ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାରରେ ବାମଦଳର ଚମତ୍କାର ପ୍ରଦର୍ଶନ ପରେ, ଏବେ ଦେଶବ୍ୟାପୀ ସେମାନଙ୍କ ସ୍ଥିତିକୁ ନଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦଳ ପୁଣି ଶକ୍ତିଶାଳୀ ହବା ସହିତ ନିର୍ବାଚନ ଲଢ଼ି ନିଜର ସ୍ଥିତି ଜାହିର କରିପାରିବ ବୋଲି ରାଜନୈତିକ ପଣ୍ଡିତମାନ କହିବା ଆରମ୍ଭ କଲେଣି। କାରଣ ବିହାରରେ ବାମଦଳ ଟିକଟରେ ନିର୍ବାଚନ ଲଢି ଜିତିଥିବା ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଅର୍ଥ ନାହିଁ, ହେଲେ ନିଜର ଆଦର୍ଶ ଦ୍ୱାରା ଭୋଟରଙ୍କୁ ପ୍ରଭାବିତ କରି ୫୦ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି।

ବିହାରର ବଳରାମପୁର ଆସନରୁ ବିଧାୟକ ଭାବେ ଜିତିଛନ୍ତି ସିପିଆଇ(ଏମଏଲ୍) ନେତା ମେହେବୁବ ଆଲମ। ତାଙ୍କର ଘର କହିଲେ, ମାଟି ଚଟାଣ, ପ୍ଲାଷ୍ଟର ହୋଇ ନ ଥିବା କାନ୍ଥ ଓ ଆଜବେଷ୍ଟସ ଛାଉଣୀ। ବୟସ ୬୪ ଛୁଇଁଲାଣି। ସେ ଏହାକୁ ମିଶାଇ ସେ ୪ ଥର ବିଧାୟକ ନିର୍ବାଚିତ ହେବା ପରେ ବି ତାଙ୍କର ଆର୍ଥିକ ଅବସ୍ଥା ଏମିତି ରହିଛି। ତାଙ୍କ କହିବା ଅନୁସାରେ ସେ ଏକ ସାଧାରଣ ଜୀବନ ବଞ୍ଚିବାକୁ ସବୁ ବେଳେ ଚେଷ୍ଟା କରିଆସିଛନ୍ତି। ଖାଲି ସେ ନୁହେଁ ବାମଦଳର ଅନେକ ଯୁବପ୍ରାର୍ଥୀ ମଧ୍ୟ ବେଶ ଭଲ ଭୋଟ ବ୍ୟବଧାନରେ ଜିତିଛନ୍ତି। ବିହାରରେ ବିଭିନ୍ନ ବାମଦଳଗୁଡ଼ିକ ମୋଟ ୧୬ ଟି ଆସନ ଜିତିଛନ୍ତି।

କଂଗ୍ରେସ ଏଠାରେ ୭୦ ଆସନରେ ନିର୍ବାଚନ ଲଢୁଥିବା ବେଳେ ମାତ୍ର ୧୯ଟି ଆସନରେ ଜିତିବାରେ ସଫଳ ହୋଇଥିଲା। ତେବେ ବାମଦଳଗୁଡ଼ିକୁ ମୋଟ ୨୯ଟି ଆସନ ମିଳିଥିବା ବେଳେ ସେମାନେ ୧୬ଟି ଆସନ ଜିତିଛନ୍ତି। ଯଦି ସେମାନଙ୍କୁ ଅଧିକ ସିଟ୍‌ରେ ନିର୍ବାଚନ ଲଢ଼ିବାକୁ ମିଳିଥାନ୍ତା ତେବେ, ମହାମେଣ୍ଟ ହିଁ ସରକାର କରିଥାନ୍ତା ବୋଲି ବାମ ଦଳ ନେତା କହିଛନ୍ତି। ଏପରିକି ନିଜେ ତେଜସ୍ୱୀ ମଧ୍ୟ ଏକଥା ବାରମ୍ବାର କହିଛନ୍ତି।

