ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପଶ୍ଚିମବଙ୍ଗରେ ୩୪ ବର୍ଷର ବାମ ଗଡ଼କୁ ଭାଙ୍ଗି କେମିତି କ୍ଷମତାସୀନ ହେଲେ ମମତା ବାନାର୍ଜୀ।

ଭାରତର ପ୍ରତିଭାଶାଳୀ ମହିଳାଙ୍କ ଭିତରୁ ଜଣେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କୁ କେହି କେହି ପଶ୍ଚିମବଙ୍ଗର ବାଘୁଣୀ ବୋଲି କହନ୍ତି। କାରଣ ପଶ୍ଚିମବଙ୍ଗରେ ୩୪ ବର୍ଷ ଧରି ଶାସନରେ ଥିବା ବାମଦଳକୁ କ୍ଷମତା ହଟାଇବାରେ ଦିନେ ସଫଳ ହୋଇଥିଲେ ମମତା। ଏଥରେ ତାଙ୍କର ରାଜନୈତିକ ଗୋଟି ଚାଳନା ହିଁ କାମ ଦେଇଥିଲା। ତେବେ ପଶ୍ଚିମବଙ୍ଗରୁ ବାମଦଳକୁ ଶାସକ ଗାଦିରୁ ହଟାଇବାରେ ମୁଖ୍ୟ ଅସ୍ତ୍ର ସାଜିଥିଲା ସିଙ୍ଗୁର ଓ ନନ୍ଦିଗ୍ରାମ।

ପଶ୍ଚିମବଙ୍ଗରେ ବାମଦଳର ଗଡ଼ ଭାଙ୍ଗିବା ଓ ନିଜର ଦବଦବା ଜାହିର କରିବା ପାଇଁ ମମତାଙ୍କ ଲାଗି ଶିଢ଼ି ପାଲିଟିଥିଲା ନନ୍ଦିଗ୍ରାମ ଓ ସିଙ୍ଗୁର। ଯେଉଁ ଶିଢି ଚଢ଼ି ମମତା ମୁଖ୍ୟମନ୍ତ୍ରୀ ପଦଯାଏଁ ପହଞ୍ଚିପାରିଥିଲେ। କିନ୍ତୁ ଏହି ପଦ ଯାଏଁ ପହଞ୍ଚିବ ମମତାଙ୍କ ପାଇଁ ସହଜ ନଥିଲା। ରାଜରାସ୍ତାରୁ ନେଇ ବିଧାନସଭା ସବୁଠି ମମତାଙ୍କୁ ଲଢ଼ିବାକୁ ପଡ଼ିଥିଲା। କେତେବେଳେ ସେ ଆକ୍ରମଣର ଶିକାର ହୋଇଥିଲେ ତ କେତେବେଳେ ଅପମାନିତ ହୋଇଥିଲେ ମମତା। ତଥାପି ସେ ହାର ମାନିନଥିଲେ।

୧୯୭୫ରେ ପଶ୍ଚିମବଙ୍ଗରେ ମହିଳା କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ ରାଜନୀତିରେ ପ୍ରବେଶ କରିଥିବା ମମତା ବାନାର୍ଜୀ କଂଗ୍ରେସରୁ ଅଲଗା ହେବା ପରେ ୧୯୯୮ରେ ନିଜର ପାର୍ଟି ତୃଣମୂଳ କଂଗ୍ରେସ ଗଢ଼ିଥିଲେ। ପାର୍ଟି ଗଠନ ହେବା ପରେ ତାଙ୍କ ଅନେକ ଥର ନିର୍ବାଚନ ଲଢ଼ିଥିଲେ ବି ଖାସ ସଫଳତା ମିଳିନଥିଲା। ପାର୍ଟି ଗଠନ ହେବାର ପ୍ରାୟ ୧୩ ବର୍ଷ ପରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିଲା।

