ଓଡ଼ିଶାଲାଇଭ ବ୍ୟୁରୋ

ଡୋରଣ୍ଡା ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ୍‌ ଓ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ପୁଣି ଜେଲ୍ ଯିବେ ଲାଲୁ ଯାଦବ। ଡୋରଣ୍ଡା କୋଷାଗାର ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଅଦାଲତ। ୫ ବର୍ଷ ଜେଲ୍ ସହ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ସ୍ୱତନ୍ତ୍ର ସିବିଆଇ ଅଦାଲତ ସବୁଠାରୁ ବଡ଼ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଏହି ରାୟ ଦେଇଛନ୍ତି। କୋର୍ଟରେ ଜାମିନ ଆବେଦନ କରିବେ ବୋଲି କହିଛନ୍ତି ଲାଲୁଙ୍କ ଓକିଲ।

ଗୋ-ଖାଦ୍ୟ ଦୁର୍ନୀତିରେ ଡୋରଣ୍ଡା କୋଷାଗାର ସବୁଠୁ ବଡ଼ ମାମଲା ଥିଲା। ଏହି ଗୋ-ଖାଦ୍ୟ ଦୁର୍ନୀତିରେ ଲାଲୁ ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା। ଲାଲୁ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଥିବାବେଳେ ତାଙ୍କ ଜାଣତରେ ଏ ଦୁର୍ନୀତି ହୋଇଥିବା ସିବିଆଇ କହିଥିଲା। ପୂର୍ବରୁ ଗୋ-ଖାଦ୍ୟ ଦୁର୍ନୀତିର ୪ଟି ମାମଲାରେ ଲାଲୁଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡାଦେଶ ଦେଇଥିଲେ। ପ୍ରାୟ ୪୨ ମାସ ଧରି ଜେଲ ଦଣ୍ଡାଦେଶ କାଟିବା ପରେ ଲାଲୁଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଜାମିନ୍ ଦେଇଥିଲେ ହାଇକୋର୍ଟ।

୧୩୯.୫ କୋଟି ଟଙ୍କାର ଡୋରଣ୍ଡା କୋଷାଗାର ମାମଲାରେ ଲାଲୁ ଓ ଅନ୍ୟ ଅଭିଯୁକ୍ତଙ୍କୁ ଫେବ୍ରୁଆରୀ ୧୫ରେ ଦୋଷୀ ସାବ୍ୟସ୍ତ କରିଥିଲେ ସ୍ୱତନ୍ତ୍ର ସିବିଆଇ ଅଦାଲତ। ସେତେବେଳେ ଦଣ୍ଡ ଘୋଷଣା କରାଯାଇନଥିଲା। ଆଜି ଅନଲାଇନରେ ଅଦାଲତ ରାୟ ଶୁଣାଇଥିବା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ ଲାଲୁ ଯାଦବ।

ଡୋରଣ୍ଡା କୋଷାଗାର ମାମଲାରେ ମୋଟ ୧୭୦ ଜଣ ଅଭିଯୁକ୍ତ ଥିଲେ। ସେଥିମଧ୍ୟରୁ ଏଯାବତ ୫୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ୭ ଜଣ ସରକାରୀ ସାକ୍ଷୀ ହୋଇଥିବା ବେଳେ ୨ ଜଣ ଦୋଷ ସ୍ୱୀକାର କରିଛନ୍ତି। ଏହାପରେ ଏବେ ୯୯ ଜଣ ଅଭିଯୁକ୍ତ ଥିବାବେଳେ ୨୪ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଶେଷରେ ୭୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ସିବିଆଇ ଅଦାଲତ।

କେଉଁ ମାମଲାରେ କେତେ ଦଣ୍ଡ ?

ଆରଜେଡି ମୁଖ୍ୟ ଲାଲୁ ଯାଦବ ଦୁମକା, ଦେବଘର ଓ ଚାଇବାସା ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଚାଇବାସା ପ୍ରଥମ ମାମଲାରେ ଲାଲୁଙ୍କୁ ୫ ବର୍ଷ ଜେଲ୍ ହୋଇଥିବାବେଳେ ଦେବଘର ମାମଲାରେ ସାଢେ ୩ ବର୍ଷ, ଚାଇବାସା ଦ୍ୱିତୀୟ ମାମଲାରେ ୫ ବର୍ଷ ଓ ଦୁମକା ମାମଲାରେ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

Comment