ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ପୁଅ ନାତିଙ୍କ ପାଇଁ ସମସ୍ତେ ବ୍ୟସ୍ତ
  • ଶୀର୍ଷ ନେତୃତ୍ୱଙ୍କ ଉପରେ ବଂଶବାଦର ଚାପ

ଗୋଟେ ସର୍ଭେ ଅନୁସାରେ ଡାକ୍ତରଙ୍କ ପୁଅ ଡାକ୍ତର ହେବାକୁ ଯେତିକି ଚାହେଁନାହିଁ, ରାଜନେତାଙ୍କ ପୁଅ ନାତି କିନ୍ତୁ ରାଜନୀତିକୁ ଭଲ ପ୍ରଫେସନ ହିସାବରେ ଗ୍ରହଣ କରିସାରିଛନ୍ତି। ସ୍ୱାଭାବିକ ଭାବେ, ଏହା ବିହାର ନିର୍ବାଚନରେ ଦେଖିବାକୁ ମିଳୁଛି। ନିଜ ଜୀବଦଶାରେ ବଡ଼ବଡ଼ ରାଜନେତା ସେମାନଙ୍କ ପିଲାମାନଙ୍କୁ ଥଇଥାନ କରିଦେବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।

ଲାଲୁ ପ୍ରସାଦ ଯାଦବ ତାଙ୍କ ପୁଅ ତେଜସ୍ୱୀଙ୍କ ହାତରେ ଆରଜେଡିର ଲଗାମ ପୂରା ଦେଇସାରିଛନ୍ତି। ଗୋଟେ ପିଢ଼ିରୁ ଆଉ ଗୋଟେ ପିଢ଼ିକୁ କ୍ଷମତା ହସ୍ତାନ୍ତର ସରିଛି। ତାଙ୍କର ଅନ୍ୟ ପୁଅ ଓ ଝିଅ ରାଜନୀତିରେ ସାମିଲ ହୋଇସାରିଛନ୍ତି। ସେମିତି ଆଉ ଜଣେ ଟାଣୁଆ ନେତା ରାମବିଲାସ ପାଶ୍ୱାନ ମଧ୍ୟ ତାଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ହାତରେ କ୍ଷମତା ସମର୍ପଣ କରିସାରିଛନ୍ତି। ଏବେ ଚିରାଗ ହିଁ ନିଷ୍ପତ୍ତି ନେଉଛନ୍ତି, ଦଳ କଣ କରିବ ଆଉ କଣ କରିବ ନାହିଁ।

ବର୍ତ୍ତମାନ ସୁଦ୍ଧା କୌଣସି ମେଣ୍ଟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇପାରିନାହିଁ। ଏମିତି ସ୍ଥିତିରେ ବହୁ ନେତା ତାଙ୍କୁ ଟିକଟ ପଛେ ନ ମିଳୁ କିନ୍ତୁ ସେମାନଙ୍କ ପୁଅ, ଝିଅ, ନାତି, ବୋହୂ ଏମାନଙ୍କୁ ଟିକଟ ପାଇଁ ଲବିରେ ବ୍ୟସ୍ତ। ଅବଶ୍ୟ ୨୦୧୯ ନିର୍ବାଚନରେ ଅନେକ ରାଜନୈତିକ ଉତ୍ତରାଧିକାରୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ବିଫଳ ହୋଇଥିଲେ ମଧ୍ୟ, ଏବେ ପୁଣି ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ଆଗ୍ରହୀ। କଂଗ୍ରେସ ମୁଖ୍ୟ ମଦନମୋହନ ଝା ଏ ନିର୍ବାଚନରେ ତାଙ୍କ ପୁଅ ମାଧବ ଝାଙ୍କୁ ଲଢ଼ାଇବାକୁ ଉଦ୍ୟମ କରୁଛନ୍ତି। ମାଧବ ଝା ପ୍ରାର୍ଥୀ ହେଲେ, ସେ ହେବେ ତାଙ୍କ ବଂଶର ତୃତୀୟ ପିଢିର ରାଜନେତା। ମଦନଙ୍କ ବାପା ନଗେନ୍ଦ୍ର ଝା ମଧ୍ୟ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ଆରଜେଡି ସହ ଆସନ ବୁଝମଣା ଚାଲିଥିବା ବେଳେ, ମଦନ ତାଙ୍କ ପୁଅର ନାଁ ମଧ୍ୟ ପୂରାଇ ଦେଇଥିବା ସୂଚନା ମିଳିଛି। ଆରଜେଡିର ବିହାର ମୁଖ୍ୟ, ଜଗଦାନନ୍ଦ ସିଂ ମଧ୍ୟ ତାଙ୍କ ପୁଅ ସୁଧାକର ସିଂଙ୍କୁ ଏଥର ଆରଜେଡି ଟିକଟରୁ ନିର୍ବାଚନ ଲଢ଼ାଇବା ପାଇଁ ଚାହୁଁଛନ୍ତି। ଅବଶ୍ୟ ୨୦୧୦ ନିର୍ବାଚନରେ ତାଙ୍କ ପୁଅ ବାପାଙ୍କୁ ବିରୋଧ କରି ବିଜେପି ଟିକଟରେ ନିର୍ବାଚନ ଲଢ଼ିଥିଲେ। ତେବେ ସେ ଆରଜେଡି ଶିବିରକୁ ଫେରିଆସିଛନ୍ତି, ଆଉ ବାପା ଫୁଲ ଦମରେ ତାଙ୍କ ପାଇଁ ରାମଗଡ଼ ଆସନ ପାଇ ଟିକଟ ହାତେଇବାକୁ ଉଦ୍ୟମ ଚଳାଇଛନ୍ତି। ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ସେ ଭେଟିଥିବା ସୂଚନା ମିଳିଛି।

