ଭାସ୍କର ପରିଚ୍ଛା

ଆପଣଙ୍କ ପ୍ରିୟ କବି କିଏ  ଓ କବିତାଟି କଣ ଏହିଭଳି ଏକ ପ୍ରଶ୍ନ ପଚାରିବା ଯେତିକି ସହଜ ତାର ଉତ୍ତର ପାଇବା ସେତିକି କଷ୍ଟ।ତେବେ ପ୍ରତ୍ୟେକଙ୍କର କିଛି କିଛି ପ୍ରିୟ କବିତା ଥାଏ –  ତାହାକୁ ସେ  ସ୍କୁଲରେ ପଢ଼ିଥାନ୍ତୁ କି କଲେଜରେ କିମ୍ବା ଜୀବନର ପ୍ରୌଢ଼ ଅବସ୍ଥାରେ।ଆଉ ଯଦି ଆପଣ  କେବଳ ଜଣେ ପାଠକ ନହୋଇ   କବି ହୋଇଥାନ୍ତି ଆପଣଙ୍କର କବିତା ପ୍ରବେଶ ଆହୁରି ବ୍ୟାପକ ହେବା ସ୍ବାଭାବିକ।

#କମଳାକାନ୍ତ ମହାପାତ୍ରଙ୍କ ‘ଅକ୍ଷାଂଶ ଦ୍ରାଘିମା’ ଓଡ଼ିଆ କବିତା କ୍ଷେତ୍ରରେ ଏକ ଅଭିନବ ଉଦ୍ୟମ।ଏହାର ଦୁଇଟି କାରଣ ରହିଛି।ପ୍ରଥମ କାରଣ,ଏଥିରେ ରହିଛି କବି ,ଗାଳ୍ପିକ ଓ ପ୍ରାବନ୍ଧିକ  କମଳାକାନ୍ତଙ୍କ ଅର୍ଦ୍ଧ ଶତଟି  ଭଲ ଲାଗିଥିବା  ଅଣଓଡ଼ିଆ କବିତା।ଦ୍ବିତୀୟତଃ,କବିତା ଗୁଡ଼ିକୁ ସେ ନିଜେ ଚୟନ କରିଛନ୍ତି ଓ ଅନୁବାଦ ମଧ୍ୟ କରିଛନ୍ତି।ସୁତରାଂ,ଏହା ଏକ ଦ୍ଵିଭାଷୀ କବିତା ସଙ୍କଳନ ।ଏଥିରେ  ମୂଳ ଇଂରେଜୀ କବିତା ସହ ତାର ଓଡ଼ିଆ ଅନୁବାଦ ବି ପାଖେ ପାଖେ ରହିଛି।ଅନୁବାଦ ସାହିତ୍ୟ କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ଏକ ନୂଆ କଥା, ଯଦିଓ ବିଭିନ୍ନ ଓଡ଼ିଆ  ପତ୍ର ପତ୍ରିକାରେ ବିଦେଶୀ  କବିଙ୍କ କବିତାର ଅନୁବାଦ ନିୟମିତ ଭାବରେ  ଆମେ ପଢ଼ିଆସିଥାଇଁ।କମଳାକାନ୍ତଙ୍କର ଏହିଭଳି ପ୍ରୟାସ ଯଦି ଅଧିକରୁ ଅଧିକ  ହୁଏ ତାହା ନିଃସନ୍ଦେହରେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବ।’ଅକ୍ଷାଂଶ ଦ୍ରାଘିମା’ ଅନ୍ତତଃ ସେହି ରାସ୍ତାଟି ଦେଖାଇଛି।

ଜୁୟାମ ଆପୋଲିନାୟରଙ୍କ ଠାରୁ ଆରମ୍ଭ କରି ଅବବିନ୍ଦ କ୍ରିଷ୍ଣ ମେହରୋତ୍ରାଙ୍କ ଦେଇ ଡନ୍ ପେଟରସନଙ୍କ ପର୍ଯ୍ୟନ୍ତ ୫୦ ଜଣ ପ୍ରଖ୍ୟାତ କବିଙ୍କ ରଚନାରୁ ଗୋଟିଏ ଗୋଟିଏ ଆଣି ଓଡ଼ିଆ ପାଠକଙ୍କ ଆଗରେ ଥୋଇବା ନିର୍ବିବାଦରେ ଏକ କଷ୍ଟକର କାର୍ଯ୍ୟ।ସଂକଳନର ମୁଖବନ୍ଧରେ କମଳାକାନ୍ତ ଲେଖିଛନ୍ତି,’ଦୀର୍ଘ ୪୫ ବର୍ଷ ବ୍ୟାପୀ ଅଣଓଡ଼ିଆ କବିତା ପଠନ କାଳରେ ହିସାବ ରଖି ନ ଥିବା ଅଜସ୍ର ଚମତ୍କାର କବିତା ମଧ୍ୟରୁ ମାତ୍ର ପଚାଶଟି ବାଛିବା ମୋ ପକ୍ଷରେ ଆଦୌ ସହଜ ହୋଇନାହିଁ।ପାଞ୍ଚ ଶହ ପ୍ରିୟ କବିତା ତାଲିକା ଯେତିକି ସହଜ ପଚାଶଟି ପ୍ରିୟ କବିତା ତାଲିକା ସେତିକି ବା ତାଠୁ କଷ୍ଟ।ତାଲିକା ପ୍ରସ୍ତୁତ ସବୁବେଳେ ପୀଡ଼ାଦାୟକ, ଅତୃପ୍ତିକର – ଶେଷରେ ମଣିଷ କୋଉ କବିତା ରଖିବ,କୋଉ କବିତା ବିଦା କରିବ!’

