ଭାସ୍କର ପରିଚ୍ଛା

ଓଡ଼ିଆ କବିତା କ୍ଷେତ୍ରରେ ସୌଭାଗ୍ୟବନ୍ତ ମହାରଣା ଏକ ଅତି ପରିଚିତ ନାମ ଓ ଏକ ଆଚମ୍ବିତ ବ୍ୟକ୍ତିତ୍ୱ। ପ୍ରାୟ ଚାଳିଶି ବର୍ଷ ଶତାବ୍ଦୀ ଧରି ସେ କବିତା ଲେଖି ଆସିଛନ୍ତି। କେବଳ କବିତା ନୁହେଁ ସେ ପ୍ରବନ୍ଧ ମଧ୍ୟ ଲେଖିଛନ୍ତି। ତେବେ ତାଙ୍କ ପରିଚୟ ବିଶେଷ ଭାବେ କବିତା ପାଇଁ। ସେ ଲେଖିଛନ୍ତି ବିଭିନ୍ନ ପ୍ରକାରର କବିତା, ବିଭିନ୍ନ ଭାବର କବିତା, ବିଭିନ୍ନ ଥିମକୁ ନେଇ କବିତା।

ଷୋହଳଟି କବିତା /ପ୍ରବନ୍ଧ ସଙ୍କଳନର ପରିସୀମା ଭିତରେ ତାଙ୍କର କବିତା ଓ ପ୍ରାବନ୍ଧିକ  ଜୀବନ।ସୌଭାଗ୍ୟବନ୍ତଙ୍କ ବହୁ ଚର୍ଚ୍ଚିତ କବିତା ସଙ୍କଳନ ‘ମାଟିପର୍ବ’ ପାଇଁ ସେ ୨୦୧୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ ଜଣେ ବହୁଳ ଅନୁଦିତ କବି ମଧ୍ୟ। ଇଂରାଜୀ, ଗୁଜରାଟୀ, ହିନ୍ଦୀ, ବଙ୍ଗଳା ଅହମିୟା ଓ ତାମିଲ ଭାଷାରେ ତାଙ୍କ କବିତା ଅନୁବାଦ ହୋଇଛି। ଏହିଭଳି  ନିରବଛିନ୍ନ କବିତା ଲେଖିବା ଭିତରେ ତାଙ୍କ କବିତାକୁ ନେଇ ଜଣେ ଅଧେ ଗବେଷକ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ପିଏଚଡ଼ି ମଧ୍ୟ ପାଇଛନ୍ତି।

‘ପ୍ରତିଈଶ୍ୱର’ ତାଙ୍କର ସଦ୍ୟତମ କବିତା ସଙ୍କଳନ।64ଟି କବିତାକୁ ନେଇ ପ୍ରକାଶିତ ଏହି ସଂକଳନର ମୁଖବନ୍ଧରେ ସୌଭାଗ୍ୟବନ୍ତ ଲେଖିଛନ୍ତି: ‘ମୋ ପାଇଁ କବିତା ହେଉଛି ସୃଜନକଳାର ସତ୍ୟପାଠରେ ନିଜ ଅଙ୍ଗୀକାରବୋଧ ଓ ମାନବବାଦର ଉଦଘୋଷଣା ପୂର୍ବକ ଜୀବନର ବାସ୍ତବତାକୁ ଆଲିଙ୍ଗିନେବା।… ମୋ କାବ୍ୟିକ ଜୀବନର ମଞ୍ଜ କଥାରେ ଉଙ୍କିମାରେ ମାଟି ମନସ୍କତାର ବିଭୋରପଣ, ପକ୍ଷୀ ପରି ଆକାଶର ନୀଳିମ ସତ୍ତାରେ ନିଜକୁ ହଜେଇଦେବାର ମୋହ, ଦରଦୀ ମଣିଷର ଲୁହ ଭିତରେ ନିଜ ଅସହାୟତାକୁ ଖୋଜିବାର ଅଙ୍ଗୀକାର ତଥା ସାମାଜିକ ପର୍ବ ଭିତରେ ନିଜ ବ୍ୟକ୍ତିତ୍ୱକୁ ମିଳେଇ ଦେବାର ଅନାବିଳ ଆଗ୍ରହ।’

