ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଓ ବିହାର ସରକାର ଲକ୍‌ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି। ଓଡ଼ିଶାରେ ବଢ଼ିବ କି ଲକ୍‌ଡାଉନ୍‌?

ଦେଶରେ କରୋନା ସଂକ୍ରମଣ କମିବାରେ ନାଁ ଧରୁନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୂତାବକ ଦୈନିକ ୩ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟାରେ ବି ପରିବର୍ତ୍ତନ ହୋଇଛି। କିଛି ଦିନ ହେବ ଦେଶରେ ଦୈନିକ ମୃତ୍ୟୁ ହାର ୪ହଜାର ଉପରେ ରହିଛି। ପ୍ରମୁଖ ରାଜ୍ୟମାନଙ୍କରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଉକ୍ତ ରାଜ୍ୟର ସରକାର ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାରରେ ଲକ୍‌ଡାଉନ୍ ବଳବତ୍ତର ରହିଛି।

ମହାରାଷ୍ଟ୍ରରେ ବଢ଼ିଲା ଲକ୍‌ଡାଉନ୍ ଅବଧି

ମହାରାଷ୍ଟ୍ରରେ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସେଠାକାର ସରକାର ଲକ୍‌ଡାଉନ୍ ଅବଧିକୁ ବଢ଼ାଇଛନ୍ତି। ଜୁନ୍ ୧ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବଳବତ୍ତର ରହିବ। ଏଣିକି ରାଜ୍ୟ ଭିତରେ ପ୍ରବେଶ କରିବାକୁ ହେଲେ ସାଙ୍ଗରେ ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ ନେବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ରିପୋର୍ଟ ୪୮ଘଣ୍ଟା ପୂର୍ବରୁ ହୋଇଥିବା ଜରୁରୀ। ଆଗରୁ କେବଳ ଅଧିକ ସଂକ୍ରମିତ ରାଜ୍ୟରୁ ଆସିଲେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଆଣିବାକୁ କୁହାଯାଉଥିଲା। କିନ୍ତୁ ଏବେ ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ କରାଯାଇଛି।ଲକ୍‌ଡାଉନ୍ ସମୟରେ ମାଲବାହୀ ଗାଡ଼ିରେ ଡ୍ରାଇଭର ସାଙ୍ଗରେ କେବଳ ହେଲ୍‌ପର୍ ଯାତାୟତକୁ ଅନୁମତି ମିଳିଛି। ବାହାର ରାଜ୍ୟର ମାଲବାହୀ ଗାଡ଼ି ହୋଇଥିଲେ, ଉକ୍ତ ଗାଡ଼ିର ଡ୍ରାଇଭରଙ୍କୁ ଆରଟିପିସିଆର ରିପୋର୍ଟ ଦେଖେଇବାକୁ ପଡ଼ିବ। ଜରୁରୀକାଳୀନ ସେବାରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ର ୪୦ହଜାରରୁ ଅଧିକ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ଗତ କିଛିଦିନର ତଥ୍ୟ ମୂତାବକ ମେ’ ୧୨ରେ ୪୬,୭୮୧ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି ମେ’୧୧ ରେ ୪୦ହଜାର ୯୫୬, ମେ’୧୦ରେ ୩୭ହଜାର ୨୩୬, ମେ’୯ରେ ୪୮ହଜାର ୪୦୧, ମେ’୮ରେ ୫୬ହଜାର ୫୭୮ ଓ ମେ’୭ରେ ୫୪ହଜାର ୦୨୨ ପଜିଟିଭ୍ ଚିହ୍ନଟ ହୋଇଥିଲେ।ବିହାରରେ ବଢ଼ିଲା ଲକ୍‌ଡାଉନ୍‌

ବିହାର ସରକାର ନୀତୀଶ କୁମାର ମଧ୍ୟ ଲକ୍‌ଡାଉନ୍ ଅବଧିକୁ ମେ’ ୨୫ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେଠାରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ କ୍ଷୀପ୍ର ଗତିରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପୂର୍ବରୁ ସେଠାରେ ୧୫ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା। ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ମନ୍ତ୍ରୀ ପରିଷଦଙ୍କ ସହ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବାପରେ ମୁଖ୍ୟମନ୍ତ୍ରୀ ନିଜ ଟୁଇଟ୍ ମାଧ୍ୟମରେ ଲକ୍‌ଡାଉନ୍ ବୃଦ୍ଧି ନେଇ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ର ସକରାତ୍ମକ ପ୍ରଭାବ ପଡ଼ୁଛି ବୋଲି ମଧ୍ୟ ସେ ଟୁଇଟରେ ପ୍ରକାଶ କରିଛନ୍ତି।

ଓଡ଼ିଶାରେ ବଢ଼ିବ କି ଲକ୍‌ଡାଉନ୍ ଅବଧି?

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଓଡ଼ିଶାରେ ଦୈନିକ ସଂକ୍ରମଣ ୧୦ହଜାରରୁ ଅଧିକ ରହିଥିବାବେଳେ, କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ରୁ ଅଧିକ ରହିଛି। ଦ୍ରୁତ ସଂକ୍ରମଣରେ ରୋକ୍ ଲଗାଇବାକୁ ରାଜ୍ୟ ସରକାର ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ବର୍ତ୍ତମାନ ସମୟରେ ରାଜ୍ୟରେ ଲକ୍‌ଡାଉନ୍ ଓ ସପ୍ତାହାନ୍ତ ସଟ୍‌ଡାଉନ୍ ବଳବତ୍ତର ରହିଛି । କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେଣୁ ଲକ୍‌ଡାଉନ୍ ଅବଧିକୁ ରାଜ୍ୟ ସରକାର ବଢ଼ାଇ ପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି।ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, “ଦୈନିକ ସଂକ୍ରମଣ ଯେଉଁ ବେଗରେ ଉପରମୁହାଁ ହେଉଥିଲା, ଏବେ ସେଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ରାଜ୍ୟରେ ଫ୍ଲାଟ ସ୍ଥିତିରେ ରହିଛି କରୋନା। ସମସ୍ତେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ଭାବରେ ପାଳନ କଲେ ସଂକ୍ରମଣ କମିବାର ସମ୍ଭାବନା ବେଶି। ସେହିପରି ଗାଁରେ ଏବେ ସଂକ୍ରମଣ ଉପରମୁହାଁ। କୋଭିଡ୍ ଗାଇଡଲାଇନକୁ ସେମାନେ ସଠିକ୍ ଭାବରେ ମାନୁ ନାହାଁନ୍ତି। ପ୍ରଶାସନର ବିନା ଅନୁମତିରେ ଛୋଟ ମୋଟ ମେଳା ମହୋତ୍ସବ କରୁଛନ୍ତି। ତେଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି।”

ସେ ଆଉ ମଧ୍ୟ କହିଛନ୍ତି, “ଯଦି ୧୯ତାରିଖ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ନଆସେ, ତେବେ ସରକାର ଲକ୍‌ଡାଉନ୍ ଅବଧିକୁ ବଢ଼ାଇବାକୁ ବାଧ୍ୟ ହେବେ।”

Comment