ବାସ୍ତବରେ ଏହା ସମସ୍ତଙ୍କ ପାଇଁ ଏକ କଠିନ କାମ ।କାରଣ? ଦୁଇ ଜଣ ପାଠକଙ୍କର ରୁଚିବୋଧ ଓ ଅନ୍ତର୍ଦୃଷ୍ଟି ସମାନ ନୁହେଁ।ସାଢ଼େ ତିନି ପୃଷ୍ଠାର ବରଂ ହେଉ ମୁଖବନ୍ଧରେ କମଳାକାନ୍ତ  କବିତାକୁ ନେଇ ବହୁ ରୋଚକ କଥା ମଧ୍ୟ ଲେଖିଛନ୍ତି ଯେମିତିକି ତାଙ୍କ ଦ୍ୱାରା ‘ପଢ଼ାଯାଇଥିବା ଅଣଓଡ଼ିଆ କବିତାର ସଂଖ୍ୟା ବାର ହଜାରରୁ ବେଶୀ ହେବ କିନ୍ତୁ କମ ନୁହେଁ’,ଯେମିତିକି ‘ପାଞ୍ଚ ଲୋକଙ୍କ ଆଗରେ କବିତାଟିକୁ ବଡ଼ ପାଟିରେ ନବୋଲିଲେ ,ନପଢ଼ିଲେ, ଆଲୋଚନା ନକଲେ ସେ ଭଲ କବିତାର ମର୍ଯ୍ୟାଦା ପାଇବ କେଉଁଠି ..’ ଇତ୍ୟାଦି।

ସଂକଳର ଅନ୍ୟ ଏକ ବିଶେଷତ୍ୱ ହେଉଛି ଯେ ଶ୍ରୀ ମହାପାତ୍ର ପ୍ରତ୍ୟେକ ଅନୁଦିତ କବିତାର ପାଦ ଦେଶରେ କବି ଓ କବିତା ସମ୍ପର୍କରେ ବିସ୍ତୃତ ଟିପ୍ପଣୀ ଦେଇଛନ୍ତି।କବିତାର ପୃଷ୍ଠଭୂମି ଓ ମୂଳ କବିଙ୍କ ଦର୍ଶନ,କବିତାର ସମୟ ଓ ସ୍ଥିତିକୁ ଏହି ପାଦଟୀକା ଅଧିକ ଶାଣିତ କରି ଥୋଇଛି ।ଯେଉଁମାନେ ଏହି କବିତା ସବୁ ପଢ଼ିବେ  ସେମାଙ୍କର ହୃଦବୋଧ ହେବ କାହିଁକି ନିର୍ଦ୍ଦିଷ୍ଟ କବିତାଟିକୁ ସେ ବାଛିଛନ୍ତି ଓ ଆରଟିକୁ ବାଛି ନାହାନ୍ତି।

ଯେଉଁ ସବୁ ବିଶିଷ୍ଟ ଇଂରେଜୀ କବିଙ୍କ କବିତାକୁ ଏଥିରେ ଅନୁବାଦ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି  ସମସ୍ତଙ୍କ ପ୍ରିୟ ରବର୍ଟ ଫ୍ରଷ୍ଟ, ପାବଲୋ ନେରୁଦା,ଜର୍ଜ ଲୁଇସ ବୋର୍ଜେସ, ଡବ୍ଲୁବି ୟେଟସ,ଡେରେକ ୱାଲକୋଟ, ଚାରଲସ ବଦଲେୟର,ପିବି ଶେଲି,ଏଜରା ପାଉଣ୍ଡ,ଓମର ଖୟାମ,ଫୈଜ ଅହ୍ମଦ ଫୈଜ ଓ ବିକ୍ରମ ସେଠ ପ୍ରମୁଖ।ସଂକଳନର ଅନେକ କବିତା ‘ନବଲିପି’ରେ ପୂର୍ବରୁ ପ୍ରକାଶ ପାଇଥିଲେ ହେଁ ତାହାର ପୁନଃପ୍ରକାଶ ନିଶ୍ଚିତ ଭାବରେ ଆନନ୍ଦର କଥା।

