ଭାସ୍କର ପରିଚ୍ଛା

ବିଭୁଦତ୍ତ ନାୟକ ସାମ୍ପ୍ରତିକ ସମୟରେ ଓଡ଼ିଆ କବିତା କ୍ଷେତ୍ରରେ ଏକ ଜଣାଶୁଣା ନାଁ। ତାଙ୍କ କବିତ୍ୱର ଗୋଟିଏ ଲକ୍ଷ୍ୟଣୀୟ କଥା ହେଉଛି ସେ ନିରବଛିନ୍ନ ଭାବରେ କବିତା ରଚନା କରୁଛନ୍ତି। ବୃତ୍ତିରେ ସେ ଜଣେ ବ୍ୟାଙ୍କ ଅଫିସର କିନ୍ତୁ ପ୍ରବୃତ୍ତିରେ ଜଣେ ସ୍ୱପ୍ନବିଭୋର କବି।ତାଙ୍କ କବିତା ଗୁଡିକରେ ଅପରିଚିତ ଶବ୍ଦର ସମ୍ଭାର ହିଁ ପାଠକ ପାଇଁ ଚିନ୍ତା କରିବା ଓ ଅର୍ଥ ଖୋଜିବାର ଅବକାଶ ସୃଷ୍ଟି କରିଥାଏ।

‘ନିଃଶବ୍ଦର ଶବ୍ଦ’ ଡକ୍ଟର ବିଭୁଦତ୍ତ ନାୟକଙ୍କ ପ୍ରଥମ କବିତା ସଙ୍କଳନ।ସହଜରେ ପହଞ୍ଚା ଯାଇପାରୁଥିବା ଗଣ ମାଧ୍ୟମରେ ଯେହେତୁ ସେ କବିତା ଲେଖନ୍ତି ତାଙ୍କର ପରିଚୟ ସେହି ମାତ୍ରାରେ ଅସୀମିତ। ବିଭୁଦତ୍ତଙ୍କ କବିତାର ଅନ୍ତଃସ୍ୱର ସମ୍ପର୍କରେ ପ୍ରକାଶକ ଲେଖିଛନ୍ତି: ‘ଅନୁକ୍ତ ଶବ୍ଦଗୁଛ କଥା କହେ ତାଙ୍କ ଲେଖନୀ ସ୍ପର୍ଶରେ।ଶବ୍ଦର ସତେଜତା ଓ ସାବଲୀଳତାରେ ପ୍ରାଣବନ୍ତ ହୁଏ ତାଙ୍କର କବିତା।ଶବ୍ଦ ସହିତ ତାଙ୍କ ଅନ୍ତରଙ୍ଗତାରେ ବିଭୋର ସାଦା କାଗଜ କବିତାର ରଙ୍ଗରେ ଆତ୍ମହରା।’

ସଂଘମିତ୍ରା ମିଶ୍ରଙ୍କ ଉପକ୍ରମଣିକା ସହ ପଚାଶଟି କବିତାର ଏହି ସଂକଳନରେ ବିବିଧବର୍ଣ୍ଣ କବିତାର ଆଭାସ ମିଳେ।ପ୍ରେମ, ବିରହ, ଜୀବନବୋଧ ଓ ପ୍ରକୃତି ଆଦି ଅନେକ ପ୍ରକାର  ଥିମକୁ ନେଇ ସେ ଯେଉଁ କବିତା ଲେଖିଛନ୍ତି ସେଥିରେ ଭାବର ପରିପ୍ରକାଶ ଚମତ୍କାର।ଏହି ସବୁ କବିତାରେ ସମ୍ବେଦନଶୀଳତା ରହିଛି,ରହିଛି ମଧ୍ୟ ସ୍ନିଗ୍ଧ ଅନୁଭବ।ଉଦାହରଣ ସ୍ୱରୂପ, ‘ପ୍ରତୀକ୍ଷା’ ଶୀର୍ଷକ କବିତାରେ ସେ ଲେଖିଛନ୍ତି :
କୁମାରୀ ବସିଛି ଚାହିଁ / ଆସିବ ରାଜକୁମାର;ସଂଜବତୀ ସହ ବଧୂ ଚାହିଁଥାଏ କାନ୍ତ ଫେରନ୍ତା ପଥ;ପ୍ରେୟସୀ ଚକ୍ଷୁ ଅଶ୍ରୁ କି ଶୁଖେ/ପ୍ରତ୍ୟୟ ଆଜି ପ୍ରତାରକ;ତୁଠ ପଥର ଅହଲ୍ୟା ହୋଇବ/କୃଷ୍ଣା ଖୋଜେ ପାରିଜାତ।

