କାଟି ଜନ୍ମଦିନର ସେଲିବ୍ରେସନ ଆରମ୍ଭ କରିଥିଲେ। ଏହି ଖୁସି ଘରର ଚାରିକାନ୍ଥ ଭିତରେ ଚାପି ପାରି ନଥିଲେ କେକେ ଓ ତାଙ୍କର ସାଥୀମାନେ । ଦୁଇଟି ଅତ୍ୟାଧୁନିକ ଗାଡ଼ି ଅଡ଼ି ଏବଂ ବିଏମ୍ଡବ୍ଲୁ ଧରି ମଧ୍ୟ ରାତ୍ରିରେ ସେମାନେ ବାହାରିଥିଲେ ଲଙ୍ଗ୍ ଡ୍ରାଇଭ୍‌ରେ। ସେମାନେ ହୁଏତ ଜାଣି ନଥିଲେ ଏହି ଲଙ୍ଗ୍‌ ଡ୍ରାଇଭ୍‌ କାହା ପାଇଁ ଶେଷ ଡ୍ରାଇଭ୍‌ ହୋଇପାରେ।

ନନ୍ଦୁଙ୍କ ଶେଷ ଲାଇଭ୍‌ ଫୁଟେଜ

ଓଡ଼ିଶାଲାଇଭ୍‌ର ଏହି ପୃଷ୍ଠାରେ ଆପଣ ଯେଉଁ ଫଟୋ ଓ ଭିଜୁଆଲ୍ ଦେଖୁଛନ୍ତି ତାହା ହେଉଛି ଡିଜେ ନନ୍ଦୁଙ୍କ ଜୀବନର ଶେଷ ଲାଇଭ୍‌ ଚିତ୍ର। ଭୁବନେଶ୍ୱର ଛାଡ଼ିଲା ବେଳକୁ କେକେଙ୍କ ବିଏମ୍ଡବ୍ଲୁ -୩ ସିରିଜ ଗାଡ଼ିକୁ ନିଜେ ଡ୍ରାଇଭ୍ କରୁଥିଲେ ନନ୍ଦୁ। ଆଗରେ ବାଁ ପଟେ ବସିଥିଲେ କେକେ। ପଛ ସିଟ୍‌ରେ ବନ୍ଧୁ ସୁମନ ଓ ସୋନାଲି।

ଡିଜେ ନନ୍ଦୁ ତାଙ୍କ ସ୍ବାଭାବ ସୁଲଭ ଢଙ୍ଗରେ କାର୍‌ର ମ୍ୟୁଜିକ ସହ ଝୁମୁଥିଲେ ଏବଂ ଖୁସିରେ ବାରମ୍ବାର ମୋବାଇଲ୍ କ୍ୟାମେରାକୁ ୱେଭ୍ କରୁଥିଲେ। ତାଙ୍କର ଏହି ଆନନ୍ଦ ମୁହୂର୍ତ୍ତ ସୋସିଆଲ ମିଡିଆ ମାଧ୍ୟମରେ ହୁଏତ ଅନେକଙ୍କ ପାଖରେ ପହଞ୍ଚିଥିବ। କାରଣ ସୋସିଆଲ ମିଡିଆରେ ତାର ଚାଲିଥିଲା ଲାଇଭ୍‌ଷ୍ଟ୍ରିମିଂ।

ଅଡ଼ି-ବିଏମ୍‌ଡବ୍ଲୁ ମଧ୍ୟରାତ୍ରି ରେସିଂ

‘ସ୍ପିଡ୍ ଥ୍ରୀଲ୍‌ସ, ବଟ୍ କିଲ୍‌ସ୍‌’- ବିଭିନ୍ନ ଲୋକପ୍ରିୟ ଟ୍ରାଫିକ୍ ସ୍ଲୋଗାନ୍ ଭିତରୁ ଏହା ଗୋଟିଏ। କିନ୍ତୁ ଜନ୍ମଦିନର ମଉଜ, ସାଙ୍ଗ ଦୋସ୍ତି ଏବଂ ହାତରେ ଅଡ଼ି ଓ ବିଏମ୍‌ଡବ୍ଲୁ ଭଳି ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଗାଡ଼ି। ଶୀତଦିନର ଘନ କୁହୁଡ଼ି ଭିତରେ ଲଙ୍ଗ୍‌ ଡ୍ରାଇଭ ଶେଷରେ ହେଲା କାଳ।

ଅଡ଼ି ଓ ବିଏମ୍‌ଡବ୍ଲୁ ଗୋଡ଼ାଗୋଡ଼ି ହୋଇ ଯିବା ଭିତରେ ସମ୍ଭବତଃ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ବିଏମ୍‌ଡବ୍ଲୁ ଚାଳକ। ଯଦିଓ ଆରମ୍ଭରୁ ଏନ୍‌କେ ଗାଡ଼ି ଚଳାଉଥିଲେ କିନ୍ତୁ କିଛିବାଟ ଯିବା ପରେ କେକେ ଡ୍ରାଇଭିଂ ସିଟ୍‌କୁ ଆସିଥିଲେ। ଏନ୍‌କେ ଆଗରେ ବାଁପଟେ ବସି ଲଙ୍ଗ୍ ଡ୍ରାଇଭ୍‌ର ମଜା ନେଉଥିଲେ।

ବିଏମ୍‌ଡବ୍ଲୁ ଚାଳକ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗୋଟିଏ ଗଛରେ ସିଧାସଳଖ ପିଟି ଦେଇଥିଲେ। ମୁହୂର୍ତ୍ତକରେ ସବୁ ହୋଇଯାଇଥିଲା ଓଲଟପାଲଟ। ଗାଡ଼ି ଚୁର୍‌ମାର୍‌। ନୀରବି ଯାଇଥିଲା ସଙ୍ଗୀତ। ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଛଟପଟ ହେଉଥିଲେ ସମସ୍ତ ୪ ଯାତ୍ରୀ।