ଏହି ସଂକଳନରେ ସ୍ଥାନିତ କରାଯାଇଥିବା କବିତା ଗୁଡ଼ିକ ନାତିଦୀର୍ଘ। ଅନୁବାଦର ଶୈଳୀ ଏବଂ ଭାବର ପରିପ୍ରକାଶ ଚମତ୍କାର।ଦୃଷ୍ଟାନ୍ତ ସ୍ୱରୂପ,ଶେଲିଙ୍କ ବହୁ ପଠିତ କବିତା ‘ଓଜିମାଣ୍ଡାଏସ’ର ଶେଷ କେତୋଟି ଶବ୍ଦ କିଛି ଏହିଭଳି:
‘ଛତ୍ରପତି ସମ୍ରାଟ ଆମ୍ଭେ,ନାମ ଓଜିମାଣ୍ଡାଏସ/ଦେଖ ମୋର କୀର୍ତ୍ତି,ହେ ପରାକ୍ରମୀ ମାନେ, ଏବଂ ହୁଅ ଆତଙ୍କରେ ଗ୍ରସ୍ତ!/ନାହିଁ ଆଉ କିଛି।ନାହିଁ କିଛି ବିଶାଳ ସେ ଭଗ୍ନାବଶେଷ ଚଉପାଶେ/ସୁଦୁ ବାଲି – ନିଶ୍ଚଳ ତରଂଗହୀନ, ନିକାଂଚନ, ସୁଦୁରପ୍ର ସାରୀ।’

କିମ୍ବା ଆଲେନ ଗିନ୍ସବର୍ଗଙ୍କ କବିତା ‘ସବୁକିଛି କ୍ଷଣସ୍ଥାୟୀ’:
‘ଯିବାକୁ ହେବ ଛାଡ଼ି ସବୁ କିଛି –
ପୋଥି ପୁସ୍ତକ,ପତ୍ର,ବ୍ୟାଙ୍କ ଚେକ ବହି, ଚିଠିପତ୍ର,
ଆଲମାରୀ, ଘରଦ୍ୱାର,
ତକିଆ ,ବିଛଣା,ଏକାଧିକ ଦେହ,
ଓ ତାକୁ ଢାଙ୍କିଥିବା ଚର୍ମର ବଳୟ,
ଏପରିକି ମୋ ଦାନ୍ତବିନ୍ଧା କଷ୍ଟ।’

କମଳାକାନ୍ତଙ୍କ ମତରେ ‘କୌଣସି ଅନୁବାଦ କେବେ ସମ୍ପୂର୍ଣ୍ଣ ନୁହେଁ।ପ୍ରତି ଅନୁବାଦ ପରିବର୍ତ୍ତନ ପ୍ରବଣ।ଜହ୍ନ ଆଡ଼କୁ ହାତ ବଢ଼େଇବା ଓ ଜହ୍ନକୁ ଛୁଇଁଦେବା ଏକା କଥା ନୁହେଁ – କିନ୍ତୁ ସେ ଦୁହିଁଙ୍କ ଭିତରେ ବ୍ୟବଧାନ ଯେ ମାତ୍ର ଅଙ୍ଗୁଳେ!’ବାସ୍ତବ କଥା।

ବିଶ୍ୱ ତମାମ  କବିତା ପ୍ରତି ଯେଉଁ ସାଧାରଣ ଅନାଦର ଓ କବିତାର ପାଠକ ତୁଳନାରେ ରଚୟିତାଙ୍କ ସଂଖ୍ୟା  ଯେଉଁଭଳି ପ୍ରତୁଳ,ସେହି  ସାଂସ୍କୃତିକ ଦ୍ବନ୍ଦ୍ୱ ଓ ଅଭାବନୀୟ ସ୍ଥିତିରେ କବିତା ପାଇଁ ପାଠକକୁ ବାନ୍ଧି ରଖିବା ହେଉଛି ସବୁଠାରୁ ବଡ଼ କାମ।ଆଲୋଚ୍ୟ ସଂକଳନଟି ଏହି ଦୃଷ୍ଟିରୁ ସମୟୋପଯୋଗୀ ଯେ କମଳାକାନ୍ତ ବଛାବଛା  ବିଶ୍ୱ କବିତାକୁ ପୁସ୍ତକ ଆକାରରେ ଓଡ଼ିଆ ପାଠକ ମାନଙ୍କ ପାଇଁ ଆଣିଛନ୍ତି।ବିଶ୍ୱ କବିତାରେ ରୁଚି ରଖୁଥିବା ପ୍ରତ୍ୟେକଟି ଓଡ଼ିଆ ପାଠକ ପାଇଁ ଏହା ଅବଶ୍ୟ ସଂଗ୍ରହଣୀୟ ।

ଅକ୍ଷାଂଶ ଦ୍ରାଘିମା
କମଳାକାନ୍ତ ମହାପାତ୍ର

ଧଉଳି ବୁକ୍ସ
୮୧୮/୨୫୦୨, ଗୋବିନ୍ଦେଶ୍ୱର ରୋଡ
ଓଲଡଟାଉନ, ଭୁବନେଶ୍ୱର ୭୫୧୦୦୨
୧୯୫ ଟଙ୍କା

Comment