Bihar JDU Narayan Singh

ଜେଡିୟୁ ରାଜ୍ୟ ମୁଖ୍ୟ ବଶିଷ୍ଟ ନାରାୟଣ ସିଂ ମଧ୍ୟ ତାଙ୍କ ପୁଅ ସୋନୁ ସିଂଙ୍କୁ ଏଥର ନିର୍ବାଚନରେ ଅବତ୍ତୀର୍ଣ୍ଣ କରାଇବାକୁ ଚାହୁଁଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ମଧ୍ୟ ତାଙ୍କ ପୁଅ ପାଇଁ ପୁଣି ଥରେ ଟିକଟ ଦାବି କରୁଛନ୍ତି। ଗତ ୨୦୧୫ ନିର୍ବାଚନରେ ତାଙ୍କ ପୁଅ ଅରଜିତ ଶାଶ୍ୱତ ଭାଗଲପୁର ଆସନରୁ ହାରିଯାଇଥିଲେ, ତଥାପି ପୁଅ ଟିକଟ ପାଇଁ ବାପା ଶୀର୍ଷ ନେତୃତ୍ୱଙ୍କ ଶରଣରେ ପଶିଛନ୍ତି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରାମକ୍ରିପାଲ ଯାଦବ ମଧ୍ୟ ତାଙ୍କ ପୁଅ ଅଭିମନ୍ୟୁଙ୍କ ପାଇଁ ଟିକଟ ଦାବି କରୁଛନ୍ତି। ଶାଶାରାମର ବିଜେପି ସାଂସଦ ଛେଦି ପାଶ୍ୱାନ ମଧ୍ୟ ତାଙ୍କ ପୁଅ ରବିଶଙ୍କରଙ୍କ ପାଇଁ ଟିକଟ ଲବିରେ ଅଛନ୍ତି। ୨୦୧୫ ନିର୍ବାଚନରେ ସେ ବିଜେପି ଟିକଟ ପାଇଁ ଆଶାୟୀ ଥିଲେ ମଧ୍ୟ ନ ମିଳିବାରୁ ବିଏସପି ଟିକଟରେ ନିର୍ବାଚନ ଲଢ଼ି ହାରିଯାଇଥିଲେ। ଏଥର ତାଙ୍କ ଭବିଷ୍ୟତକୁ ସଜାଡ଼ିବା ପାଇଁ ବାପା ଫୁଲ ଦମରେ ଲାଗିପଡ଼ିଛନ୍ତି। ବିଜେପିର ଟିକଟ ବଣ୍ଟା କୋର କମିଟିରେ ଥିବା ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ସଂଖ୍ୟାଧିକ ଏମଏଲଏ, ଏମପି ଓ ପୂର୍ବତନ ଏମଏଲଏ,ଏମପି ସେମାନଙ୍କ ପିଲାମାନଙ୍କ ପାଇଁ ଟିକଟ ଲବି କରୁଛନ୍ତି। ତେବେ କୌଣସି ସାଂସଦ କିମ୍ବା ବିଧାୟକଙ୍କ ପୁଅ କି ଝିଅ ହେଲେ ଯେ, ଟିକଟ ମିଳିବା ତାର ଗ୍ୟାରେଣ୍ଟି ନାହିଁ। ଏହା ଏକ ଯୋଗ୍ୟତା ନୁହେଁ, ତଥାପି ଯଦି କୌଣସି ଆଶାୟୀଙ୍କର ବ୍ୟକ୍ତିଗତ ଯୋଗ୍ୟତା ଥିଲେ, ଟିକଟ ମିଳିବାରେ ଅସୁବିଧା ନାହିଁ ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ରାଜ୍ୟସଭା ସାଂସଦ ଅଖିଳେଶ ସିଂହଙ୍କ ପୁଅ ଆକାଶ ଗତ ଲୋକସଭା ନିର୍ବାଚନରେ ଆରଏଲଏସପି ଟିକଟରେ ଲଢ଼ି ହାରିଯାଇଥିଲେ। ଏଥର କଂଗ୍ରେସ ଟିକଟ ପାଇଁ ସେ ବାପାଙ୍କ ଉପରେ ଚାପ ପକାଉଥିବା ସୂଚନା ମିଳିଛି।

