ଭାସ୍କର ପରିଛା

ବେଦାନ୍ତପ୍ରେମୀ, ବିଶିଷ୍ଟ ପ୍ରଜ୍ଞାବାନ, ଶୁଭଚିନ୍ତକ ତଥା ଭୁବନେଶ୍ୱର ଆର୍ଯ୍ୟ ସମାଜର ବରିଷ୍ଠ ସଦସ୍ୟ ଅନିରୁଦ୍ଧ ପଟ୍ଟନାୟକଙ୍କ ବୃହଦାରଣ୍ୟକ ଉପନିଷଦ ଭଳି ଗୂଢ଼, ରହସ୍ୟପୂର୍ଣ୍ଣ ଓ ବୃହଦାକାର ଶାସ୍ତ୍ରର ଓଡ଼ିଆ ଭାଷାନ୍ତର ଏକ ଚମତ୍କାର ଉପଲବ୍ଧି। ଅତ୍ୟନ୍ତ ସହଜ ଓ ସାବଲୀଳ ତଥା ହୃଦୟସ୍ପର୍ଶୀ ଭାଷାରେ ସେ ଏହାର ଅନୁବାଦ କରିଛନ୍ତି।

ଜୀବନର ସାୟାହ୍ନରେ ଏତାଦୃଶ ପ୍ରୟାସ ପାଇଁ ଶ୍ରୀ ପଟ୍ଟନାୟକ ଧନ୍ୟବାଦାର୍ହ। ମହତ କାର୍ଯ୍ୟ ପାଇଁ ତାଙ୍କର ନିଷ୍ଠା, ଅଧ୍ୟବସାୟ ଓ ସହନଶୀଳତା ଏହି ପୁସ୍ତକ ଅନୁବାଦରୁ ସହଜରେ ଅନୁମେୟ। ଅତ୍ୟନ୍ତ ଆନନ୍ଦର ବିଷୟ ଯେ ସେ ଏହିଭଳି ଏକ ତାତ୍ପର୍ଯ୍ୟପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେବା ସହ ବୃହଦାରଣ୍ୟକ ଭଳି ଉପନିଷଦକୁ ଓଡ଼ିଶାର ପାଠକମାନଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅନ୍ତର୍ଗତ ବାହାଲୁଣ୍ଡାରେ ୧୯୪୩ ମସିହାରେ ଜନ୍ମିତ ଶ୍ରୀ ପଟ୍ଟନାୟକ ଜଣେ ଉଦ୍ୟାନବିତ୍ ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ। ଓୟୁଏଟିରେ କିଛି ବର୍ଷ ଅଧ୍ୟାପକ ରହିବା ପରେ ସେ ଷ୍ଟେଟବ୍ୟାଙ୍କ୍‌ରେ ଯୋଗ ଦେଇଥିଲେ। ପଚିଶ ବର୍ଷ ଚାକିରି କରିବା ପରେ ସେ ୨୦୦୧ରେ ବ୍ୟାଙ୍କ୍‌ର ଉଚ୍ଚ ପଦବୀରୁ ଅବସର ଗ୍ରହଣ କରିଛନ୍ତି।

ସ୍କୁଲ ଜୀବନରୁ ସୃଜନାତ୍ମକ କଳା ପ୍ରତି ରୁଚି ରଖି ଆସିଥିବା ଅନିରୁଦ୍ଧ ପଟ୍ଟନାୟକଙ୍କ ଆର୍ଷ ସାହିତ୍ୟ ପ୍ରତି ଅହେତୁକ ଆକର୍ଷଣ ରହି ଆସିଛି। ବେଦରଶ୍ମୀ, ବେଦପ୍ରଭା ଆଦି ବୈଦିକ ପତ୍ରିକାରେ ଆର୍ଷ ସାହିତ୍ୟ ଉପରେ ତାଙ୍କର ଲେଖା ପ୍ରକାଶ ପାଇଥାଏ। ଶ୍ରୀ ପଟ୍ଟନାୟକ ପୂର୍ବରୁ ପତଞ୍ଜଳି ପ୍ରଣୀତ ଯୋଗ ଦର୍ଶନମ୍, ଧ୍ୟାନ ତଥା ଉପାସନା ଆଦି ପୁସ୍ତକର ଅନୁବାଦ ଓ ରଚନା କରିଛନ୍ତି। ଆଲୋଚ୍ୟ ପୁସ୍ତକଟି ସେହି ଦୃଷ୍ଟିରୁ ଏକ ମହାନ ସାରସ୍ୱତ କର୍ମ ଏଥିରେ ଦ୍ଵିମତ ନାହିଁ।