ବୋଧଗମ୍ୟତା ଯଦି ସାଧାରଣ ପାଠକ ପାଇଁ କବିତାର ମୂଳ ମନ୍ତ୍ର ହୁଏ, ସୌଭାଗ୍ୟବନ୍ତ ଏଥିରେ ମାହିର।ଏକ ତୀକ୍ଷ୍ଣ ଭାବସତ୍ତାକୁ ସହଜ ଶବ୍ଦରେ ପରିବେଷଣ କରିବାର ଆବଶ୍ୟକତାକୁ ସେ ବେଶ୍ ଅନୁଭବ କରିଥାନ୍ତି। ଦୃଷ୍ଟାନ୍ତ ସ୍ୱରୂପ ‘ମନ୍ଥନ’ କବିତାରେ ସେ କହିଛନ୍ତି:

‘ଆଦିମ ପ୍ରେମର ଅନ୍ତରାଳରେ
ଅସରନ୍ତି ଆଲିଙ୍ଗନର ପାର୍ବଣ ଭିତରେ
ହାଡ଼ର ମଜ୍ଜାକୁ ଚମକାଇ ଦିଏ ନିଆଁର ଶୃଙ୍ଗାର।
ସେ ନାରୀ ହେଉ କି ଦାରୀ
ନାଗରୀ ହେଉ କି ରାଜେଶ୍ୱରୀ
ପ୍ରେମର ମନ୍ଥନ ବ୍ୟାପିଯାଏ ଭୂଲୋକ ଦ୍ୟୁଲୋକ
ପଦ୍ମରାଗରୁ ପଦ୍ମକୋରକ ଯାଏଁ
ଦେହରୁ ଦେହାନ୍ତର ଯାଏଁ
ନଷ୍ଟ ଉର୍ବଶୀର ଆହତ ଅଭିମାନ ପରି
ସ୍ୱର୍ଗ ଓ ମର୍ତ୍ତ୍ୟ ମଧ୍ୟରେ କିଛି ତଫାତ ନଥାଏ।’

ଏହି ସଂକଳନର ପ୍ରତିଟି କବିତାରେ କିଛି ଗୂଢ଼ ରହସ୍ୟ ରହିଛି,ରହିଛି ମଧ୍ୟ  ଦୈନନ୍ଦିନ  ଜୀବନର  ପୁନଃପୌନିକ ଘଟଣା ଓ  ଚରିତ୍ରର ଆକର୍ଷଣ। ସଂକଳନର ପ୍ରଥମ କବିତା ‘ପ୍ରତି ଈଶ୍ୱର’ (ଯାହା ସଂକଳନର ଶୀର୍ଷକ ମଧ୍ୟ) ସେଥିରେ ସେ ନିରାଟ ସତ କଥା ଟିଏ ପଚାରିଛନ୍ତି:

‘ନଷ୍ଟଭୂମିରେ ନିଜକୁ ଈଶ୍ୱର ବୋଲି ମାନିବା ହିଁ ଗୋଟେ ଉତ୍କୃଷ୍ଟ ପାପର ନିଆରା ଦୃଷ୍ଟାନ୍ତ’।
ଅଥବା:
‘ପ୍ରକୃତି ଭିତରେ ବି ରହିଥାଏ ବିକୃତିର ବିନ୍ୟାସ
ଆଧିଭୌତିକ ଜଟିଳତାର ଅବିଶ୍ୱସ୍ତ ହସରେ
ଛଟପଟ ହେଉଥାଏ ବ୍ୟଥିତ ମଣିଷ।’