bihar congress leader sadananda singh

କଂଗ୍ରେସ ନେତା ସଦାନନ୍ଦ ସିଂ ଖାଲଗାଓଁ ଆସନରୁ ୯ ଥର ବିଧାୟକ ହେବା ପରେ ଏଥର ତାଙ୍କ ପୁଅକୁ ଏଠାରୁ ଠିଆ କରାଇବା ଉଦ୍ୟମରେ ଅଛନ୍ତି। ପୂର୍ବତନ ବିହାର କଂଗ୍ରେସ ମୁଖ୍ୟ ଅଶୋକ କୁମାରଙ୍କ ପୁଅ  ଅତିରେକ କୁମାର ତାଙ୍କ ବଂଶର ତୃତୀୟ ପିଢ଼ିର ସଦସ୍ୟ ଭାବେ ନିର୍ବାଚନରେ ଲଢ଼ିବା ପାଇଁ ଯୋଜନା କରିଛନ୍ତି। ବାପା ଅଶୋକ କୁମାର ମଧ୍ୟ ପୁଅର ଭବିଷ୍ୟତ ପାଇଁ ଜୋରଦାର ଲବି କରୁଛନ୍ତି। ଅଶୋକ କୁମାରଙ୍କ ବାପା ବେଲେଶ୍ୱର ରାମ ମଧ୍ୟ କଂଗ୍ରେସ ସାଂସଦ ଥିଲେ। ବିଜେପି ଓ କଂଗ୍ରେସ ସଂଗଠନର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ କହିବା କଥା, ବଡ଼ବଡ଼ ନେତାଙ୍କ ସ୍ୱାର୍ଥପରତା ଏତେ ଅଧିକ ଯେ, ସେମାନେ ତାଙ୍କ ଜୀବନକାଳ ମଧ୍ୟରେ ପୁଅ ଝିଅ, ନାତିନାତୁଣୀଙ୍କୁ ପ୍ରତିଷ୍ଠିତ କରାଇବା ପାଇଁ ଚାହୁଁଛନ୍ତି। ଏ କ୍ଷେତ୍ରରେ ଅନେକ ଯୋଗ୍ୟ ସଂଗଠକ ସେମାନଙ୍କ ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି। କେତେକ ଦଳ ଛାଡ଼ୁଛନ୍ତି ନ ହେଲେ, କର୍ମକୁ ଆଦରି ପଡ଼ିରହୁଛନ୍ତି।

Comment