କ୍ଷମତାକୁ ଆସିବାରେ ମମତାଙ୍କୁ ମାଇଲେଜ ଦେଇଥିଲା ନନ୍ଦିଗ୍ରାମ ଓ ସିଙ୍ଗୁର। ଏହି ଦୁଇଟି ହେଉଛି ପଶ୍ଚିମବଙ୍ଗର ସବୁଠୁ ହାଇ ପ୍ରୋଫାଇଲ ଆସନ।

୨୦୦୭ରେ ପଶ୍ଚିମବଙ୍ଗରେ ବୁଦ୍ଧଦେବ ଭଟ୍ଟାଚର୍ଯ୍ୟ ସରକାର ‘ସ୍ପେଶାଲ ଇକୋନୋମିକ୍‌ ଜୋନ’ ନୀତି ଅନୁଯାୟୀ ସଲିମ୍ ଗ୍ରୁପ୍‌କୁ ନନ୍ଦିଗ୍ରାମରେ ଏକ ରାସାୟନିକ କେନ୍ଦ୍ର ସ୍ଥାପନ କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିଲେ। ସିଙ୍ଗୁର ଲୋକ ଏହାକୁ ଘୋର ବିରୋଧ କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ଓ ସାଧାରଣ ଜନତା ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ନନ୍ଦିଗ୍ରାମ ଲୋକଙ୍କୁ ମମତାଙ୍କ ସମର୍ଥନ ମିଳିଥିଲା। ମମତା ଲୋକଙ୍କ ସହ ମିଶି ଏହି ଯୋଜନାକୁ ବିରୋଧ କରିଥିଲେ।mamta

ଏହାପରେ ୨୦୦୮ରେ ଶାସନରେ ଥିବା ବାମଦଳ ଯେତେବେଳେ ପୁଣି ସିଙ୍ଗୁରରେ ଟାଟା ମୋର୍ଟସକୁ ନାନୋ ଫ୍ୟାକ୍ଟ୍ରି କରିବାକୁ ଅନୁମତି ଦେଇଥିଲା ତାକୁ ବିରୋଧ କରିଥିଲେ ମମତା। ଫ୍ୟାକ୍ଟ୍ରି ପାଇଁ ଯେଉଁ ଲୋକଙ୍କ ଜମି ଅଧିଗ୍ରହଣ ହୋଇଥିଲା ସେମାନଙ୍କୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଓ ବିରୋଧ ପ୍ରଦର୍ଶନ କରିଥିଲେ। ଫଳରେ ଟାଟା ମୋଟର୍ସକୁ ଜମି ଛାଡ଼ିବାକୁ ପଡ଼ିଥିଲା। ଟାଟା ମୋଟର୍ସ ଗୁଜରାତରେ ନିଜ ଫ୍ୟାକ୍ଟ୍ରି କରିଥିଲା।

ଏଭଳି ଦୁଇ ଦୁଇଟି ଘଟଣାରେ ଲୋକଙ୍କ ପାଖରେ ଯାଇ ମମତା ଛିଡ଼ା ହୋଇଥିଲେ। ‘ମା’ ମାଟି, ମାନୁଷ’ ନାରା ଦେଇ ସେ ଲୋକଙ୍କୁ ନିଜ ଆଡ଼କୁ ଟାଣିଥିଲେ। ସେମାନଙ୍କ ପାଇଁ ଲଢ଼ିଥିଲେ, ଯାହା ତାଙ୍କୁ ସଫଳତା ଦେଇଥିଲା। ଫଳସ୍ୱରୂପ ୨୦୧୧ ନିର୍ବାଚନରେ ତାଙ୍କ ଦଳକୁ ବହୁମତ ମିଳିଥିଲା ଓ ମମତା ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଥିଲେ। ସେବେଠାରୁ ଆଜି ଯାଏଁ ପଶ୍ଚିମବଙ୍ଗରେ ମମତାଙ୍କ ରାଜୁତି ଚାଲିଛି।

Comment