ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ଧର୍ମ ସଙ୍କଟରେ। ଗୋଟିଏ ପଟେ ବିଜେପି ମେଣ୍ଟ ଧର୍ମ ଭାଙ୍ଗୁଛି। ଅନ୍ୟପଟେ ସରକାର ଚଳାଇବାରେ ନୀତିଶଙ୍କ ଉପରେ ପ୍ରବଳ ଚାପ ରହୁଛି। ଏପରି ପରିସ୍ଥିତିରେ ନୀତିଶ କ’ଣ କରିବେ ତାକୁ ନେଇ ବିହାର ରାଜନୀତି ଏବେ ସରଗରମ ହୋଇ ପଡ଼ିଥିବା ବେଳେ ୨୦୨୪ ପାଇଁ ନୀତିଶ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି।

ଠିକ୍ ଏମିତି ଏକ ପରିସ୍ଥିତିରେ ୨ଟି ରାଜନୈତିକ ଘଟଣାକ୍ରମ ବିହାର ରାଜନୀତିକୁ ରୋଚକ ମୋଡ଼ରେ ଠିଆ କରିଦେଇଛି। ଗୋଟିଏ ହେଲା ନୀତିଶ ଜେଡିୟୁର ଜାତୀୟ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି, ଅନ୍ୟପଟେ ୨୦୨୪ ପାଇଁ ନୀତିଶଙ୍କୁ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ପ୍ରସ୍ତାବ ଦେଇଛି ଆରଜେଡି। କିନ୍ତୁ ରାଜନୀତି ସମୀକ୍ଷକମାନେ କହୁଛନ୍ତି ଯେ, ଅରୁଣାଚଳପ୍ରଦେଶରେ ୬ଜଣ ଜେଡିୟୁ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ ହେବା ପରେ ବିହାରରେ ଜେଡିୟୁକୁ ଏକାଠି କରି ରଖିବା ନୀତିଶଙ୍କ ପାଇଁ ସବୁଠାରୁ ବଡ଼ ଟାସ୍କ ପାଲଟିଯାଇଛି।କେନ୍ଦ୍ର ମୁହାଁ ହେଉଛନ୍ତି କି ନୀତିଶ?

ନୀତିଶ ଆହୁରି ୩ ବର୍ଷ ଜେଡିୟୁର ଜାତୀୟ ଅଧ୍ୟକ୍ଷ ପଦରେ ରହିଥାନ୍ତେ, ହେଲେ ସେ ଏହି ପଦ ଛାଡ଼ିଛନ୍ତି। ପୂର୍ବତନ ପ୍ରମୁଖ ସଚିବ ତଥା ରାଜ୍ୟସଭା ସଦସ୍ୟ ଆରସିପି ସିଂହଙ୍କୁ ଜେଡିୟୁର ଜାତୀୟ ମୁଖ୍ୟ ନିଯୁକ୍ତ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ନୀତିଶ। ଠିକ୍ ଯେମିତି ପ୍ରାୟ ୧୦ ବର୍ଷ ତଳେ ତାଙ୍କୁ ରାଜ୍ୟସଭା ଟିକଟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ନୀତିଶ। ତେଣୁ ଆରସିପି ସିଂହଙ୍କୁ ବିହାର ରାଜନୀତିର ଦାୟିତ୍ୱ ଦେଇ ନୀତିଶ କେନ୍ଦ୍ର ମୁହାଁ ହେଉଥିବା ରାଜନୀତି ପଣ୍ତିତମାନଙ୍କ ଆକଳନ କରିଛନ୍ତି।

ଆରସିପିଙ୍କର ଦଳରେ ମଜଭୁତ ସ୍ଥିତି ରହିଛି। ଦଳର ବିଧାୟକମାନଙ୍କୁ ଏକାଠି କରି ରଖିବାର କଳା ତାଙ୍କୁ ବେଶ୍ ଜଣା। ଗୋଟିଏ ପଟେ ରାଜ୍ୟରେ ଦଳକୁ ଏକାଠି କରି ରଖିବା ଏବଂ ନୀତିଶଙ୍କ କେନ୍ଦ୍ରରାଜନୀତିର ଲକ୍ଷ୍ୟକୁ ଗୋଟେ ନୂଆ ଦିଗ ଦେଇପାରନ୍ତି ଆରସିପି ସିଂହ। ଏହା ସହିତ ସେ ପରିବର୍ତ୍ତିତ ସ୍ଥିତି ଓ ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ପରିବର୍ତ୍ତନ କରାଇପାରିବେ ବୋଲି ନୀତିଶ ଆଶା କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଆରସିପିଙ୍କୁ ନୀତିଶ ହିଁ ରାଜନୀତିକୁ ଆଣିଥିଲେ। ସେ ତାଙ୍କର ରାଜନୈତିକ ଜୀବନରେ ଦଳର ବିଭିନ୍ନ ଦାୟିତ୍ୱ ସମ୍ଭାଳିଛନ୍ତି। ତାଙ୍କର ଏକ ବିଶ୍ୱସ୍ତ ଟିମ୍ ମଧ୍ୟ ରହିଛନ୍ତି।

୨୦୧୪ ନିର୍ବାଚନ ପୂର୍ବରୁ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଇଥିଲେ ଆରସିପି। ସେ ଉତ୍ତରପ୍ରଦେଶ ପ୍ରଶାସନରେ ମଧ୍ୟ ବରିଷ୍ଠ ଅଧିକାରୀ ଥିବାରୁ ତାଙ୍କର ସେଠାରେ ଭଲ ରାଜନୈତିକ ସଂଯୋଗ ରହିଛି। ତେଣୁ ୨୦୨୪ ନିର୍ବାଚନ ପାଇଁ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଇପାରନ୍ତି ଆରସିପି। ୨୦୧୯ ସାଧାରଣ ନିର୍ବାଚନରେ ଆରସିପି ହିଁ ଜେଡିୟୁ ଏବଂ ବିଜେପି ମଧ୍ୟରେ ମେଣ୍ଟ କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ସେ ଦିଲ୍ଲୀରେ ଅଧିକ ସମୟ ରହିଥିବାରୁ ତାଙ୍କର ଅନ୍ୟ ରାଜ୍ୟର ଆଞ୍ଚଳିକ ଦଳ ସହ ମଧ୍ୟ ଭଲ ସମ୍ପର୍କ ରହିଛି। ତେଣୁ ତୃତୀୟ ମେଣ୍ଟ ନେଇ ଜେଡିୟୁ ଚିନ୍ତା କରୁଥିବା ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି।TEJASWAI_Bihar Electionପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ନୀତିଶଙ୍କୁ ସମର୍ଥନ କରିବ ଆରଜେଡି!

ନୀତିଶ କୁମାର କେନ୍ଦ୍ରମୁହାଁ ହେଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଆରଜେଡିର ଏକ ପ୍ରସ୍ତାବ ମଧ୍ୟ ବିହାର ରାଜନୀତିରେ ହଲଚଲ ସୃଷ୍ଟି କରିଛି। ଆରଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀ ନୀତିଶଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ସେହି ପ୍ରସ୍ତାବ ଅନୁସାରେ ଯଦି ନୀତିଶ ଏନଡିଏ ଛାଡ଼ି ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସାହଯ୍ୟ କରିବେ ତେବେ, ୨୦୨୪ ନିର୍ବାଚନ ପାଇଁ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସହମତି ସୃଷ୍ଟି କରିବା ପାଇଁ ଆରଜେଡି ପକ୍ଷରୁ ଚେଷ୍ଟା କରାଯିବ।

Comment