ଅନୁବାଦକ ପ୍ରାମ୍ଭରେ ବେଦ ଉପନିଷଦର ସଂଜ୍ଞା ନିରୂପଣ କରିବା ସହ ବିଭିନ୍ନ ଅଧ୍ୟାୟରେ ବୃହଦାରଣ୍ୟକ ଉପନିଷଦର ଉପଯୁକ୍ତ ବ୍ୟାଖ୍ୟା କରିଛନ୍ତି। ସକଳ ସଦ୍‌ଜ୍ଞାନମୟ ଗ୍ରନ୍ଥ ହେଉଛି ବେଦ। ତଦାନିନ୍ତନ ଋଷିଗଣ ବେଦକୁ ଐଶ୍ୱରୀୟ ଏବଂ ଅମୃତମୟ ବାଣୀ ବୋଲି ସ୍ୱୀକାର କରିଛନ୍ତି। ବେଦ ସନାତନ ମାର୍ଗଦର୍ଶକ ଚକ୍ଷୁ ସଦୃଶ। ଏହା ଅପୌରଷେୟ ତଥା ଅପରିମିତ ଜ୍ଞାନର ଭଣ୍ଡାର। ଏଣୁ ଋଷିଗଣ ଥିଲେ ମନ୍ତ୍ରଦ୍ରଷ୍ଟା।

ଲେଖଙ୍କ ମତରେ ରହସ୍ୟମୟ ବେଦାର୍ଥକୁ ସୁଗମ କରିବା ତଥା  ବୁଝିବା ପାଇଁ ସଂହିତା, ବ୍ରାହ୍ମଣ, ଆରଣ୍ୟକ, ଉପନିଷଦ ଭଳି ମହାନ ଆର୍ଷ ଗ୍ରନ୍ଥ ରଚନା କରାଯାଇଥିଲା। ଉପନିଷଦ ହେଉଛି ଆତ୍ମାନୁଭବ ଆର୍ଷ ପ୍ରଜ୍ଞାର ମହାନ ଆଲେଖ୍ୟ। ଯେଉଁ ବିଦ୍ୟା ଦ୍ୱାରା ଅନ୍ତରାତ୍ମାରେ ପରଂବ୍ରହ୍ମକୁ ପ୍ରାପ୍ତ ହୋଇଥାଏ ତାହା ଉପନିଷଦ। ପୂର୍ବ କାଳରେ କନିଷ୍ଠ ବ୍ରହ୍ମଚାରୀ ଶିଷ୍ୟଗଣ  ଗୁରୁଙ୍କ ନିକଟରେ ବସି ମନଧ୍ୟାନ ପୂର୍ବକ ଶ୍ରବଣ କରି  ବ୍ରହ୍ମବିଦ୍ୟା ପ୍ରାପ୍ତ କରୁଥିଲେ, ଯାହାକି ସାଧାରଣ ଶିଷ୍ୟଙ୍କ ପକ୍ଷରେ ସମ୍ଭବ ନଥିଲା। ସେହି ପରମ୍ପରା ସହିତ ଉପନିଷଦକୁ ଯୋଡ଼ି ଦେଖାଯାଏ।

ଉପନିଷଦ ହେଉଛି ଭାରତୀୟ ଆଧ୍ୟାତ୍ମିକତାର ପରିଚୟ। ମୁଖ୍ୟ  ଦଶଟି ଉପନିଷଦ ମଧ୍ୟରୁ ବୃହଦାରଣ୍ୟକ ଉପନିଷଦକୁ ଅନ୍ତିମ ଉପନିଷଦ ବୋଲି କୁହାଯାଏ। ଅନ୍ୟ ଉପନିଷଦଠାରୁ ଏହାର ଆକାର ଅପେକ୍ଷାକୃତ ପୃଥୁଳ। ତେଣୁ ସେହିଭଳି ନାମକରଣ। ଏହାର ଅଧ୍ୟୟନ, ଅଧ୍ୟାପନା ହେଉଥିବାରୁ ଏହାକୁ ଆରଣ୍ୟକ ବୋଲି କୁହାଯାଏ।