ଶେଷରେ ନିଜର ସ୍ଥିତି ଜାହିର କରିବା ପାଇଁ ବାମଦଳଗୁଡ଼ିକ ସଂଘର୍ଷ କରୁଥିବା ବେଳେ ବିହାର ନିର୍ବାଚନ ଫଳାଫଳ ନିଶ୍ଚିତ ଭାବେ ସେମାନଙ୍କୁ ଉତ୍ସାହିତ କରିଛି। ବାମଦଳର ଶୀର୍ଷ ନେତୃତ୍ୱଙ୍କ କହିବା ଅନୁସାରେ ଆଗକୁ ଦଳ ଅନ୍ୟ ରାଜ୍ୟ ଯେପରି ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ନିଜର ସ୍ଥିତି ସଜାଡିବାକୁ ଉଦ୍ୟମ କରିବ।

ଏହାଛଡ଼ା ମାଓବାଦୀ ଆନ୍ଦୋଳନରୁ ଯେ ରାଜନୈତି ସଫଳତା ମିଳିବା ଅସମ୍ଭବ କିମ୍ବା କଷ୍ଟକର ତାହା ଯୁବନେତା ଓ ଅନ୍ୟମାନେ ବୁଝିସାରିଲେଣି। ତେଣୁ ଏଥର କୌଣସି ଗୋଟିଏ ଅଞ୍ଚଳକୁ ଅକ୍ତିଆର କରି ସ୍ୱାଧୀନ ଅଞ୍ଚଳ ଘୋଷଣା କରି ରଖିବା ଆଉ ରାଜନୈତିକ ଫାଇଦା ଦେବନାହିଁ ବୋଲି ସିପିଆଇ(ଏମଏଲ)ର ବରିଷ୍ଠ ନେତା କହିଛନ୍ତି।

ଏ ପରିସ୍ଥିତିରେ ଓଡ଼ିଶାରେ ବାମଦଳର ସ୍ଥିତି କେଉଁଠି? ଆଉଥରେ ସେ ଦଳଗୁଡ଼ିକ ସଂଗଠିତ ହୋଇପାରିବେ କି, ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ଓ ସନ୍ଦେହ ସୃଷ୍ଟି ହୋଇଛି। ବାଲେଶ୍ୱରର ନୀଳଗିରି, ଜଳେଶ୍ୱର ଆସନ ଅନେକ ସମୟରେ ବାମପନ୍ଥୀଙ୍କ କବଜାରେ ରହିଥିଲା। ବେଶ ଭଲ ପ୍ରଦର୍ଶନ ମଧ୍ୟ କରୁଥିଲେ। ସେହିପରି ଗଞ୍ଜାମ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡା ଏପରିକି ଭୁବନେଶ୍ୱରରେ ମଧ୍ୟ ବାମପନ୍ଥୀଙ୍କ ଭଲ ପ୍ରଦର୍ଶନ ରହୁଥିଲା। ହେଲେ ସମୟକ୍ରମେ ସେମାନଙ୍କ ସ୍ଥିତି ବିଗିଡ଼ିବା ସହ ଆଜି ଏକଦମ ତଳେ ରହିଯାଇଛି। ଦଳକୁ ବେଶୀ ଯୁବଗୋଷ୍ଠୀ ଆସୁନାହାନ୍ତି। ଓଡ଼ିଶାରେ ସମ୍ଭାବନାକୁ କେମିତି ସୁଯୋଗରେ ପରିଣତ କରାଯାଇପାରିବ ତାହା ବିହାରର ଏ ଯୁବ ବାମପନ୍ଥୀମାନଙ୍କଠାରୁ ଶିଖିବାର ଆବଶ୍ୟକତା ରହିଛି।

ନିକଟରେ ବାମ ଆନ୍ଦୋଳନକୁ ଶହେ ବର୍ଷ ପୂରିଛି। ପୂର୍ବ ଭାରତ, ପଶ୍ଚିମଭାରତ ଓ ଦକ୍ଷିଣ ଭାରତରେ ବାମପନ୍ଥୀମାନେ ନିଜର ସ୍ଥିତି ଦିନେ ଶୀର୍ଷରେ ପହଞ୍ଚାଇଥିଲେ। ଏବେ ସ୍ଥିତି ପାଇଁ ସଂଘର୍ଷ କରୁଛନ୍ତି।

Comment