ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବଦଳିବ ଭାରତୀୟ ପାସ୍‌ପୋର୍ଟର ଚେହେରା
  • ଇସିଆର୍‌ (ଏମିଗ୍ରେସନ୍‌ ଚେକ୍ ରିକ୍ୱାର୍ଡ) ଷ୍ଟାଟସ୍‌ କ୍ଷେତ୍ରରେ କମଳା ରଙ୍ଗର ପାସ୍‌ପୋର୍ଟ
  • ଛପା ହେବନାହିଁ ବାପା/ମାଆ/ସ୍ୱାମୀ/ସ୍ତ୍ରୀଙ୍କ ନାମ ଓ ପାସ୍‌ପୋର୍ଟଧାରୀଙ୍କ ଠିକଣା
  • ନୂତନ ପାସ୍‌ପୋର୍ଟ ପ୍ରଦାନ କିମ୍ବା ନବୀକରଣ ବେଳେ ଲାଗୁ ହେବ ଏହି ନିୟମ
  • ପ୍ରସ୍ତୁତ ହେଉଛି ନୂଆ ଡିଜାଇନର ପାସ୍‌ପୋର୍ଟ

ଭାରତୀୟ ନାଗରିକ ହିସାବରେ ଜଣକର ଏକ ପ୍ରମୁଖ ପରିଚୟପତ୍ର ହୋଇପାରେ ପାସ୍‌ପୋର୍ଟ। ଅନେକ ଲୋକ ପାସ୍‌ପୋର୍ଟକୁ ଆଡ୍ରେସ୍‌ ପ୍ରୁଫ୍ ପ୍ରମାଣପତ୍ର ହିସାବରେ ମଧ୍ୟ ବ୍ୟବହାର କରିଥାନ୍ତି। ତେବେ ଆଗକୁ ପାସ୍‌ପୋର୍ଟର ଚେହେରା ବଦଳିବାକୁ ଯାଉଛି। ନୂତନ ପାସ୍‌ପୋର୍ଟରେ ପାସ୍‌ପୋର୍ଟଧାରୀଙ୍କ ନାମ ଓ ଠିକଣା ରହିବ ନାହିଁ। ଫଳରେ ଏହା ଆଉ ଆଡ୍ରେସ୍‌ ପ୍ରୁଫ୍‌ ଭାବରେ ବ୍ୟବହାର ହୋଇପାରିବ ନାହିଁ।

ସାଧାରଣତଃ ଭାରତୀୟ ପାସ୍‌ପୋର୍ଟରର ଶେଷ ପୃଷ୍ଠାରେ ଜଣେ ବ୍ୟକ୍ତିଙ୍କର ନାମ ସହିତ ତାଙ୍କ ବାପା ବା ମାଆ କିମ୍ବା ସ୍ୱାମୀ/ସ୍ତ୍ରୀଙ୍କ ନାମ ଛପା ହୋଇଥାଏ। ସେହିପରି ଏହି ପୃଷ୍ଠାରେ ପାସ୍‌ପୋର୍ଟଧାରୀଙ୍କ ଠିକଣା ମଧ୍ୟ ରହିଥାଏ। ତେବେ ଆଗକୁ ଏହି ସୂଚନା ପାସପୋର୍ଟରେ ଛପା ଯିବ ନାହିଁ। ତେଣୁ ପାସ୍‌ପୋର୍ଟର ଯେଉଁ ପୃଷ୍ଠାରେ ଏବେ ଏହି ସୂଚନା ରହିଛି ତାହା ଖାଲି ରହିବ।

ତେବେ ଏହି ସୂଚନା ବୈଦେଶିକ ମନ୍ତ୍ରାଳୟର ରେକର୍ଡ ଏବଂ ସମସ୍ତ ଅନ୍‌ଲାଇନ୍‌ ସିଷ୍ଟମରେ ଉପଲବ୍ଧ ହେବ। ଫଳରେ ସରକାରୀ କାର୍ଯ୍ୟ ପରିଚାଳନା ବେଳେ ଏ ସମପର୍କରେ କୌଣସି ତଥ୍ୟଗତ ସମସ୍ୟା ଉପୁଜିବ ନାହିଁ।