ଅନ୍ୟ ଏକ କବିତା ‘ଫୁଲର କି ଯାଏ’ ରେ ବେପରୁଆ ମନୋଭାବକୁ ଯେଉଁଭଳି ସେ ଶବ୍ଦରେ ସଜାଇଛନ୍ତି ତାହା ଏହିପରି:
ଫୁଲର କି ଯାଏ?
କେଉଁ ବାଟବଣା ପ୍ରଜାପତି
ତା’ ମଧୁଗନ୍ଧରେ ବାତୁଳ ହେଲେ,
ତା’ କଣ୍ଟାରେ ଚଗଲା ଭ୍ରମରର ଡେଣା କଟିଗଲେ,
ତାକୁ ଭଲ ପାଇବାର ବିଭୋରପଣରେ ମହୁମାଛିଟା ନିଃସ୍ୱ ହେଇଗଲେ,
ସେ ତ ବେପରୁଆ…
ନିଜ ଖିଆଲରେ ମୁରୁକି ମୁରୁକି ହସୁଥାଏ।
ବିଭୁଦତ୍ତଙ୍କ କବିତାରେ ଗୋଟିଏ ବଡ଼ ଉପଲବ୍ଧି ହେଉଛି  ସରଳ ସୁନ୍ଦର ଶବ୍ଦ ସଂଯୋଜନା ଓ ଭାବପୂର୍ଣ୍ଣ ଭାଷାର  ବ୍ୟବହାର।ଶୀର୍ଷକ କବିତା ‘ନିଃଶବ୍ଦର ଶବ୍ଦ’ରେ ସେ କହିଛନ୍ତି :
ଶୁଣିଛ କି ତୁମେ କେବେ ନିଃଶବ୍ଦର ଶବ୍ଦ?
ବୁଝିବାକୁ ତାକୁ  କିଞ୍ଚିତ ଚେଷ୍ଟା କି କର?
ଜହ୍ନ ଛାଇରେ ଭାସିଆସେ  ଯେଉଁ କଁ କଁ ଶବ୍ଦ,
ସେ କେଉଁ ଭେକର ଅବା  ଭୋକରେ ଆଉଟୁ ପାଉଟୁ
କେଉଁ ଅଜଣା ପେଟର?

‘ନିଃଶବ୍ଦର ଶବ୍ଦ’ କବି ବିଭୁଦତ୍ତ ନାୟକଙ୍କ ପ୍ରଥମ ସଂକଳନ ହେଲେ ହେଁ ଏହାର କ୍ୟାନଭଭାସଟି ଖୁବ୍ ବଡ଼। ଏକ ରୁଚିପୂର୍ଣ୍ଣ ,ପରିବ୍ୟାପ୍ତ ଏବଂ ସମ୍ଭାବନାମୟ କବିତା ଗୁଚ୍ଛ ଭାବରେ ଏହା ପାଠକଙ୍କ ମନକୁ ଆକର୍ଷଣ କରିବ ଏଥିରେ ଦ୍ବିମତ ନାହିଁ।

ନିଃଶବ୍ଦର ଶବ୍ଦ
ଡ଼ ବିଭୁଦତ୍ତ ନାୟକ

ସୁଧନ୍ୟା ପ୍ରକାଶନୀ
ପାଣ୍ଡବ ନଗର,ଲେନ- 5
ଟଙ୍କପାଣି ରୋଡ଼
ଭୁବନେଶ୍ୱର – 751018
ମୂଲ୍ୟ 125 ଟଙ୍କା
2019

Comment