‘ସ୍ମୃତିର ଫସଲ :ଭୁବନେଶ୍ୱର’ କବିତାରେ ସୌଭାଗ୍ୟବନ୍ତଙ୍କ କଟାକ୍ଷ ଦାରୁଣ:
‘ଦେଖ ,କଂକ୍ରିଟ ଜଙ୍ଗଲର କୋଠା ଭିତରେ
ଲୁଚି ଲୁଚି ହସୁଥିବା ପ୍ରଶାସନର ପରମାତ୍ମାମାନେ
ଖେଳ ଓ ମେଳରେ କେମିତି ଧୂର୍ତ୍ତ
ମଧ୍ୟାହ୍ନକୁ ଅନ୍ଧକାର କରି କ୍ଷମତାର କନ୍ଦଳରେ।’
‘ଶିଶୁ ଏକ ନିରୀହ ଈଶ୍ୱର,ନଷ୍ଟଭୂମିର ନକ୍ସା,ଅଫୁଟା ଫୁଲର ବାସ୍ନା,ଅସ୍ମିତାର ଅନ୍ତରାଳେ,ଅଚିହ୍ନା ଶବ୍ଦର ଫୁଲ,କଡ଼ ଲେଉଟିବାର ବେଳ,ପ୍ରବାସୀ ମେଘ,ସ୍ବଦେଶୀ ବର୍ଷା, ବସନ୍ତ:ସ୍ୱର ଓ ସାକ୍ଷର,ରାବଣ:ଚାରିତ୍ରିକ ବିସ୍ଫୋରଣ,ଦ୍ରୌପଦୀ,ବାପା,ପ୍ରିୟ ବାପୁଙ୍କ ସ୍ମରଣେ ଓ ମୋହିନୀ’ ଏସବୁ ଗୋଟିଏ ଗୋଟିଏ ସଫଳ ସୃଷ୍ଟି।

ନିଜକୁ ଖୋଜିବା ବେଳେ କବିତାରେ…(ମୁଖବନ୍ଧ)ରେ କବି ମହାରଣା ଲେଖିଛନ୍ତି :ମନର କିଛି ଘାତ ପ୍ରତିଘାତ ଭିତରେ  ମୋ ଭିତରେ ଏକ କୋମଳ ବିଦ୍ରୋହର ସୂତ୍ରପାତ ହୁଏ ଯାହାକୁ ମୁଁ ସହଜରେ ଦମନ କରିପାରେ ନାହିଁ। ଏହି ବିଦ୍ରୋହ ଯେତିକି ସୃଜନଧର୍ମୀ,ସେତିକି ଚେତନାଶ୍ରୟୀ।

ଆଲୋଚ୍ୟ କବିତା ସଙ୍କଳନର ସୀମା ଓ ସରହଦ ସୁଦୂରପ୍ରସାରୀ।କେତେବେଳେ କବି ପ୍ରେମିକ ସାଜିଛନ୍ତି ତ ଆଉ କେତେବେଳେ ଦାର୍ଶନିକ ଓ ଅନ୍ୟ କେଉଁ ସମୟରେ ଜଣେ ବିଦ୍ରୋହୀ ଅଥବା ବିଶ୍ଵପ୍ରେମୀ।

ସଂକଳନରେ ସ୍ଥାନିତ ପ୍ରତିଟି କବିତାର ଅଙ୍ଗ ଓ ଆତ୍ମା ପରସ୍ପର ଭିତରେ ଛନ୍ଦି ହୋଇ ରହିଛନ୍ତି। ଗୋଟିଏରୁ ଅନ୍ୟଟିକୁ ଅଲଗା କରି ପଢ଼ିଲେ ଆପଣ ଏହି ସବୁ କବିତାର ଜଣେ ରସଗ୍ରାହୀ ପାଠକ  ହୋଇପାରିବେ ନାହିଁ। ଶବ୍ଦର ଚୟନ ,ପରିବେଷଣ ଓ ସମସାମୟିକତା ଅତ୍ୟନ୍ତ ସୁନ୍ଦର।ଭାବପ୍ରକାଶରେ ଯେଉଁ ସାବଲୀଳତା ଓ କ୍ଷମତା ରହିଛି ତାହା ଅନନ୍ୟ।

ପ୍ରତିଈଶ୍ୱର
କବି:ସୌଭାଗ୍ୟବନ୍ତ ମହାରଣା
ପ୍ରଚ୍ଛଦ:ଶଶିକାନ୍ତ ରାଉତ

ପ୍ରକାଶକ:କିତାବ ଭବନ
ଏନ-୦୬/୪୨୮, ଆଇଆରସି ଭିଲେଜ
ଭୁବନେଶ୍ୱର -୧୫
ମୂଲ୍ୟ ୧୮୦ ଟଙ୍କା
୨୦୧୯

Comment