କେବଳ ସେତିକି ନୁହେଁ, ଯେଉଁ ପାସ୍‌ପୋର୍ଟଧାରୀଙ୍କର ଇସିଆର୍‌ (ଏମିଗ୍ରେସନ୍‌ ଚେକ୍ ରିକ୍ୱାର୍ଡ) ଷ୍ଟାଟସ୍‌ ହୋଇଥିବ ସେହି ପାସ୍‌ପୋର୍ଟର ଜ୍ୟାକେଟ୍‌ କମଳା ରଙ୍ଗ ରହିବ। ତେବେ ଯେଉଁମାନଙ୍କର ଇସିଏନ୍‌ଆର୍‌ (ଏମିଗ୍ରେସନ୍‌ ଚେକ୍ ନଟ୍‌ ରିକ୍ୱାର୍ଡ) ଷ୍ଟାଟସ୍‌ ହୋଇଥିବ ସେମାନଙ୍କର ପାସ୍‌ପୋର୍ଟ ପୂର୍ବପରି ନୀଳ ରଙ୍ଗ ରହିବ ବୋଲି ବୈଦେଶିକ ମନ୍ତ୍ରଳାୟର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି।

ବୈଦେଶିକ ମନ୍ତ୍ରାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ମିଳିତ ଭାବେ ଗଠିତ ଏକ ୩ ଜଣିଆ କମିଟି ଭାରତୀୟ ନାଗରିକଙ୍କ ପାସ୍‌ପୋର୍ଟରୁ ପିତାଙ୍କ ନାମ ହଟାଇବା ପ୍ରସଙ୍ଗରେ ଅନୁଧ୍ୟାନ କରୁଥିଲେ। ସେହିପରି ପାସ୍‌ପୋର୍ଟ ଦିଆଯାଉଥିବା ସୂଚନା ହଟାଇବା ଫଳରେ ଏହା ଭାରତୀୟ ନାଗରିକଙ୍କ ଗୋପନୀୟତା ରକ୍ଷା କରିବା ସମ୍ଭବ ହେବ ବୋଲି ଏହି ଅନୁଧ୍ୟାନ ବେଳେ ଗୁରୁତ୍ୱ ଦିଆଯାଇଛି। ଏହି ପ୍ୟାନେଲର ରିପୋର୍ଟକୁ ବୈଦେଶିକ ମନ୍ତ୍ରାଳୟ ଗ୍ରହଣ କରିନେବା ଫଳରେ ଏବେ ପାସ୍‌ପୋର୍ଟର ଚେହେରା ବଦଳିବା ନେଇ ପଥ ପରିଷ୍କାର ହୋଇଯାଇଛି।

ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ କୂଟନୀତିଜ୍ଞ ସ୍ତରରେ ଥିବା ବ୍ୟକ୍ତିଙ୍କୁ ଲାଲ୍ ରଙ୍ଗର ପାସ୍‌ପୋର୍ଟ ପ୍ରଦାନ କରାଯାଉଛି। ସେହିପରି ସରକାରୀ  ଅଧିକାରୀମାନଙ୍କ ପାସ୍‌ପୋର୍ଟ ଜ୍ୟାକେଟ୍ ରଙ୍ଗ ଧଳା ରହିଥିବା ବେଳେ ଜଣେ ସାଧାରଣ ଭାରତୀୟ ନାଗରିକଙ୍କ ପାସ୍‌ପୋର୍ଟ ନୀଳ ରଙ୍ଗ ରହିଛି।

ଇସିଆର୍‌ (ଏମିଗ୍ରେସନ୍‌ ଚେକ୍ ରିକ୍ୱାର୍ଡ) ଷ୍ଟାଟସ୍‌ କ୍ଷେତ୍ରରେ କମଳା ରଙ୍ଗର ପାସ୍‌ପୋର୍ଟ ହେବା ଫଳରେ ସୁରକ୍ଷା ଯାଞ୍ଚ ବେଳେ ପ୍ରକ୍ରିୟା ସହଜ ହେବ ବୋଲି କୁହାଯାଉଛି।

ଭାରତୀୟ ପାସ୍‌ପୋର୍ଟ ନାସିକସ୍ଥିତ ଇଣ୍ଡିଆନ୍ ସିକ୍ୟୁରିଟି ପ୍ରେସରେ ଛପା ଯାଇଥାଏ। ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁଯାୟୀ ପ୍ରଥମ ପାସ୍‌ପୋର୍ଟ ପ୍ରଦାନ କିମ୍ବା ପାସ୍‌ପୋର୍ଟ ନବୀକରଣ ବେଳେ ଏହି ନୂତନ ଢାଞ୍ଚାରେ ପାସ୍‌ପୋର୍ଟ ପ୍ରଦାନ କରାଯିବ।

Comment