ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ବିଭିନ୍ନ ରାଜ୍ୟର ୩୦ଟି ବିଧାନସଭା ଆସନ ଓ ୩ ଲୋକସଭା ଆସନ ପାଇଁ ଚାଲିଛି ମତଦାନ। ଏସବୁ ଭିତରେ ସମସ୍ତଙ୍କ ନଜର ପଶ୍ଚିମବଙ୍ଗ ରାଜନୀତି ଉପରେ ରହିଛି। ଆଜି ସେଠାରେ ତିନୋଟି ଆସନ ପାଇଁ ଉପନିର୍ବାଚନ ହେଉଛି। ସେଥି ମଧ୍ୟରୁ ଫୋକସରେ ଭବାନୀପୁର ରହିଛି। କାରଣ ସେହି ଆସନରୁ ଲଢ଼ୁଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ବିପକ୍ଷରେ ରହିଛନ୍ତି ବିଜେପିର ନେତ୍ରୀ ପ୍ରିୟଙ୍କା ତିବ୍ରେୱାଲ। ସେହିପରି ସିପିଆଇଏମର ଶ୍ରୀଜୀବ ବିଶ୍ଵାସ ଏହି ଲଢେଇରେ ସାମିଲ ହୋଇଛନ୍ତି।

ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପରାଜୟ ପରେ ଭବାନୀପୁରରୁ ପୁଣିଥରେ ଲଢ଼ୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭବାନୀପୁର ବ୍ୟତୀତ ଜାଙ୍ଗିପୁର ଓ ସମସେରଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ହେଉଛି। ଏହି ତିନୋଟି ଯାକ ଆସନର ନିର୍ବାଚନ ଫଳାଫଳ ଅକ୍ଟୋବର ୩ତାରିଖ ପ୍ରକାଶ ପାଇବ।

ଆଜି ସକାଳ ୭ଟାରୁ ସମସ୍ତ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ସନ୍ଧ୍ୟା ୬ଟା ୩୦ମିନିଟ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି। ଭୋଟିଂ କେନ୍ଦ୍ରଗୁଡ଼ିକରେ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି। ଏଥିସହ ବ୍ୟାପକ ପୋଲିସ ଫୋର୍ସ ସହ, ଅନ୍ୟାନ୍ୟ ସ୍କ୍ବାର୍ଡ ସମେତ ବିଭିନ୍ନ ଟିମକୁ ମୁତୟନ କରାଯାଇଛି।

ସେହିପରି ଖାଲି ପଡ଼ିଥିବା ଲୋକସଭା ଆସନ ପାଇ ମତଦାନ ଚାଲିଛି।  ସେଥି ମଧ୍ୟରେ ଦାଦ୍ରା ଓ ନଗର ହାବେଳି, ମଧ୍ୟପ୍ରଦେଶର ଖଣ୍ଡୱା ଏବଂ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନ ରହିଛି। ସେହିପରି ଆନ୍ଧ୍ରପ୍ରଦେଶ, ହରିୟାଣା, ମିଜୋରାମ, ମହାରାଷ୍ଟ୍ର, ନାଗାଲାଣ୍ଡ ଏବଂ ତେଲେଙ୍ଗାନାର ଗୋଟିଏ ଲେଖାଏଁ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। କର୍ଣ୍ଣାଟକ, ବିହାର, ରାଜସ୍ଥାନର ଦୁଇଟି ଲେଖାଏଁ ଆସନ, ହିମାଚଳ ପ୍ରଦେଶ, ମେଘାଳୟ, ମଧ୍ୟପ୍ରଦେଶର ତିନୋଟି ଲେଖାଏଁ, ପଶ୍ଚିମବଙ୍ଗର  ତିନୋଟି ଏବଂ ଆସାମର ୫ଟି ଆସନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି।

Comment