ବୃହଦାରଣ୍ୟକ ଉପନିଷଦ ଶତପଥ ବ୍ରାହ୍ମଣର ଏକ ଅଂଶ ଅଟେ। ଏହି ଗ୍ରନ୍ଥରେ ଛଅଟି ଅଧ୍ୟାୟ ରହିଛି। ସୁତରାଂ ୬ ଅଧ୍ୟାୟ, ୪୭ ବ୍ରାହ୍ମଣ ଓ ୪୧୭ କାଣ୍ଡିକାର ସମାହାର ଏହି ଉପନିଷଦ।

ବାସ୍ତବରେ ବୃହଦାରଣ୍ୟକ ଉପନିଷଦ ଆଧ୍ୟାତ୍ମିକ ଶକ୍ତିର ଉତ୍ସ, ଆତ୍ମଜ୍ଞାନ ପ୍ରାପ୍ତିର ମାର୍ଗଦର୍ଶକ, ଯୁଗାନ୍ତକାରୀ ଶାଶ୍ୱତ ବାର୍ତ୍ତାର ବାହକ, ମହାନ ଶିକ୍ଷାର ଚମତ୍କାର ଗ୍ରନ୍ଥ। ଏହି ଉପନିଷଦ ମାନବ ଜୀବନର ପ୍ରତ୍ୟେକଟି ବିକାଶ ଓ ପ୍ରଗତି ଉପରେ ଆଲୋକପାତ କରିଥାଏ।BGUସାଧାରଣତଃ, ଉପନିଷଦର ରଚୟିତାମାନଙ୍କ ସମ୍ବନ୍ଧରେ କୌଣସି ତଥ୍ୟ ନାହିଁ। ତେଣୁ ଏହି ଉପନିଷଦ କିଏ ରଚନା କରିଛନ୍ତି ତାହା ଆଜି ପର୍ଯ୍ୟନ୍ତ ନିର୍ଣ୍ଣିତ ହୋଇପାରିନାହିଁ। ପ୍ରସିଦ୍ଧ ଋଷି ଯଜ୍ଞବଳକ୍ୟ ଏହାର ରଚୟିତା ହୋଇ ଥାଇପାରନ୍ତି ବୋଲି ଅନେକ ବିଦ୍ୱାନ୍ ମତ ପ୍ରକାଶ କରନ୍ତି। ସେହିଭଳି ଏହାର ରଚନାକାଳ ନିର୍ଣ୍ଣୟ କରିବା ମଧ୍ୟ ଦୁରୂହ ବ୍ୟାପାର।

ଏସବୁ ବିବିଧ ମତ ସତ୍ତ୍ୱେ ବୃହଦାରଣ୍ୟକ ଉପନିଷଦର ଓଡ଼ିଆ ଅନୁବାଦ କରି ଶ୍ରୀ ପଟ୍ଟନାୟକ ଏକ ଉଲ୍ଲେଖନୀୟ ଅବଦାନ ରଖି ଯାଇଛନ୍ତି। ପ୍ରିୟବ୍ରତ ଦାସଙ୍କ ଦୁଇ  ପଦ ଓ ଉପକ୍ରମଣିକା ସହ ଅନୁଦିତ ୪୫୦ ପୃଷ୍ଠାର ଏହି ଗ୍ରନ୍ଥ ବେଦ ଉପନିଷଦାନୁରାଗୀ, ସତସଙ୍ଗୀ, ଗବେଷକ ତଥା ପାଠକମାନଙ୍କ ପାଇଁ ଆତ୍ମଜ୍ଞାନ ପ୍ରାପ୍ତିର ମାର୍ଗଦର୍ଶକ ହେବା ଆଶା କରାଯାଏ।

ବୃହଦାରଣ୍ୟକ ଉପନିଷଦ

ଅନିରୁଦ୍ଧ ପଟ୍ଟନାୟକ

ତୀରତରଙ୍ଗ ପ୍ରିଣ୍ଟର୍ସ

ଭୁବନେଶ୍ୱର

ମୂଲ୍ୟ ୪୦୦ ଟଙ୍କା

୨୦୨୦

Comment