ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ଉପ-ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ
  • ନିର୍ବାଚନ କମିଶନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା
  • ମାମଲା ରୁଜୁ କଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ
  • ୨୨ରେ ମାମଲାର ଶୁଣାଣି

ବିଜେପୁର ଉପ-ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ ହେଉଛି। ଏହାକୁ ଆଧାର କରି ଭାରତୀୟ ନିର୍ବାଚନ କମିଶନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଛି।

ସ୍ୱେଚ୍ଛାସେବୀ ଅନୁଷ୍ଠାନ କନକ ଫାଉଣ୍ଡେସନ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ୨୨ ତାରିଖରେ ମାମଲାର ଶୁଣାଣି ହେବ। ବିଜେପୁର ଉପ-ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ ହେଉଥିବାରୁ ବିଗତ ଦିନରେ ବିଜେଡି ଏବଂ କଂଗ୍ରେସ ନିର୍ବାଚନ କମିଶନଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିଥିଲେ।

“ବିଜେପୁର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାରେ ନିର୍ବାଚନ କମିଶନର ବିଳମ୍ବ କରୁଛନ୍ତି। କମିଶନଙ୍କ ଉପରେ ବିଜେପିର ଚାପ ରହୁଛି। କାରଣ ଏବେ ଉପ-ନିର୍ବାଚନ ହେଲେ ବିଜେପୁରରେ ବିଜେପି ମାଟି କାମୁଡ଼ିବ”, କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

କଂଗ୍ରେସ ବି ବିଜେପିକୁ ସମାଲୋଚନା କରିଛି। ହେଲେ କଂଗ୍ରେସ ଏବଂ ବିଜେଡିର ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ବିନା ପ୍ରମାଣରେ ବିଜେପିକୁ ବଦନାମ କରିବା ପାଇଁ କଂଗ୍ରେସ ଓ ବିଜେଡି ଉଦ୍ୟମ କରୁଥିବା ବିଜେପି କହିଛି।

ତ୍ରିପୁରା, ମିଜୋରାମ ଏବଂ ନାଗାଲାଣ୍ଡ ବିଧାନସଭା ପାଇଁ ୧୮ ତାରିଖରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। କିନ୍ତୁ ବିଜେପୁର ଉପ-ନିର୍ବାଚନ ପାଇଁ କମିଶନ ତାରିଖ ଘୋଷଣା କରି ନାହାନ୍ତି। ଫଳରେ ଉପ-ନିର୍ବାଚନ ଅନିଶ୍ଚିତତାରେ ରହିଯାଇଛି।

୨୦୧୭ ଅଗଷ୍ଟ ୨୨ ତାରିଖରେ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା। ସେହିଦିନରୁ ବିଜେପୁର ଆସନ ଖାଲି ପଡ଼ିଛି। ବିଧାୟକଙ୍କ ଦେହାନ୍ତର ୬ ମାସ ଭିତରେ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାର ନିୟମ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାରିଖ ଘୋଷଣା କରାଯାଇ ନାହିଁ।

ଏପଟେ ବିଜେପୁର ଉପ-ନିର୍ବାଚନ ପାଇଁ ବାଦୀପାଲା ଚାଲିଛି। ବିଜେଡି-କଂଗ୍ରେସ ଏବଂ ବିଜେପି ମଧ୍ୟରେ ବିଜେପୁରକୁ ନେଇ ଛକାପଞ୍ଝା ଚାଲିଛି। ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରି ଚର୍ଚ୍ଚାରେ ରହିଥିବା ବେଳେ ବିଜେପି ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ ଏବଂ ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା କରି ମାହୋଲକୁ ସରଗରମ୍ କରିଛି।

Comment