ଏହି ଘଟଣା ପରେ ସ୍ଥାନୀୟ ଲୋକ, ପୋଲିସ ଏବଂ ଦମକଳ ସହାୟତାରେ ଉଦ୍ଧାର କାର୍ଯ୍ୟ ହୋଇଥିଲା। ଶାବଳରେ ଗାଡ଼ିକୁ ତାଡ଼ି ଆହତଙ୍କୁ ଉଦ୍ଧାର କରାଯାଇଥିଲା। ଚାଳକ କେକେଙ୍କ ଅବସ୍ଥା ଏପରି ଜଟିଳ ଥିଲା ଯେ ତାଙ୍କୁ ସିଧାସଳଖ ଡ୍ରାଇଭିଙ୍ଗ୍ ସିଟରୁ ବାହାର କରିବା ସମ୍ଭବପର ନଥିଲା। ଶେଷରେ ଫାୟାର ବ୍ରିଗେଡ୍ ପୁରୀରୁ ଗ୍ୟାସ୍ କଟର ଆଣି ଗାଡ଼ିକୁ କାଟି କେକେଙ୍କୁ ବାହାର କରିଥିଲେ।

ସକାଳୁ ସକାଳୁ ଖବର ଆସିଲା ଡିଜେ ନନ୍ଦୁ ଦୁର୍ଘଟଣାରେ ମୃତ। କେକେଙ୍କର ଗୋଟିଏ ଗୋଡ଼ କଟି ଯାଇଛି। ପଛରେ ବସିଥିବା ସୁମନ ଓ ସୋନାଲିଙ୍କ ଅବସ୍ଥା ବି ଗୁରୁତର। ଏହି ଖବର ଅନେକ ପରିବାରର ଜୀବନ ଓଲଟ ପାଲଟ କରି ଦେଇଥିଲା।

ନିଜ ଜନ୍ମଦିନରେ ଜଣେ ଯୁବକ ହରାଇଲେ ନିଜର ଗୋଡ଼। ସୁମନ ଏବଂ ସୋନାଲିଙ୍କର ନିକଟରେ ବିବାହ ଲାଗି ନିର୍ବନ୍ଧ ସ୍ଥିର ହୋଇଥିଲା। ସବୁକିଛି ଓଲଟପାଲଟ ହୋଇଯାଇଥିଲା।

କେକେଙ୍କ ଜନ୍ମଦିନର ଖୁସିକୁ ସ୍ପେଶାଲ କରିବା ପାଇଁ ଅନ୍ୟ ଯେଉଁ ସାଙ୍ଗମାନେ ଅଡ଼ି ଗାଡ଼ିରେ ଥିଲେ ଓ ବିଏମ୍‌ଡବ୍ଲୁ ସହ ରେସିଂ କରୁଥିଲେ ସେମାନେ ଘଟଣାସ୍ଥଳରୁ ଚାଲି ଆସିଥିଲେ ବୋଲି କୁହାଯାଉଛି।

ନନ୍ଦୁଙ୍କ ଭଉଣୀ ସଦ୍ୟ ଘରୁ ଯାଇ ପ୍ୟାରିସ୍‌ରେ ପହଞ୍ଚିଥିଲେ। ଭାଇର ଏହି ଅକାଳ ମୃତ୍ୟୁ ଖବରପାଇ ସେ ପୁଣି ଦୌଡ଼ି ଆସିଲେ ଭୁବନେଶ୍ୱର। ନନ୍ଦୁଙ୍କ ବାପା ନୀରବ ହୋଇଯାଇଛନ୍ତି। ମା’ଙ୍କୁ ବୁଝେଇବା ପାଇଁ କାହାର ସାହସ ହେଉନାହିଁ। ସଙ୍ଗୀତ ମାଧ୍ୟମରେ ଶହ ଶହ ଲୋକଙ୍କୁ ଖୁସି ବାଣ୍ଟୁଥିବା ନନ୍ଦୁଙ୍କ ପରିବାରରେ ଆଜି ନିଷ୍ଠୁର ନୀରବତା!

ସତ୍ୟନଗରରେ ନନ୍ଦୁଙ୍କ ଶେଷକୃତ୍ୟ

ନନ୍ଦୁ ଥିଲେ ତାଙ୍କ ସାଙ୍ଗସାଥୀ ଓ ଇଭେଣ୍ଟ ଜଗତରେ ଲୋକପ୍ରିୟ। ତାଙ୍କ ମର ଶରୀରକୁ ୧୭ ତାରିଖ ଦିନ ଏକ ଶୋଭାଯାତ୍ରାକୁ ନିଆଯାଇଥିଲା ସତ୍ୟନଗର ଶ୍ମଶାନ। ବାଟରେ ଅନେକ ଲୋକ ତାଙ୍କୁ ମନେପକାଇ ଆଖିରୁ ଲୁହ ଗଡ଼ାଇଥିଲେ। ସୋସିଆଲ ମିଡିଆରେ ଭରି ଯାଇଥିଲା ନନ୍ଦୁଙ୍କ ପାଇଁ ସାଙ୍ଗସାଥୀ ଏବଂ ଜଣା ଅଜଣା ଲୋକଙ୍କ ଶେଷ ମେସେଜ୍ – ରେଷ୍ଟ ଇନ୍‌ ପିସ୍‌!

Comment